ଦକ୍ଷିଣ ଆଫ୍ରିକାକୁ ହରାଇ ପୂଜାଭେଟି ଦେଲା ଟିମ୍‌ ଇଣ୍ଡିଆ

ଶମୀ ଓ ଜାଡେଜାଙ୍କ ଘାତକ ବୋଲିଂରେ ଭ୍ରମଣକାରୀ ଦଳ ଛିନ୍‌ଛତ୍ର, ୧୯୧ରେ ଭୁଶୁଡ଼ିଲା ଦ୍ବିତୀୟ ଇନିଂସ

ବିଶାଖାପାଟଣା: ଏଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ୨୦୩ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ଫଳରେ ଦଳ ବିଜୟା ଦଶମୀ ପୂର୍ବରୁ ଦେଶର କ୍ରିକେଟ୍‌ପ୍ରେମୀଙ୍କୁ ପୂଜା ଭେଟିଦେଇଛି। ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୭୧ ରନ୍‌ର ଅଗ୍ରଣୀ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଏହି ଟାର୍ଗେଟ୍‌ର ପିଛା କରି ଭ୍ରମଣକାରୀ ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ୧୧ ରନ୍‌ କରିଥିବା ବେଳେ ଅବଶିଷ୍ଟ ୯ଟି ୱିକେଟ୍‌ ୧୮୦ ରନ୍‌ ମଧ୍ୟରେ ହରାଇ ସିରିଜ୍‌ରେ ୦-୧ରେ ପଛୁଆ ରହିଛି। ସ୍ପିନର୍‌ ରବୀନ୍ଦ୍ର ଜାଡେଜା ଓ ପେସର୍‌ ମହମ୍ମଦ ଶମୀ ଘାତକ ବୋଲିଂ କରିବା ଫଳରେ ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ଇନିଂସ ଛିନ୍‌ଛତ୍ର ହୋଇଯାଇଥିଲା। ଦଳ ୧୯୧ ରନ୍‌ରେ ଅଲ୍‌ଆଉଟ୍‌ ହେବା ଫଳରେ ଭାରତ ଏକତରଫା ବିଜୟ ହାସଲ କରିଛି। ଉଭୟ ଇନିଂସରେ ବିଶ୍ବର ପ୍ରଥମ ଟେଷ୍ଟ୍‌ ଓପନର ଭାବେ ଶତକ ହାସଲ କରିଥିବା ରୋହିତ ଶର୍ମା ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ପଞ୍ଚମ ଦିନର ଖେଳ ୧୧/୧ରୁ ଆରମ୍ଭ କରିଥିଲେ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଆଇଡେନ୍ ମାର୍କରାମ୍‌ (୩) ଓ ଥିଉନିସ୍‌ ଡି’ ବ୍ରୁନ୍‌ (୫)। ତେବେ ଉଭୟ ଦଳୀୟ ସ୍କୋର୍‌କୁ ୧୯ରେ ପହଞ୍ଚାଇଥିବା ବେଳେ ବ୍ରୁନ୍‌ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କୁ ଆଉଟ୍‌ କରି ଶମୀ ତାଙ୍କ ୱିକେଟ୍‌ ଖାତା ଖୋଲିଥିବା ବେଳେ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୫୨ ରନ୍‌ରେ ୩ ୱିକେଟ୍‌ ହରାଇଥିଲେ ହେଁ ଶମୀ ଅଧିନାୟକ ଫାଫ୍‌ ଡ୍ୟୁପ୍ଲେସିସ୍‌ (୧୩) ଓ କ୍ବିଣ୍ଟନ୍‌ ଡି’ କକ୍‌ (୦)ଙ୍କୁ କ୍ଲିନ୍‌ବୋଲ୍‌ଡ କରିଦେବା ସହ ଜାଡେଜା ଭେର୍ନନ୍‌ ଫିଲାଣ୍ଡର୍‌ ଓ କେଶବ ମହାରାଜକୁ ଦୁଇଟି ବଲ୍‌ରେ ଆଉଟ୍‌ କରିଦେଇଥିଲେ। ଫଳରେ ଦଳ ୭୦ ରନ୍‌ ମଧ୍ୟରେ ୮ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା।

କିନ୍ତୁ ନବମ ୱିକେଟ୍‌ ପାଇଁ ଡେନ୍‌ ପିଟ୍‌ ଓ ଏସ. ମୁଥୁସାମିଙ୍କ ମଧ୍ୟରେ ୯୧ ରନ୍‌ର ବଡ଼ ଭାଗିଦାରୀ ହେବା ଫଳରେ ଦକ୍ଷିଣ ଆଫ୍ରିକା ସାମାନ୍ୟ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ପିଟ୍‌ ୯ ଚୌକା ଓ ଗୋଟିଏ ଛକା ସହ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଶମୀ ତାଙ୍କର ଚତୁର୍ଥ ସଫଳତା ଭାବେ ପିଟ୍‌ଙ୍କ ୱିକେଟ୍‌ ହାସଲ କରିଥିଲେ। ପରେ କାଗିସୋ ରବାଡା ୩ ଚୌକା ଓ ଗୋଟିଏ ଛକା ସହ ୧୮ ରନ୍‌ କରି ଶମୀଙ୍କ ବଲ୍‌ରେ ଆଉଟ୍‌ ହେବା ଫଳରେ ଭ୍ରମଣକାରୀ ଦଳର ଦ୍ବିତୀୟ ଇନିଂସ ଶେଷ ହୋଇଥିଲା। ଅନ୍ୟପଟରେ ମୁଥୁସାମି ୪୯ ରନ୍‌ କରି ଅପରାଜିତ ରହିଥିଲେ। ଶେଷ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ୧୨୧ ରନ୍‌ ଯୋଗ କରିବା ଫଳରେ ଦକ୍ଷିଣ ଆଫ୍ରିକାର ସମ୍ମାନ ରକ୍ଷା ହୋଇଥିଲା। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଶମୀ ୫ଟି ଓ ଜାଡେଜା ୪ଟି ୱିକେଟ୍‌ ନେଇଥିଲେ। ସିରିଜ୍‌ର ଦ୍ବିତୀୟ ଟେଷ୍ଟ୍‌ ଆସନ୍ତା ଅକ୍ଟୋବର ୧୦ରୁ ପୁଣେଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ