ଅକ୍ଟୋବର ୧ରୁ ଲାଗୁ ହେବ ନୂଆ ପେନ୍‍ସନ୍‌ ନିୟମ

ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁହେଲେ ମିଳିବ ୫୦ ପ୍ରତିଶତ ବର୍ଦ୍ଧିତ ପେନ୍‌ସନ୍‌

କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନ୍‌ସନ୍‌ ଦିଆଯାଇଥାଏ। ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନ୍‌ସନ୍‌ ଶେଷ ଦରମାର ୫୦ ପ୍ରତିଶତ ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ। ଏହାପରେ ପାରିବାରିକ ପେନ୍‌ସନ୍‌ ଶେଷ ଦରମାର ୩୦ ପ୍ରତିଶତ ହାରରେ ପ୍ରଦାନ କରାଯାଇଥାଏ। ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦ ପ୍ରତିଶତ ହାରରେ ପାରିବାରିକ ପେନ୍‌ସନ୍‌ ମିଳିଥାଏ। ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦ ପ୍ରତିଶତ ହାରରେ ପାରିବାରିକ ପେନ୍‌ସନ୍‌ ପାଇବା ଲାଗି ଯୋଗ୍ୟ ହୋଇ ନ ଥାନ୍ତି।

ତେବେ କେନ୍ଦ୍ର ସରକାର ଏହା ହୃଦ୍‌ବୋଧ କରିଛନ୍ତି, ପ୍ରାରମ୍ଭିକ କାର୍ଯ୍ୟକାଳ ସମୟରେ ସରକାରୀ କର୍ମଚାରୀଙ୍କ ଦରମା କମ ହୋଇଥିବା କାରଣରୁ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନ୍‌ସନ୍‌ ପ୍ରଦାନ କରାଯିବାର ଅଧିକ ଆବଶ୍ୟକତା ରହିଛି। ତେଣୁ ସରକାର କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତରେ ୧୯ ସେପ୍ଟେଟର ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସଂଶୋଧିତ ନିୟମ ୫୪ ଅନୁଯାୟୀ, ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦ ପ୍ରତିଶତ ହାରରେ ପାରିବାରିକ ପେନ୍‌ସନ୍‌ ପାଇପାରିବେ।

ଉପରୋକ୍ତ ସଂଶୋଧନ ୧ ଅକ୍ଟୋବର ୨୦୧୯ରୁ ଲାଗୁ ହେବ। ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରି ନ ପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାତରେ ପାରିବାରିକ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ସୁବିଧା ସେମାନେ ୧ ଅକ୍ଟୋବର ୨୦୧୯ ଠାରୁ ପାଇବେ। ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ