ଅଭାବରୁ ଅସାଧାରଣ: ୨୨ ହଜାର ମହିଳାଙ୍କ ପାଇଁ ପ୍ରେରଣାଦାୟୀ ରୁମା


‘କୌନ୍‌ ବନେଗା କରୋଡ଼ପତି’ ସିଜନ୍‌ ୧୧ରେ କେବଳ ପ୍ରତ୍ୟେକ ସପ୍ତାହରେ କେବଳ ପ୍ରତିଯୋଗୀଙ୍କୁ ଟଙ୍କା ଜିତିବାର ସୁଯୋଗ ମିଳୁନାହିଁ। ଏହା ଏଭଳି ବ୍ୟକ୍ତିତ୍ବଙ୍କୁ ମଧ୍ୟ ଲୋକଙ୍କ ସାମ୍ନାକୁ ଆଣୁଛି, ଯେଉଁମାନେ ଜୀବନରେ କେବଳ ଖରାପ ସମୟକୁ ସାମ୍ନା କରି ନାହାନ୍ତି, ଏଥିସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ଆଲୋକିତ କରୁଛନ୍ତି। ଏଥର ଶୁକ୍ରବାର କେବିସିର ‘କର୍ମବୀର’ ଏପିସୋଡ୍‌ରେ ରାଜସ୍ଥାନର ବାଡମେରରେ ରହୁଥିବା ରୁମା ଦେବୀ ହଟ୍‌ ସିଟ୍‌ରେ ପହଞ୍ଚିଥିଲେ। ଯିଏ କେବଳ ନିଜ ଜୀବନରେ ଆଶାର ଆଲୋକ ଭରି ନାହାନ୍ତି, ବରଂ ଅନ୍ୟ ୨୨ ହଜାର ମହିଳାଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ୨୦୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଏପିସୋଡ୍‌ରେ ତାଙ୍କୁ ସହାୟତା କରିବା ଲାଗି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ପହଞ୍ଚିଥିଲେ। ରୁମାଙ୍କ କାମରେ ସୋନାକ୍ଷୀ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି।

ଅଭାବ ପାଇଁ ଚାଲି ଯାଇଥିଲା ପୁଅର ଜୀବନ
ଏହି ଶୋ’ ସମୟରେ ରୁମା କହିଥିଲେ ଯେ ମାତ୍ର ୧୭ ବର୍ଷ ବୟସରେ ତାଙ୍କ ବାହାଘର ହୋଇଯାଇଥିଲା। ସେତେବେଳେ ତାଙ୍କ ପରିବାର ବହୁତ ଗରିବ ଥିଲା। ବାହାଘରର ଦେଢ଼ ବର୍ଷ ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା, କିନ୍ତୁ ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନ ପାଇ ମାତ୍ର ୪୮ ଘଣ୍ଟାରେ ତାଙ୍କ ପୁଅ ମୃତ୍ୟୁବରଣ କରିଥିଲା। ଏହାପରେ ସେ ଚିନ୍ତା କରିଥିଲେ ଅର୍ଥ ଅଭାବରୁ ସେ ଯେଉଁ ଦୁର୍ଦ୍ଦିନର ସାମ୍ନା କରିଛନ୍ତି, ଏହା ଯେପରି ଅନ୍ୟ କେହି ନ ଭୋଗନ୍ତୁ। ତେଣୁ ସେ ଏମ୍ବ୍ରୋଡୋରୀ କାମ କରିବା ଲାଗି ଚିନ୍ତା କରିଥିଲେ। ତେବେ ବାହାଘର ପୂର୍ବରୁ ତାଙ୍କ ମା’ଙ୍କ ନିଧନ ହୋଇଥିବାରୁ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ତେଣୁ ମାତ୍ର ୮ମ ଶ୍ରେଣୀ ଯାଏ ପଢ଼ିବା ପରେ ତାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା।

ମହିଳାଙ୍କୁ ଦେଉଛନ୍ତି ଦକ୍ଷତା ତାଲିମ
ରୁମା କହିଛନ୍ତି ଯେ ପ୍ରଥମେ ୧୦ ଜଣ ମହିଳାଙ୍କ ସହ ସେ ବ୍ୟାଗ୍‌ ତିଆରି କରିବା କାମ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଯେତେବେଳେ ତାଙ୍କୁ ଗ୍ରାମୀଣ ବିକାଶ ଚେତନା ସଂସ୍ଥା ସମ୍ପର୍କରେ ସୂଚନା ମିଳିଲା, ସେଠାରେ ଯାଇ ରୁମା ପହଞ୍ଚିଥିଲେ। ରୁମାଙ୍କ କାମ ତାଙ୍କୁ ବହୁତ ପସନ୍ଦ ଆସିଥିଲା। ବ୍ୟାଗ୍‌ ତିଆରି କରିବା ପରେ ରୁମା ପୋଷାକ ତିଆରି କରିବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ଲୋକେ ପୋଷାକ ବାରମ୍ବାର କିଣିଥାନ୍ତି। ଏମ୍ବ୍ରୋଡୋରୀ ସହିତ ରୁମା ପ୍ୟାଚ୍‌ ୱାର୍କ ଏବଂ ମିରର ୱାର୍କ ମଧ୍ୟ କରୁଛନ୍ତି। ରୁମା ଏବେ ୨୨ ହଜାର ମହିଳାଙ୍କୁ ଦକ୍ଷତା ତାଲିମ ଦେଇ ସେମାନଙ୍କୁ ନିଜ ଗୋଡ଼ରେ ଠିଆ କରାଇଛନ୍ତି।

ଫ୍ୟାଶନ୍‌ ଶୋ’ରେ ଜିତିଥିଲେ ପ୍ରଥମ ସ୍ଥାନ
କେବଳ ସେତିକି ନୁହେଁ, ମହିଳାଙ୍କୁ ନିଜ ଗୋଡ଼ରେ ଠିଆ କରିବା ପରେ ରୁମା ଦେବୀ ଓ ତାଙ୍କ ଟିମ୍‌ ଅନେକ ଫ୍ୟାଶନ୍‌ ଡିଜାଇନରଙ୍କୁ ପଛରେ ପକାଇ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଟେକ୍ସଟାଇଲ୍‌ ଫେୟାର୍ସ ଇଣ୍ଡିଆର ଫ୍ୟାଶନ୍‌ ଶୋ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ରୁମା ମେ’ ୨୦୧୯ରେ କ୍ଲିଅର କରିଥିଲେ, ଏହାପରେ ୧୬ ଜୁଲାଇରେ ରୁମା ଦେବୀଙ୍କ ବ୍ଲାକ୍‌ ଏଣ୍ଡ ହ୍ବାଇଟ୍‌ କଲେକ୍ସନ୍‌ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ଏଥିସହିତ ରୁମା ଦେବୀ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର ବିବି ରସେଲ୍‌, ଆବ୍ରାହମ ଏଣ୍ଡ ଠାକୋର, ହେମନ୍ତ ତ୍ରିବେଦୀ, ଅନୀତା ଡୋଙ୍ଗରେ ଓ ରୋହିତ କୁମାରଙ୍କ ସହ କାମ କରି ସାରିଛନ୍ତି। ରୁମାଙ୍କ ଦ୍ବାରା ପରିଚାଳିତ ଏନ୍‌ଜିଓ ବାଲ୍ୟ ବିବାହ, ଘରୋଇ ହିଂସା, କୁପୋଷଣ, ଗାର୍ଲ ଚାଇଲ୍ଡ ଏଜୁକେସନ ଭଳି ସାମାଜିକ ପ୍ରସଙ୍ଗର ସମାଧାନ ଉପରେ ମଧ୍ୟ କାମ କରୁଛି। ପୂର୍ବରୁ ତାଙ୍କ ଗାଁର ଝିଅମାନେ ବାହା ହେବାର ସ୍ବପ୍ନ ଦେଖୁଥିବାବେଳେ ଏବେ ରୁମା ତାଙ୍କର ରୋଲ୍‌ ମଡେଲ୍‌ ପାଲଟିଛନ୍ତି। ଏବେ ତାଙ୍କ ଗାଁର ପ୍ରତ୍ୟେକ ଝିଅ ଓ ପ୍ରତ୍ୟେକ ମା’ ବାପା ଚାହୁଛନ୍ତି ତାଙ୍କ ଝିଅ ରୁମା ଦେବୀଙ୍କ ଭଳି ହୁଅନ୍ତୁ। ଏବେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ