ଲଗାତର ପତିଙ୍କ ଦ୍ବାରା ଅପମାନିତ ହେଉଥିଲେ ସମ୍ପର୍କ ବଞ୍ଚାଇବା ଜୁରୁରୀ କି?


ମହିଳାମାନେ କେତେ ସ୍ବପ୍ନ ଦେଖିଥାନ୍ତି। ଏମିତିକି ଯେତେବେଳେ ତାଙ୍କର ବାହାଘର ହେବ, ତାଙ୍କୁ ତାଙ୍କ ସ୍ବପ୍ନର ରାଜକୁମାର ମିଳିବ। କେତେକ ସ୍ବପ୍ନ ପୂରା ହେଉଥିବାବେଳେ ଆଉ କେତେକ ସ୍ବପ୍ନ ହୃଦୟରେ ଦବି ରହିଯାଏ। ବାହାଘର ପରେ ପ୍ରଥମେ ପ୍ରଥମେ ସବୁକିଛି ଭଲ ଲାଗିଥାଏ। କିନ୍ତୁ ଧିରେ ଧିରେ ଏହି ପ୍ରେମ ଝଗଡ଼ାରେ ବଦଳିଯାଏ। ସେହିପରି ଭାରତୀୟ ପୁରୁଷ ନିଜ ପତ୍ନୀଙ୍କୁ ଗାଳି ଗୁଲଜ କରିବାରେ ଲାଗିଥାନ୍ତି। ଏପରିସ୍ଥଳେ ମହିଳାମାନେ ବୁଝି ପାରନ୍ତି ନାହିଁ ସେମାନଙ୍କୁ କ’ଣ କରିବା, କ’ଣ ନ କରିବା ଉଚିତ। କେତେକ ପତି ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହିତ ହାତ ମଧ୍ୟ ଉଠାଇଥାନ୍ତି। ଏହା ଭାରତୀୟ ମହିଳାଙ୍କ ଅଭ୍ୟାସରେ ପଡ଼ିଯାଏ। ଯଦି ପତି ମାଡପିଟ୍‌ ଓ ଗାଳି ଗୁଲଜ କରୁଛନ୍ତି, ତେବେ ଜାଣି ରଖନ୍ତୁ, ସେ ଆପଣଙ୍କୁ ଆଦୌ ସମ୍ମାନ କରୁନାହାନ୍ତି। ଯଦି ଆପଣଙ୍କର ପିଲା ଅଛନ୍ତି, ଏହାର ପ୍ରଭାବ ସେମାନଙ୍କ ଉପରେ ମଧ୍ୟ ପଡ଼ିପାରେ।

ପ୍ରଲୋଭନରେ ପଡ଼ନ୍ତୁ ନାହିଁ
ଥରେ ଯେଉଁ ପତିଙ୍କ ହାତ ଆପଣଙ୍କ ଉପରେ ଉଠିଗଲା, ଏହା ରୋକିବା ମୁସ୍କିଲ୍‌ ହୋଇଯିବ। ଅନେକ ସମୟରେ ଏଭଳି ହୋଇଥାଏ ଯେ ହିଂସା କରିବା ପରେ ପତି ବହୁତ ଅନୁତାପ କରିବାରେ ଲାଗିଥାନ୍ତି। ଏପରିକି କାନ୍ଦିଥାନ୍ତି ମଧ୍ୟ। ତାଙ୍କଦ୍ବାରା ବହୁତ ବଡ଼ ଭୁଲ୍‌ ହୋଇଗଲା, ଆଗକୁ କେବେ ଏପରି ହେବ ନାହିଁ ବୋଲି କହି କ୍ଷମା ମାଗିଥାନ୍ତି। କିନ୍ତୁ ପତିଙ୍କ ଏହି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। କାରଣ ଏହା ଏକ ପ୍ରକାର ମାନସିକ ରୋଗ କିମ୍ବା କୌଣସି ନିଶା ଜନିତ ଅଭ୍ୟାସ ହୋଇପାରେ।

ପରିବାର ଲୋକଙ୍କ ସହ କଥା ହୁଅନ୍ତୁ
ଯଦିଓ ଏଭଳି ପତିଙ୍କ ସହିତ ରହିବା ବୋକାମୀ ଜାଣି ସୁଦ୍ଧା ଆପଣ ତାଙ୍କ ସହିତ ରହିବାକୁ ଚାହୁଛନ୍ତି, ତେବେ ପ୍ରଥମେ ଶ୍ବଶୂର ଘର ଲୋକଙ୍କ ସହ କଥା ହୁଅନ୍ତୁ। ଯଦି ସେମାନେ ମଧ୍ୟ ଆପଣଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ନିଜ ବାପା ମା’ଙ୍କ ସହ କଥା ହୋଇ ଏହାର ସମାଧାନର ବାଟ ବାହାର କରନ୍ତୁ।

ନିଷ୍ପତ୍ତି ନେବା ପୂର୍ବରୁ ନିଜ ବିଷୟରେ ଚିନ୍ତା କରନ୍ତୁ
ସାଧାରଣତଃ ମହିଳାମାନେ ସାମାଜିକ ପାରିବାରିକ ଚାପରେ ଭାବପ୍ରବଣ ହୋଇ ଏଭଳି ବ୍ୟକ୍ତି ସହିତ ବୁଝାମଣା କରି ରହିବାକୁ ରାଜି ହୋଇଯାଆନ୍ତି। ସେମାନେସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା ଏବଂ ଆଗକୁ ରାସ୍ତା ବନ୍ଦ ହୋଇଯିବା ଡରରେ ଏପରି ପଦକ୍ଷେପ ଉଠାଇଥାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ ନିଜ ସୁରକ୍ଷାକୁ ଅଣଦେଖା କରିବା ମଧ୍ୟ ବିଜ୍ଞତା ନୁହେଁ। ଯେତେବେଳେ ପରିବାର କିମ୍ବା ସମାଜ ଆପଣଙ୍କ ଦୁଃଖରେ ଆପଣଙ୍କ ସାଥ୍‌ ଦେଇପାରୁ ନାହାନ୍ତି, ଆପଣଙ୍କୁ ରକ୍ଷା କରିପାରୁ ନାହାନ୍ତି, ତେବେ ପରସ୍ପରଠାରୁ  ଅଲଗା ହୋଇଯିବା ଉଚିତ।

ପିଲାଙ୍କୁ ଦୁର୍ବଳ କରନ୍ତୁନି
ସାଧାରଣତଃ ମହିଳାମାନେ ପିଲାଙ୍କୁ ଦୁର୍ବଳ ଭାବି ଏଭଳି ଏକ ଖରାପ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି। ମହିଳାମାନେ ଭାବନ୍ତି, ପିଲାଙ୍କୁ ତାଙ୍କ ବାପାଙ୍କଠାରୁ ଅଲଗା ରଖିବା ଠିକ୍‌ ନୁହେଁ। କିନ୍ତୁ ଏହା ଠିକ୍‌ ନୁହେଁ। କାରଣ ଯେଉଁ ବ୍ୟକ୍ତି ଭଲ ପତି ହୋଇ ପାରନ୍ତି ନାହିଁ, ସେ ଭଲ ପିତା କିଭଳି ହୋଇପାରିବେ? ଏହାବ୍ୟତୀତ ଯଦି ଆପଣଙ୍କ ପତି ଆପଣଙ୍କୁ ଗାଲି ଗୁଲଜ ଓ ମାଡପିଟ୍‌ କରୁଛନ୍ତି, ତେବେ ଏହାର ପ୍ରଭାବ ପିଲାଙ୍କ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଏଭଳି ଦଲଦଲ ଭିତରେ ନ ଫସି, ଶୀଘ୍ର ଏହି ସମ୍ପର୍କରୁ ବାହାରନ୍ତୁ।

ଘରୋଇ ହିଂସା ମାମଲା
ମାଡପିଟ୍‌, ଗାଳି ଗୁଲଜ ଓ ଶାରୀରିକ ଉତ୍ପୀଡନକୁ କେବଳ ଘରୋଇ ହିଂସା କୁହାଯିବ, ଏହା ଜରୁରୀ ନୁହେଁ। ଯଦି ଆପଣ ନିଜ ପତିଙ୍କ ସହିତ ମାନସିକ ଭାବେ ଖୁସି ନାହାନ୍ତି, ତେବେ ଏହା ମଧ୍ୟ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି କରେ। ଏପରିସ୍ଥଳେ ଲମ୍ବା ସମୟ ଧରି ପତିଙ୍କ ସହ ଏଭଳି ସମ୍ପର୍କ ରହିଲେ, ଆପଣ ତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିପାରିବେ।

ଖର୍ଚ୍ଚ ପାଇଁ କରନ୍ତୁନି ଚିନ୍ତା
ଅନେକ ସମୟରେ ଗୃହିଣୀମାନେ କେସ୍‌ ପାଇଁ ଟଙ୍କା କିଏ ଖର୍ଚ୍ଚ କରିବ, ଏହା ଚିନ୍ତାକରି ପତିଙ୍କ ବିରୋଧରେ ଅଭିଯୋଗ କରନ୍ତିନି। ପତିଙ୍କଠାରୁ ଅଲଗା ହେବା ପରେ ତାଙ୍କର ଓ ପିଲାଙ୍କର କ’ଣ ହେବ, ଏହା ତାଙ୍କୁ ଚିନ୍ତାରେ ପକାଏ। କିନ୍ତୁ ଆଜିକାଲି ମହିଳାଙ୍କ ପାଇଁ ଏତେ ଆଇନ ତିଆରି ହୋଇଛି ଯେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଉ କୋର୍ଟରେ ଏହା ପ୍ରମାଣିତ ହେଲେ ପତିଙ୍କଠାରୁ ମେଣ୍ଟେନାନ୍ସ ଖର୍ଚ୍ଚ ମିଳିଥାଏ। ଯାହାଫଳରେ ପତିଙ୍କଠାରୁ ଅଲଗା ହେବା ପରେ ନିଜ ଖର୍ଚ୍ଚ ଉଠାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ