ବିଦେଶରେ ଓଡ଼ିଆଙ୍କ କମାଲ୍‌: ‘କୋକୋଲି’ ସିନେମାକୁ ଏକାଧିକ ଅନ୍ତର୍ଜାତୀୟ ପୁରସ୍କାର


ଜଳବାୟୁ ପରିବର୍ତ୍ତନ ଉପରେ ନିର୍ମିତ ଓଡ଼ିଆ ସିନେମା ‘କୋକୋଲି- ଫିଶ୍‌ ଆଉଟ୍‌ ଅଫ୍‌ ୱାଟର’କୁ ବକାଲାର ମେକ୍ସିକୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏକାଧିକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଓଡ଼ିଆ ସିନେମାର ନିର୍ଦେଶନା ଲୋକପ୍ରିୟ ଡକ୍ୟୁମେଣ୍ଟାରି ଓ ଶର୍ଟଫିଲ୍ମ ନିର୍ମାତା ସ୍ନେହାଶିଷ ଦାସ ଦେଇଛନ୍ତି।

ଦ୍ରୁତ ବେଗରେ ବଦଳି ଚାଲିଥିବା ଜଳବାୟୁର ପୃଷ୍ଠଭୂମିରେ ବୁଣା ଯାଇଥିବା ଏକ ପ୍ରେମକାହାଣୀକୁ ନେଇ ଏହି ‘କୋକୋଲି’ ସିନେମା ନିର୍ମାଣ କରାଯାଇଛି। ଏହି ସିନେମାକୁ ମେକ୍ସିକୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ମିଳିଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାରରେ ସମ୍ମାନିତ କରାଯାଇଛି। ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା ଲାଗି ‘କ୍ରାନ୍ତିଧାରା’ ସିନେମାର ଅଭିନେତ୍ରୀ ଗାର୍ଗୀ ଜଣେ ଗାଉଁଲି ମହିଳା ଚରିତ୍ରରେ ନଜର ଆସୁଛନ୍ତି। ତାଙ୍କର ଏହି ନିଖୁଣ ଅଭିନୟ ପାଇଁ ଏହି ମହୋତ୍ସବରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଜଳବାୟୁ ପରିବର୍ତ୍ତନ ସିଧାସଳଖ କିଭଳି ଭାବେ ଉପକୂଳ ଓଡ଼ିଶାରେ ବସବାସ କରୁଥିବା ମତ୍ସଜୀବୀଙ୍କ ଉପରେ ଗଭୀର ପ୍ରଭାବ ପକାଉଛି, ଏହା ଏହି ‘କୋକୋଲି- ଫିଶ୍‌ ଆଉଟ୍‌ ଅଫ୍‌ ୱାଟର’ ସିନେମାର ଥିମ୍‌ ଅଟେ। ସ୍ନେହାଶିଷଙ୍କ ନିର୍ଦେଶନା ଓ ଗାର୍ଗୀଙ୍କ ନିଖୁଣ ଅଭିନୟ ପାଇଁ ‘କୋକୋଲି-ଫିଶ୍‌ ଆଉଟ୍‌ ଅଫ୍‌ ୱାଟର’ ସିନେମା ଦର୍ଶକଙ୍କ ପସନ୍ଦ ପାଲଟିଛି। କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଖୁବ୍‌ ଉଚ୍ଚକୋଟୀର ହୋଇଛି। ଗାର୍ଗୀଙ୍କ ସହ ଏହି ସିନେମାରେ ଲିଙ୍କନ ପଟ୍ଟନାୟକ, ଭାସ୍ବତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟ କଳାକାରଙ୍କ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଛି। ଫିଲ୍ମର କାହାଣୀ ଓ ନିର୍ଦେଶନା ଦାୟିତ୍ବ ସ୍ନେହାଶିଷ ନେଇଥିବାବେଳେ ପ୍ରଶାନ୍ତ ନାଏକ ସମ୍ପାଦନା ଦାୟିତ୍ବ ତୁଲାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ