ଇରାକ୍‌ର ମସ୍‌ଜିଦରେ ଦଳାଚକଟା: ୩୧ ମୃତ, ଶତାଧିକ ଆହତ


ବାଗଦାଦ୍‌: ଇରାକ୍‌ର କରବଲା ସହରସ୍ଥିତ ଏକ ପ୍ରସିଦ୍ଧ ମସ୍‌ଜିଦରେ ମଙ୍ଗଳବାର ଦଳାଚକଟା ହୋଇଛି। ଶିଆଇଟ୍‌ ସମ୍ପ୍ରଦାୟର ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।  ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

କରବଲା ଯୁଦ୍ଧରେ ଖଲିଫା ୟାଜିଦ୍‌ଙ୍କ ନେତୃତ୍ୱାଧୀନ ସୈନ୍ୟଙ୍କ ଆକ୍ରମଣରେ ମହମ୍ମଦଙ୍କ ଅଣନାତି ଇମାମ ହୁସେନ ପ୍ରାଣ ହରାଇଥିଲେ। ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରତିବର୍ଷ ମହରମ୍‌ ମାସର ୧୦ ତାରିଖରେ ପାଳନ କରାଯାଏ, ଯାହାକୁ ଅଶୁରା କୁହାଯାଏ। ରାଜଧାନୀ ବାଗଦାଦରୁ ୧୧୦ କି.ମି. ଦୂର କରବଲାସ୍ଥିତ ଇମାମ ହୁସେନ ମସ୍‌ଜିଦରେ ଅଶୁରା ପାଳନ ପାଇଁ ଭାରତ, ପାକିସ୍ତାନ, ଇରାନ ସମେତ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ହଜାର ହଜାର ସଂଖ୍ୟାରେ ଶିହା ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ସେମାନେ କଳପତାକା ଧରି ଶୋଭାଯାତ୍ରାରେ ଯାଉଥିବାବେଳେ କୌଣସି କାରଣରୁ ସେଠାରେ ଦଳାଚକଟା ହୋଇଥିଲା। ଫଳରେ ୩୧ମୃତ ଓ ଶତାଧିକ ଆହତ ହୋଇଛନ୍ତି। ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ସୟାଫ୍‌ ଅଲ୍‌-ବଦର୍‌ ସୂଚନା ଦେଇଛନ୍ତି।

ଏହାକୁ ଅଶୁରା ଶୋଭାଯାତ୍ରା ସମୟରେ ଇରାକ୍‌ ଇତିହାସରେ ସବୁଠୁ ବଡ଼ ଦଳାଚକଟା ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ସୁନ୍ନି ଆଧିପତ୍ୟ ଶାସନ ବେଳେ ଅଶୁରା ଉପରେ କଟକଣା ଜାରି କରାଯାଇଥିଲା। ପରେ ଏହି ପର୍ବ ପାଳନ ବେଳେ ସୁନ୍ନି କଠୋରପନ୍ଥୀମାନେ ଶିହା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରୁଥିବା ନଜିର ରହିଛି। କିନ୍ତୁ ଚଳିତ ବର୍ଷ ସେଭଳି କିଛି ଘଟି ନ ଥିଲେ ମଧ୍ୟ ଦଳାଚକଟା ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ