ମିଳିତ ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ


ଜେନେଭା: ମିଳିତ ଜାତିସଂଘର ମାନବିକ ଅଧିକାର ପରିଷଦ ବୈଠକରେ ଭାରତ ଓ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇ ପାକିସ୍ତାନର ଅସଲ ମୁଖାକୁ ଖୋଲିଛି। ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବୈଦେଶିକ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ଯେ ଯେଉଁମାନେ ଆଜି କଶ୍ମୀରରେ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଛି ବୋଲି ଅଭିଯୋଗ କରୁଛନ୍ତି, ବାସ୍ତବରେ ସେହି ଦେଶରେ ଲୋକେ କିପରି ଅଛନ୍ତି, ତାହା ସେମାନେ ବିଶ୍ବ ଦରବାରରେ ପ୍ରକାଶ କରନ୍ତୁ। ସେଠାକାର ଲୋକେ କିପରି ଭାବେ ଅଧିକାରରୁ ବଞ୍ଚିତ ହୋଇ ଚିତ୍କାର କରୁଛନ୍ତି, ତାହା ସେମାନେ ପ୍ରକାଶ କରନ୍ତୁ ବୋଲି ବିଜୟ ଠାକୁର ସିଂହ କହିଛନ୍ତି।

ମିଳିତ ଜାତିସଂଘ ମାନବିକ ଅଧିକାର ପରିଷଦକୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଯେଉଁମାନେ ବ୍ୟବହାର କରୁଛନ୍ତି, ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ।  ଏହି ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇବାରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ବିଜୟ ଠାକୁର ସିଂହ ଦୃଢ଼ତାର ସହ କହିଛନ୍ତି। ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନେଇ ସଂସଦରେ ଲମ୍ବା ବିତର୍କ ହୋଇଛି। ଏହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିଛନ୍ତି। ସବୁ ବିଲ୍‌ ପାସ ହେଲା ଭଳି ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହର ବିଲ୍‌ ସଂସଦରେ ଅନୁମୋଦିତ ହୋଇଛି। ଏହା ଭାରତର ସାର୍ବଭୌମ ନିଷ୍ପତ୍ତି। କୌଣସି ଦେଶ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ପାଇଁ ଦେବେ ନାହଁ। ଏହା ମଧ୍ୟରେ ଭାରତ ଅନ୍ୟତମ ରାଷ୍ଟ୍ର ବୋଲି ବିଜୟ ଠାକୁର ସିଂହ କହିଛନ୍ତି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ନେତୃତ୍ବରେ ଯାଇଥିବା ଟିମ୍‌ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତୀୟ ପ୍ରତିନିଧି ମୁହଁତୋଡ଼ ଜବାବ ଦେଇ ପାକିସ୍ତାନର ଅସଲ ରୂପକୁ ପଦାରେ ପକାଇବାରେ ସଫଳ ହୋଇଥିଲେ। ଯେଉଁ ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ସେହି ଦେଶଠାରୁ ବେଶୀ କିଛି ଆଶା କରାଯାଇ ନ ପାରେ ବୋଲି ବିଜୟ ଠାକୁର ସିଂହ କହିଥିଲେ। ଆତଙ୍କବାଦ ପାଇଁ ବିଶ୍ବବାସୀ ତ୍ରାହି ତ୍ରାହି ହେଉଥଲା ବେଳେ ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛି ବୋଲି ବିଜୟ ସିଂହ ଠାକୁର କହି ପାକିସ୍ତାନ ଉପରେ ବର୍ଷିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ