ମୋଦିଙ୍କ ଓଡ଼ିଶା ପ୍ରୀତି: ଦ୍ବିତୀୟ ପାଳିରେ ରାଜ୍ୟର ବିକାଶ ତ୍ବରାନ୍ବିତ

ବିପର୍ଯ୍ୟୟ, ବନୀକରଣ ଓ ରେଳ ସୁବିଧା କ୍ଷେତ୍ରରେ ରେକର୍ଡ ସହାୟତା

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ବିତିଛି। ବିଗତ ୧୦୦ ଦିନର ସଫଳତାକୁ ନେଇ ମୋଦି ସରକାର ଦେଶବାସୀଙ୍କ ନିକଟରେ ପହଞ୍ଚାଇଛନ୍ତି। ଏ ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ ସମାବେଶରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ମୋଦି ସରକାରଙ୍କ ସଫଳତା ଉପସ୍ଥାପନା କରିଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଓଡ଼ିଶାବାସୀ ଅଧିକ ଉପକୃତ ହୋଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାକୁ ପର୍ଯ୍ୟାପ୍ତ ପ୍ୟାକେଜ୍ ଦିଆଯାଇଛି। ଫନି ସହାୟତା, ରେଳ ବଜେଟ୍‌ ମାଧ୍ୟମରେ ସିଧାସଳଖ ୧୬,୬୦୫.୨ କୋଟି ଟଙ୍କା ସହାୟତା ପାଇଛି ଓଡ଼ିଶା। ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଓଡ଼ିଶାର ଦୁଇ ମନ୍ତ୍ରୀଙ୍କୁ ପ୍ରଥମ ପାଳି ଅପେକ୍ଷା ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ବିକାଶ ଦିଗରେ ଏହା ନିଶ୍ଚିତ ସହାୟକ ହେବ। ଅନ୍ୟପଟେ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦରେ ଅଧିଷ୍ଠିତ କରାଯାଇଛି ବୋଲି ମାଣ୍ଡବ୍ୟ କହିଛନ୍ତି।

ଫନି ପାଇଁ ରେକର୍ଡ ପ୍ୟାକେଜ
ପ୍ରାକୃତିକ ବିପର୍ୟ୍ୟୟ ଫନି ପୂର୍ବରୁ ଏବଂ ପରେ ରେକର୍ଡ ୪୬୭୮.୨୨କୋଟି ଟଙ୍କାର ପ୍ୟାକେଜ୍ ଦିଆଯାଇଛି। ୟୁପିଏ ସରକାରଙ୍କ ଦଶ ବର୍ଷରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ବର୍ଷକୁ ହାରାହାରି ୧ ହଜାର କୋଟି ସହାୟତା ମିଳୁଥିବା ବେଳେ ମୋଦି ସରକାର କେବଳ ୨୦୧୯-୨୦ରେ ୫୯୯୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି ବନୀକରଣ ପାଇଁ କାମ୍ପା ଫଣ୍ଡ ଜରିଆରେ ୫୯୯୩.୯୮କୋଟି ଟଙ୍କା ଓଡ଼ିଶା ପାଇଁ ମଞ୍ଜୁର ହୋଇଛି। ମୋଦି ସରକାର ଫନି କ୍ଷତିଗ୍ରସ୍ତଙ୍କ ପାଇଁ ଓଡ଼ିଶାକୁ ସବୁଠାରୁ ବଡ଼ ସହାୟତା ଦେଇଛନ୍ତି। ସେଥିରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଜନସାଧାରଣଙ୍କ ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ମୋଟ ୪୬୭୮.୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି ସରକାର। ସାମୁଦ୍ରିକ ବାତ୍ୟା ‘ଫନିର’ ଅବ୍ୟବହିତ ପୂର୍ବରୁ ମୋଦି ସରକାର ଓଡ଼ିଶାକୁ ପ୍ରଥମେ ଅଗ୍ରୀମ ୩୪୦ କୋଟି ପ୍ରଦାନ କରିଥିଲେ। ଏହା ପରେ ୬ ମେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫନି’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡ଼ିଶାର ଲୋକମାନଙ୍କ ପାଇଁ ରିଲିଫ ଓ ପୁନଃ ଥଇଥାନ କାମକୁ ତ୍ୱରାନ୍ୱିତ କରିବା ପାଇଁ ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍)ରୁ ୩୩୩୮.୨୨ କୋଟି ଟଙ୍କାର ମଞ୍ଜୁରୀ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ପୂର୍ବାପେକ୍ଷା ଢେର ଅଧିକ।

ଓଡ଼ିଶାକୁ ସର୍ବାଧିକ କାମ୍ପା ଫଣ୍ଡ
ସେହିଭଳି ଓଡ଼ିଶାକୁ ସର୍ବାଧିକ କ୍ଷତିପୂରକ ବନୀକରଣ ଯୋଜନା (କାମ୍ପା) ପାଣ୍ଠି ସହାୟତା ଦେଇଛନ୍ତି ମୋଦି ସରକାର। ଓଡ଼ିଶାରେ ହଜି ଯାଇଥିବା ସବୁଜ ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ତଥା ରାଜ୍ୟରେ ବନୀକରଣ ପାଇଁ ମୋଦି ସରକାର କାମ୍ପା ଫଣ୍ଡରୁ ଓଡ଼ିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସମଗ୍ର ଦେଶର ମୋଟ ୨୭ଟି ରାଜ୍ୟକୁ କାମ୍ପା ପାଣ୍ଠିରୁ ୪୭ ହଜାର ୪୩୬.୧୮ କୋଟି ଟଙ୍କା ମିଳିଥିବା ବେଳେ ଏଥିରୁ ଓଡ଼ିଶାକୁ ସିଂହଭାଗ ରାଶି ମିଳିଥିଲା। ଓଡ଼ିଶା ସମଗ୍ର ଦେଶରେ ସର୍ବାଧିକ ୫,୯୩୩ କୋଟି ଟଙ୍କା ପାଇବା ଏକ ବଡ଼ ସଫଳତା।ଏହି କ୍ଷତିପୂରକ ବନୀକରଣ ଯୋଜନାରେ ଓଡ଼ିଶା ଜଙ୍ଗଲ କ୍ଷେତ୍ରର ବିକାଶ କରିପାରିବ ଏବଂ ଶିଳ୍ପ ପାଇଁ ବଳି ପଡିଥିବା ଉଜୁଡା ଜଙ୍ଗଲକୁ ପୁନରୁଦ୍ଧାର କରିପାରିବ ବୋଲି ଆଶା ସଞ୍ଚାର ହୋଇଛି।

ଓଡ଼ିଶା ପାଇଁ ବର୍ଦ୍ଧିତ ରେଳ ବଜେଟ୍‌ ଓ ନୂଆ ଟ୍ରେନ
ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡ଼କୁ ୨ଟି ପୃଥକ ପୃଥକ ଟ୍ରେନ ପ୍ରଚଳନ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ ଚଳାଚଳ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାଦ୍ୱାରା କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇପାରିଛି। ପୂର୍ବରୁ ଏହା ଗୋଟିଏ ଟ୍ରେନ ସହ ସଂଯୋଜିତ ହୋଇ ରାୟଗଡ଼ା ଯାଉଥିଲା ଓ ସେଠାରୁ ଯଥାକ୍ରମେ ଭବାନୀପାଟଣା ଓ ଜଗଦଲପୁର ଯାତ୍ରା କରୁଥିଲା। ସେହିଭଳି ମୋଦି ସରକାରଙ୍କ ପୂର୍ବ ବର୍ଷ ଭଳି ଓଡ଼ିଶା ପାଇଁ ଚଳିତ ରେଳ ବଜେଟ୍‌ରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ ହୋଇଛି। ଯାହାକି ଅନ୍ତରୀଣ ବଜେଟ୍ ଠାରୁ ୫୩ କୋଟି ଟଙ୍କା ଅଧିକ। ଚଳିତ ବଜେଟ୍‌ରେ ରେଳଯାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ୯ଟି ନୂଆ ଲାଇନ ଏବଂ ୧୪ଟି ଲାଇନର ଦୋହରୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଓଭରବ୍ରିଜ୍ ଏବଂ ରେଳପଥ ଅତିକ୍ରମ କରିବା ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦିଆଯାଇଛି। ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦ୍ୱୀପ ଲାଇନ ପାଇଁ ସର୍ବାଧିକ ୪୦୦ କୋଟି ଟଙ୍କା, ଖୋର୍ଦ୍ଧାରୋଡ଼–ବଲାଙ୍ଗିର ପ୍ରକଳ୍ପ ଲାଗି ୩୫୦ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି, ତାଳଚେର ବିମଳାଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଲାଗି ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମ୍ବଲପୁର-ଟିଟିଲାଗଡ଼ ଲାଇନର ଦୋହରୀକରଣ ପାଇଁ ୧୭୦ କୋଟି, ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୪୯ କୋଟି, ବାଂଶପାଣୀ-ଦୈତାରୀ-ଟମକା-ଜଖପୁରା ଲାଇନ ଲାଗି ୮୫ କୋଟି ଓ ଭଦ୍ରକ ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନ ପାଇଁ ୮୬ କୋଟି ବ୍ୟୟବରାଦ ହୋଇଛି। ସେହିପରି ଝାରପଡ଼ା-ବୁଢାପଙ୍କ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଞ୍ଜୁର କରାଯାଇଥିବା ବେଳେ କୋରାପୁଟ- ସିଙ୍ଗାପୁରରୋଡ଼ ପ୍ରକଳ୍ପକୁ ୨୦୫ କୋଟି ମିଳିଛି।

୨୦୧୯-୨୦ ବଜେଟ୍‌ରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ
ସେହିଭଳି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍‌ରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୨୫ ହଜାର କିମି ରାସ୍ତା ତିଆରି ପାଇଁ ବଜେଟ୍‌ରେ ୮୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଫଳରେ ଏହି ଯୋଜନାରେ ଓଡ଼ିଶା ଲାଭାନ୍ୱିତ ହେବା ସହ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟ ଲାଭ ପାଇବ। ସେହିପରି ପାଖାପାଖି ୨ କୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବା ନେଇ ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଯେଉଁଥିରୁ ଓଡ଼ିଶା ସିଂହଭାଗ ପାଇବ। ଦେଶ ତଥା ଓଡ଼ିଶାରେ ପିଇବା ପାଣି, ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଗୁରୁତ୍ୱ ଦିଆଯାଇଛି। ଅନୁରୂପ ଭାବରେ ବଜେଟ୍‌ର ବ୍ୟୟବରାଦ ଅନୁଯାୟୀ ଓଡ଼ିଶାର ଭିତ୍ତିଭୂମିରେ ଅଧିକ ନିବେଶ ହେବ। ସ୍ପେଶାଲ ଇନଭେଷ୍ଟମେଣ୍ଟ କରିଡର ହେବ। ସାଢେ ୪୦୦ କିମି ଉପକୂଳ ଓଡ଼ିଶା ସବୁଠୁ ଅଧିକ ଏହାର ଲାଭ ପାଇବ। ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ଯୋଜନା ବନାଯାଉଛି, ଏଥିରେ ଓଡ଼ିଶାର ବଡ଼ ଭୂମିକା  ରହିବ।

ଆଇନ ପ୍ରଣୟନ ଓ କାର୍ଯ୍ୟକାରିତାରେ ଦୃଢ଼ତା
ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଲୋକସଭାରେ ୧୩୭ ପ୍ରତିଶତ ଓ ରାଜ୍ୟସଭାରେ ୧୦୩ ପ୍ରତିଶତ କାର୍ଯ୍ୟଦିଵସ ହୋଇଛି। ପୂର୍ବରୁ ଯାହା କେଵେ ବି ହୋଇ ନ ଥିଲା। ୩୭୦ ଧାରା ଉଛେଦ ମୋଦି ସରକାରଙ୍କ ସଵୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି। ସଶକ୍ତ ଅର୍ଥନୈତିକ ସୁଦୃଢୀକରଣ ପାଇଁ ଜିଏସଟି ଲାଗୁ ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରବୀଣ ଅର୍ଥନୀତିଞ ହେବା ସତ୍ତ୍ୱେ ଏଭଳି ଆଇନକୁ ଲାଗୁ କରିବାକୁ ସଫଳ ହୋଇ ନ ଥିଲେ। କାରଣ ଏପରି କରିଥିଲେ କ୍ଷମତା ଚଉକି ହରାଇବାର ଭୟ ଥିଲା। ଆଗରୁ ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ବଜେଟ୍‌ରେ ୭ ଲକ୍ଷ କୋଟି ଟଙ୍କା କେବଳ ଭିତ୍ତିଭୂମିରେ ବ୍ୟୟବରାଦ ସହ ଆଵଣ୍ଟିତ ହୋଇଛି।

ମୋଟ ଉପରେ କହିବାକୁ ଗଲେ ମୋଦିଙ୍କ ଦ୍ବିତୀୟ ପାଳିର ସରକାର ଓଡ଼ିଶା ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଛି। ଏହାଦ୍ବାରା ଜନସାଧାରଣଙ୍କ ନିମନ୍ତେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯିବା ସହ ଭବିଷ୍ୟତ ପାଇଁ କର୍ମନିଯୁକ୍ତି ଓ ବିକାଶ ପାଇଁ ରାସ୍ତା ଉନ୍ମୁକ୍ତ ହୋଇପାରିବ। ମୋଦିଙ୍କ ପୂର୍ବ ଭାରତ ବିକାଶର ନାରା ‘ପୂର୍ବୋଦୟ’ରେ ଯେ ଓଡ଼ିଶାର ବିକାଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ, ଏହା ଏଥିରୁ ସ୍ପଷ୍ଟ ହେଉଛି। ଏହାବ୍ୟତୀତ ମୋଦିଙ୍କ ଓଡ଼ିଶା ପ୍ରୀତି ମଧ୍ୟ ସ୍ବତଃସ୍ଫୁର୍ତ୍ତ ବୋଲି ଜଣାପଡ଼ିଛି। କାରଣ ମୋଦିଙ୍କ ଦୁଇ ପାଳିର ସରକାରରେ ଓଡ଼ିଶାକୁ ତା’ର ପ୍ରାପ୍ୟ ମିଳିପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ