ଶ୍ରୀଲୋକନାଥ ମନ୍ଦିର ସ୍ଥିତି ବେହାଲ୍‌: ଗମ୍ଭୀରାରେ ଲହଡ଼ି ମାରୁଛି ବର୍ଷା ଜଳ


ବର୍ଷାରେ ବେହାଲ୍‌ ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିର ବେଢ଼ାରେ ଜମି ରହିଛି ପ୍ରାୟ ଆଣ୍ଠୁଏ ପାଣି। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି  ମାରୁଛି। ଅଗଣା ଓ ମନ୍ଦିର ପରିସରରେ ୨ ଫୁଟ୍‌ ଉଚ୍ଚର ପାଣି ଜମିଛି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି ଭକ୍ତ ଏବଂ ସେବାୟତ। ବେଢ଼ାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ମନ୍ଦିର ଭିତରେ ପାଣି ଜମୁଥିଲେ ମଧ୍ୟ ନିଷ୍କାସନ ଲାଗି କୌଣସି ପ୍ରକାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିର ପରିସର ଜଳମଗ୍ନ ହୋଇପଡ଼ୁଛି। ପାଣି ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ା ନିକଟସ୍ଥ ପାର୍ବତୀ ସାଗର ଜଳପୂର୍ଣ୍ଣ ହୋଇଯାଇଛି। ବେଢ଼ାରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଜଣେ ପଣ୍ଡା କହିଛନ୍ତି, ଲୋକନାଥ ମନ୍ଦିର ୨୧ ବର୍ଷ ତଳେ ଯାହା ଥିଲା, ଏବେ ସେହି ଅବସ୍ଥାରେ ଅଛି। ଏହାର କୌଣସି ସ୍ଥିତି ଓ ଚିତ୍ର ପରିବର୍ତ୍ତନ ହୋଇନାହିଁ। ଯାହା ବି କିଛି ବି ପରିବର୍ତ୍ତନ ହୋଇଛି, ନିଯୋଗ ତରଫରୁ କରାଯାଇଛି। ସରକାର ପରିବର୍ତ୍ତନ ପାଇଁ ଅନୁମତି ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ