ମଧ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ବାଛିବା ନେଇ ଛକାପଞ୍ଝା: ସୋନିଆ-ସିନ୍ଦିଆ ଭେଟ ଆଜି


ମଧ୍ୟ ପ୍ରଦେଶ କଂଗ୍ରେସ ଶାଖାରେ ଥିବା ମତଭେଦ ପଦାକୁ ଆସିଛି। କମଲନାଥ ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟରେ ଦଳର ସଭାପତି ପଦ ଜାବୁଡ଼ି ଧରିଥିବାରୁ ତାଙ୍କ ବିରୋଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ତେଣୁ କମଲନାଥ ୩ ଦିନ ତଳେ ଦିଲ୍ଲୀ ଆସି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିଥିଲା ବେଳେ ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳର  ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ସ୍ଥିର ହୋଇଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଅଳ୍ପକେ ବାଦ ପଡ଼ିଥିବା ସିନ୍ଦିଆ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୁଅନ୍ତୁ ବୋଲି ଖୋଲଖୋଲି ଦାବି ହେବା ପରେ ଏପରି ବିବାଦ ସାମ୍ନାକୁ ଆସିଛି। ଯଦି ସିନ୍ଦିଆଙ୍କୁ ରାଜ୍ୟରେ ଦାୟିତ୍ବ ଦିଆ ନ ଯିବ, ତାହେଲେ କମଲନାଥ ସରକାର ରାଜ୍ୟରେ ତିଷ୍ଠିବା କଷ୍ଟକର ବୋଲି କେତେକ କର୍ମୀ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି।

ଏହିପରି ସ୍ଥିତିରେ ମଙ୍ଗଳବାର ସୋନିଆ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ମଧ୍ୟରେ ସାକ୍ଷାତ ଆଲୋଚନାର ଗୁରୁତ୍ବ ବୃଦ୍ଧି ପାଇଛି। ଗାନ୍ଧି ପରିବାର ସହ ସୁସମ୍ପର୍କରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ରାଜ୍ୟରେ କଂଗ୍ରେସ ମୁଖ୍ୟ ପଦ ଅଳଙ୍କୃତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମଧ୍ୟ ସିନ୍ଦିଆଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ତେଣୁ ଆଗକୁ ମଧ୍ୟ ପ୍ରଦେଶ କଂଗ୍ରେସ ରାଜନୀତି ଅଧିକ ଗୋଳିଆ ହେବା ସହ କମଲନାଥ ସରକାର ବିପଦରେ ପଡ଼ିବା ଆଶଙ୍କା କରାଯାଉଛି। କାରଣ ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୪ ଜଣ ସଦସ୍ୟ ରହିଥିଲା ବେଳେ ଏସ୍‌ପି, ବିଏସ୍‌ପି ଓ ସ୍ବାଧୀନ ସଦସ୍ୟଙ୍କ ସମର୍ଥନରେ କମଲନାଥ ସରକାର ତିଷ୍ଠିଛି। ବିଜେପିର ସଦସ୍ୟ ସଂଖ୍ୟା ୧୦୮ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ