ପରିବହନ ସଚିବ ଓ ଅଟୋ ଚାଳକ ମହାସଂଘର ବୈଠକ ବିଫଳ: ଆନ୍ଦୋଳନ ପାଇଁ ଚେତାବନୀ


ନୂଆ ନିୟମ ଅନୁସାରେ ଟ୍ରାଫିକ୍‌ ଧଡ଼ପଗଡ଼କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ରାଜ୍ୟ ଅଟୋ ଓ ଟ୍ୟାକ୍ସି ମହାସଂଘ। ନିୟମ ଲାଗୁ କରିବାକୁ  ତିନିମାସ ସମୟ ଦେବା ଓ ଏକ ସମୟରେ ଏକାଧିକ ନିୟମ ଲାଗୁକରି ଜରିମାନା ଆଦାୟ ନ କରି କେବଳ ଗୋଟିଏ ଫାଇନ ଆଦାୟ କରିବା ସହ ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ କାଗଜ ପତ୍ର ପ୍ରସ୍ତୁତ କରିବାକୁ ସଂଘ ଦାବି କରିଛି। ଆଉ ଏନେଇ ପରିବହନ ସଚିବଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ।

ବୈଠକ ପରେ ଅଟୋ ଚାଳକ ମହାସଂଘ ସଭାପତି ନବ କିଶୋର ମହାନ୍ତି କହିଛନ୍ତି, କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଉ। ନଚେତ୍‌ ରାଜ୍ୟ ସରକାର ନିୟମ କୋହଳ କରନ୍ତୁ। ଆଗାମୀ ଦିନରେ ସରକାର ଯଦି ନିୟମ କୋହଳ ନ କରିବେ ତେବେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟର ୧ ଲକ୍ଷ ୧୮ ହଜାର ପଞ୍ଜିକୃତ ଅଟୋ ଓ ୫ ଲକ୍ଷରୁ ଅଧିକ ଟ୍ୟାକ୍ସି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସଂଘ। ଆବଶ୍ୟକ ହେଲେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି ନୂଆ ଟ୍ରାଫିକ ଆଇନ। ଏହି ନିୟମରେ ଜରିମାନା ଦୁଇରୁ ୫ ଗୁଣା ବଢିଛି। ଏହାକୁ ଲାଗୁ କଳାବେଳେ ପୋଲିସ୍‌ ଓ ଏମ୍‌ଭିଆଇ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ବଢୁଛି। ଆଉ ଏବେ ବିଭିନ୍ନ ସ୍ତରରେ ପ୍ରତିବାଦ ଦେଖି ବିଭାଗୀୟ ସଚିବ କେନ୍ଦ୍ରୀୟ ଆଇନର ଦ୍ବାହି ଦେଇଛନ୍ତି। ସେପଟେ  ରାଜଧାନୀରେ ଲୋକଙ୍କ ଅସନ୍ତୋଷ ଦେଖି ପୋଲିସ୍‌ କମିଶନର ନିୟମ ଲାଗୁରେ କିଛିଟା କୋହଳ କଥା କହିଛନ୍ତି। ମଦ ପିଇ ଗାଡ଼ି ଚଳାଇବା, ହେଲମେଟ୍‌ ନ ପିନ୍ଧିବା, ସିଟବେଲ୍ଟ ନ ବାନ୍ଧିବା, ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇବା ଓ ଦୁଇ ଚକିଆ ଯାନରେ ତିନିଜଣ ବସି ଗାଡ଼ି ଚଳାଇବା ଉପରେ ନିୟମ କଡ଼ାକଡ଼ି କରିବାକୁ କହିଛନ୍ତି। ଏହି ନିୟମରେ ଏବେ କିଛିଟା କୋହଳ ହେବ  ଓ ଲୋକେ କାଗଜପତ୍ର କରିନେବାକୁ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ