ନିଦ ହଜାଇଛି ଟ୍ରାଫିକ୍‌ ଆଇନ: ଲୋକେ ଅଣନିଃଶ୍ବାସୀ, ସରକାରଙ୍କ ପଛଘୁଞ୍ଚା

୪ ଦିନରେ ଓଡ଼ିଶାରୁ ସର୍ବାଧିକ ୮୮.୯ ଲକ୍ଷ ଆଦାୟ, ଏବେ ମନ୍ତ୍ରୀଙ୍କ ସଫେଇ

ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ କାର୍ଯ୍ୟକାରୀ ହେଉଛି ନୂଆ ଟ୍ରାଫିକ ଆଇନ। ଏହି ଆଇନରେ ଏକାଧିକ ତ୍ରୁଟି ପାଇଁ ଅନେକ ଜରିମାନା ବ୍ୟବସ୍ଥା ରହିଥିବାରୁ ଏହାକୁ ନେଇ ସାରା ଦେଶରେ ଗାଡ଼ି ମାଲିକ ଓ ଚାଳକ ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜରିମାନା ଆଦାୟ ହେବା ପରେ ତାକୁ ନେଇ ଏବେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଲୋକଙ୍କ ଅସନ୍ତୋଷ କୁହୁଳୁଥିବା ଦେଖି ସରକାରଙ୍କ ମନରେ ଛନକା ପଶିଛି। ଏହି ନିୟମକୁ ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ସରକାର ଗ୍ରହଣ କରି ନ ଥିଲେ ହେଁ ଓଡ଼ିଶା ସରକାର ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇ ବାହାବା ନେଇଥିଲେ। ଭାରତରେ ମଧ୍ୟ ଜରିମାନା ଆଦାୟ କରିବାରେ ଓଡ଼ିଶା ସବା ଆଗରେ ରହି ନିଷ୍ଠାପରତା ପ୍ରଦର୍ଶିତ କରାଇଛି। ଏବେ ଜନ ଅସନ୍ତୋଷକୁ ଦେଖି ଏହି ନିୟମକୁ ବିରୋଧ କରିବା ଆରମ୍ଭ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ସରକାର ଶେଷରେ ଏହି ନିୟମ ଠିକ୍‌ ନୁହେଁ ବୋଲି କହି ସଫେଇ ଦେଇଛନ୍ତି।

ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ନିଜେ ଗଣମାଧ୍ୟମରେ ନୂଆ ଟ୍ରାଫିକ ନିୟମକୁ ବିରୋଧ କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ନୂଆ ଟ୍ରାଫିକ ନିୟମରେ କେତେକ ଅସଙ୍ଗତି ଥିବା ଦେଖାଯାଉଛି। ଦୁଇଚକିଆ  ଯାନ ପାଇଁ ଯେତିକି ଫାଇନ ରହିଛି ୫୦ ଲକ୍ଷ ଟଙ୍କାର କାର୍‌ରେ ଯାଉଥିବା ଲୋକ ପାଇଁ ବି ସେହି ସମାନ ଫାଇନ ରହିଛି। ବହୁ ସାଧାରଣ ଲୋକ ଗାଡ଼ି ବ୍ୟବହାର କରୁଛନ୍ତି। ଏହି ଅସଙ୍ଗତି ଦୂର ନ ହେଲେ ଲୋକେ ବହୁ ଅସୁବିଧାରେ ପଡ଼ିବେ। ଜଣେ କେତେବେଳେ କେଉଁ ରାସ୍ତାରେ ଯାଉଛି ତାହା ପାଖରେ ଯେତିକି ପଇସା ନାହିଁ ତାହାଠୁ ଅଧିକ ଫାଇନ ଆଦାୟ ହେଉଛି। ସବୁଆଡ଼େ ଏବେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇନକୁ ତର୍ଜମା କରି ଅସଙ୍ଗତିକୁ ଦୂର କରିବା ଦରକାର। ଲୋକଙ୍କୁ ପ୍ରଥମେ ସତର୍କ କରିବାର ଥିଲା। ତା’ ପରେ ଯାଇ ଆଇନ ଲାଗୁ କରିଥିଲେ ହୋଇଥାନ୍ତା। ଏଭଳି ନିୟମ ଯଦି ରହେ ତେବେ ସାଧାରଣ ଲୋକେ ଆଉ ଗାଡ଼ି ଚଳାଇବା ସମ୍ଭବପର ହେବ ନାହିଁ ବୋଲି ସେ କହିଛନ୍ତି।

ଗତ ୧ ତାରିଖରୁ ହଠାତ୍‌ ଏହି ଆଇନ ଲାଗୁ କରାଯାଇଛି। ଏଥିରେ ଏକାଧିକ ଫାଇନ ବ୍ୟବସ୍ଥା ଥିବାରୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ରିକ୍ସା ଚାଳକକୁ ୪୭,୫୦୦ ଟଙ୍କା ଜରିମାନା କରାଯାଇଛି। ସେ ଏହି ଅର୍ଥ ଦେଇ ନ ପାରି ଅଟୋରିକ୍ସା ଛାଡ଼ି ପଳାଇଛି। ସେହିପରି ଆଉ ଜଣେ ଅଟୋ ଚାଳକ ୨୪ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଦେଶରେ ଏହି ଜରିମାନା ଆଦାୟ କରିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୧ ତାରିଖରୁ ୪ ତାରିଖ ଭିତରେ ଓଡ଼ିଶା ୮୮.୯୦  ଲକ୍ଷ ଟଙ୍କା ଜରିମାନା ଆଦାୟ କରିସାରିଲାଣି। ଜରିମାନା ଆଦାୟ କରିବାରେ ଓଡ଼ିଶା ପୋଲିସ ଯେତିକି ତତ୍ପର ଦେଖାଇଛି ଆଇନ ଶୃଙ୍ଖଳା କ୍ଷେତ୍ରରେ ସେତିକି ଯତ୍ନବାନ ହେଉଥିଲେ ଲୋକଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରୁଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ନୂଆ ଟ୍ରାଫିକ ଆଇନ ଆସିବା ପରେ ରାଜଧାନୀ ରାସ୍ତାରୁ ଅଧାରୁ ଅଧିକ ଗାଡ଼ି ନିଶୁନ ହୋଇଯାଇଥିବା ଭଳି ମନେହେଉଛି। ଚା ଦୋକାନରୁ ଶପିଙ୍ଗ ମଲ ଯାଏ ଏହାକୁ ନେଇ ଚର୍ଚ୍ଚା ଚାଲିଛି।

ଗତ ଦୁଇଦିନ ହେବ ଗାଡ଼ି ଚେକିଂ ସମୟରେ ଅନେକ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ଗାଡ଼ି ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ପରେ ଗାଡ଼ି ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ଫଳରେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତି ସାରା ଗାଡ଼ି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପଡୁଥିଲା। କିନ୍ତୁ ଏବେ ଗୋଟିଏ ମାସ ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ କହିଛନ୍ତି ପରିବହନ ସଚିବ। `ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ଯୋଗ୍ୟ ରହିଛନ୍ତି, ଯେଉଁଥିରୁ ଭୁବନେଶ୍ୱରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି। ସେହିଭଳି ଆରଟିଓ-୨ ଅଧୀନରେ ୩୨ ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି। ବୈଧ ସଂସ୍ଥାମାନଙ୍କର ତାଲିକା ରହିଥିଲେ ମଧ୍ୟ କିଏ କେଉଁଠି ଚେକିଂ କରୁଛନ୍ତି ତାହାର ହିସାବ ଆରଟିଓଙ୍କ ପାଖରେ ନାହିଁ। ଏପରିକି କିଛି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅନଲାଇନ ଜରିଆରେ ପ୍ରମାଣପତ୍ର ଦେଇ ପାରୁ ନ ଥିବାରୁ ଚଢାଉ ଭୟରେ ସେମାନେ ବଜାରରୁ ଉଭାନ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଦିନ ତମାମ ଲାଇନରେ ରହୁଥିଲେ ମଧ୍ୟ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିପାରୁନାହାନ୍ତି ଗାଡ଼ିଚାଳକ।

ସେପ୍ଟେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବା ପରେ ସାରା ଦେଶ ତଥା ରାଜ୍ୟରେ ହଜାର ହଜାର ଟଙ୍କା ଜରିମାନା ଆକାରରେ ଗଣିଲେଣି ଲୋକେ। ମାତ୍ର ୫ ଦିନର ନିୟମରେ ଅଥୟ ହୋଇଗଲେଣି ଜନତା। ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବା ପାଇଁ ପଡ଼ୁଛି। ଗାଡ଼ି ବାହାର କଲେ ପକେଟ୍ ଖାଲି ହୋଇଯାଉଛି। ଏପରି ଆଉକିଛି ଦିନ ଚାଲିଲେ ଲୋକଙ୍କ ବ୍ୟାଙ୍କବାଲାନ୍ସ ଶେଷ ହୋଇଯିବ। ଜଣେ ସାଧାରଣ ଲୋକର କଷ୍ଟ ଉପାର୍ଜିତ ଧନ ଜରିମାନାରେ ହିଁ ଚାଲିଯିବ। ନୂଆ ନିୟମ ଅନୁଯାୟୀ ଗୋଟିଏ ନୁହେଁ ବିଭିନ୍ନ ପ୍ରକାର ଜରିମାନା ଲଗାଇ ଚାଲାଣ କଟାଯାଉଛି। ସାଧାରଣ ନିୟମ ଖିଲାପ କଲେ, ମଦ ପିଇ ଗାଡ଼ି ଚଳାଇଲେ, ରେଜିଷ୍ଟ୍ରେସନ୍ ନ ଥାଇ ଗାଡ଼ି ଚଳାଇଲେ,  ଦ୍ରୁତ ଗତିରେ ତଥା ବିପଜ୍ଜନକ ଭାବେ ଗାଡ଼ିଚାଳନା, ନାବାଳକ ଗାଡ଼ି ଚଳାଇଲେ, ପ୍ରଦୂଷଣ ନିୟମ ଖିଲାପ କଲେ ଭିନ୍ନ ଭିନ୍ନ ଜରିମାନା ଆଦାୟ ହେଉଛି। ତେବେ ଲୋକଙ୍କ ଅସୁବିଧା ଦୃଷ୍ଟିରୁ ଏହି ନିୟମକୁ କୋହଳ କରି କେବଳ ଗୋଟିଏ ନିୟମ ଆଣିବା ପାଇଁ ଯୋଜନା ଚାଲିଛି। ଅନେକ ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ। ରାଜ୍ୟ ପରିବହନ ବିଭାଗ ଏଭଳି ଚିନ୍ତା କରୁଥିବା ବେଳେ ଗାଁରୁ ସହର ଯାଏ ଏବେ ସବୁଠି ପରିବହନକୁ ନେଇ ବଡ଼ ଚିନ୍ତା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି।

ବିଭିନ୍ନ ପ୍ରକାର ଜରିମାନା ଆଦାୟ ପରେ ଚାରିଆଡ଼େ ବିଦ୍ରୋହର ସ୍ୱର ଉଠୁଛି। ଜରିମାନା ଆଦାୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଆମ ରାଜ୍ୟରେ ହିଁ ନିୟମ ଉଲ୍ଲଂଘନ କରି ଅଧିକ ଜରିମାନା ଦେଇଛନ୍ତି ଲୋକେ। ମାତ୍ର ୪ ଦିନ ଭିତରେ ଜରିମାନା ବାବଦରେ ଗାଡ଼ି ଚାଳକଙ୍କଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡ଼ିଶା। ରାଜ୍ୟରେ ଅଟୋଚାଳକମାନେ ଅଧିକ ଫାଇନ୍ ଭରିଲେଣି। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ଦେବାପାଇଁ ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ଏହି ନିୟମ ଲାଗୁହେଲେ ଲୋକେ ଅଯାଚିତ ଫାଇନ୍ ଆଦାୟରୁ ରକ୍ଷା ପାଇବେ। ଯେଉଁଭଳି ବିଭିନ୍ନ ସ୍ଥାନରେ କଡ଼ା ଚେକିଂ କରାଯାଉଛି ଏବଂ ଜରିମାନା ଆଦାୟ କରାଯାଉଛି, ତାକୁ ନେଇ ଅଟୋ ମହାସଂଘ କଡ଼ା ଚେତାବନୀ ଦେଇଛି। ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ। ଏଭଳି ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି। ଏ ବାବଦରେ ଶନିବାର ଅଟୋ ମହାସଂଘର ବୈଠକ ବସିବ। ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ା ଚେକିଂ କରାଯାଉଛି। ଏପରିକି ବୁଧବାର ଦିନ ଗୋଟିଏ ଅଟୋ ଉପରେ ୮ଟି ନିୟମ ଉଲ୍ଲଂଘନ ଦର୍ଶାଇ ୪୭,୫୦୦ ଟଙ୍କା ଓ ଗତକାଲି ଜଣେ ଅଟୋ ଚାଳକଙ୍କଠାରୁ ୨୭,୫୦୦ ଟଙ୍କା ଚାଲାଣ କାଟିଥିଲେ ଆରଟିଓ ଅଧିକାରୀ। ତେଣୁ ଯଦି ଏଭଳି ଫାଇନ ଆଦାୟ ଜାରି ରହେ, ତେବେ ଆଗାମୀ ଦିନରେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବନୀ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ