ଆଶେସ୍‌ ସିରିଜରେ ସ୍ମିଥ୍‌ଙ୍କ ରନ୍‌ ବର୍ଷା, ୪ର୍ଥ ଟେଷ୍ଟରେ ଦ୍ବିଶତକ


ଆଶେସ୍‌ ସିରିଜ୍‌ରେ ଷ୍ଟିଭ ସ୍ମିଥ୍‌ଙ୍କ ରନ୍‌ ବର୍ଷା ଜାରି ରହିଛି। ଆହତଜନିତ ସମସ୍ୟା ପାଇଁ ତୃତୀୟ ଟେଷ୍ଟ ଖେଳି ନ ପାରିବାରୁ ଅଷ୍ଟ୍ରେଲିଆ ନାଟକୀୟ ମୁକାବିଲାରେ ୧ ୱିକେଟ୍‌ରେ ହାରି ଯାଇଥିଲା। ମାତ୍ର ଆଶେସ୍‌ ଜିଣିବା ପାଇଁ ପଣ କରିଥିବା ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟରେ ସ୍ମିଥ୍‌ଙ୍କ ଲଢ଼ୁଆ ଦ୍ବିଶତକ ବଳରେ ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ୮  ୱିକେଟ୍‌ରେ ୪୯୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଛି। ଚମତ୍କାର ଫର୍ମରେ ଥିବା  ସ୍ମିଥ୍‌ ୨୧୧ ରନ୍‌ କରି ଆଉଟ ହୋଇଛନ୍ତି। ସ୍ମିଥ୍‌ ୩୧୯ଟି ବଲ୍‌ର ସାମ୍ନା କରି ୨୪ଟି ଚୌକା ଓ ୨ଟି ଛକା ଜରିଆରେ ଦ୍ବିଶତକ ପୂରଣ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି। ତୃତୀୟ ମ୍ୟାଚ ସୁଦ୍ଧା ଦୁଇ ଦଳ ମଧ୍ୟରେ ସ୍ଥିତି ୧-୧ରେ ବରାବର ରହିଥିଲା ବେଳେ ଚଳିତ ଟେଷ୍ଟରେ ଅଷ୍ଟ୍ରେଲିଆର ପଲା ଭାରୀ କରିଛନ୍ତି ସ୍ମିଥ୍‌।

୧ ବର୍ଷର ବ୍ୟାନ୍‌ ଅବଧି ପୂରଣ କରି ଦଳରେ ସାମିଲ ହୋଇଥିବା ସ୍ମିଥ୍‌ ଚଳିତ ଆଶେସ୍‌ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ। ସେହିପରି ଦ୍ବିତୀୟ ଟେଷ୍ଟରେ ୯୨ ରନ୍‌ କରି ଆହତ ଅବସ୍ଥାରେ ଆଉଟ୍‌ ହୋଇଥିଲେ। ମାତ୍ର ତୃତୀୟ ଟେଷ୍ଟ୍‌ରେ ଫିଟ୍‌ନେସ ଫେରି ପାଇବାରେ ବିଫଳ ହୋଇ ଆଉ ଖେଳି ନ ଥିଲେ। ତୃତୀୟ ଟେଷ୍ଟରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସଙ୍କ ଅବିଶ୍ବସନୀୟ ଶତକ ବଳରେ ଘରୋଇ ଇଂଲଣ୍ଡ ଦଳ ସ୍ଥିତି ବରାବର କରିଥିଲା ବେଳେ ୪ର୍ଥ ଟେଷ୍ଟରେ ସ୍ମିଥ୍‌ ପୁଣି ଥରେ ଘରୋଇ ଦଳ ପାଇଁ ଭାରୀ ପଡ଼ିଛନ୍ତି।

କେବଳ ଏତିକି ନୁହେଁ ସ୍ମିଥ୍‌ ଆଶେସ୍‌ରେ ରନ୍‌ ବର୍ଷା କରି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ପୁଣି ଥରେ ନମ୍ବର ୧ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବର୍ଷକ ବ୍ୟବଧାନ ପରେ ବିରାଟ କୋହଲିଙ୍କୁ ହଟାଇ ସ୍ମିଥ୍‌ ନମ୍ବର ୧ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିପାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ