ଅଲ୍‌ବିଦା ଖୟାମ୍‌: ମନେପଡ଼ିବେ ଗୀତିକାରଙ୍କ ମେଲୋଡି ମ୍ୟାନ୍‌

୭ ଦଶନ୍ଧିର ଅଭିଯାନରେ ସଙ୍ଗୀତକୁ ଜିଇଥିଲେ

ମୁମ୍ବାଇ: ଗତ ସୋମବାର ବଲିଉଡ୍‌ ଜଗତର ଭେଟେରାନ୍‌ ସଙ୍ଗୀତକାର ମହମ୍ମଦ ଜହୁର୍‌ ଖୟାମ୍‌ ହାଶ୍‌ମୀ ଇହଧାମ ତ୍ୟାଗ କରିଛନ୍ତି। ୯୨ ବର୍ଷରେ ପରଲୋକ ଗମନ କରିଥିବା ଏହି ବିଶିଷ୍ଟ ସଙ୍ଗୀତକାର ବଲିଉଡ୍‌ରେ ଖୟାମ୍‌ ଭାବେ ପ୍ରସିଦ୍ଧି ହାସଲ କରିଥିଲେ। ପାଖାପାଖି ୭୦ ବର୍ଷ ଧରି ବଲିଉଡ୍‌ରେ ସକ୍ରିୟ ରହିଥିବା ଖୟାମ୍‌ ତାଙ୍କ କ୍ୟାରିଅର୍‌ରେ ଅନେକ ସୁପର୍‌ ହିଟ୍‌ ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟିଦେଇଛନ୍ତି। ପ୍ରଥମେ ଜଣେ କଣ୍ଠଶିଳ୍ପୀ ଭାବେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଖୟାମ୍‌ଙ୍କୁ ପରବର୍ତ୍ତୀ ସମୟରେ ସଙ୍ଗୀତକାର ଭାବେ ଅପାର ସଫଳତା ମିଳିଥିଲା। ସେ ତାଙ୍କ କ୍ୟାରିଅର୍‌ରେ ବହୁ ଲବ୍ଧପ୍ରତିଷ୍ଠ ଗୀତିକାରଙ୍କୁ ତାଙ୍କ ସଙ୍ଗୀତ ସଂଯୋଜନା ମାଧ୍ୟମରେ ଯଥାର୍ଥରେ ନ୍ୟାୟ ପ୍ରଦାନ କରିଥିବାରୁ ଖୟାମ୍‌ଙ୍କୁ ଗୀତିକାରଙ୍କ ମେଲୋଡିମ୍ୟାନ୍‌ର ଆଖ୍ୟା ଦିଆଯାଇଛି।  ଖୟାମ୍‌ କେବଳ ସଙ୍ଗୀତର ସାଧକ ନ ଥିଲେ, ବରଂ ସାରା ଜୀବନ ସଙ୍ଗୀତକୁ ଜିଇଚାଲିଥିଲେ। ବହୁ ଅଭୁଲା ଗୀତ ଦର୍ଶକ ଓ ଶ୍ରୋତାଙ୍କୁ ଭେଟିଦେଇଥିବା ଖୟାମ୍‌ଙ୍କୁ ଦୁଇ ଥର ଫିଲ୍ମଫେୟାର୍‌ ପୁରସ୍କାର ମିଳିଥିବା ବେଳେ ଦେଶର ତୃତୀୟ ବେସାମରିକ ସମ୍ମାନ ପଦ୍ମ ଭୂଷଣ ମଧ୍ୟ ପ୍ରଦାନ କରାଯାଇଥିଲା। ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ଖୟାମ୍‌ ଚାଲିଯିବା ଫଳରେ ବଲିଉଡ୍‌ରେ ୭ ଦଶନ୍ଧିର ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ପିଲାବେଳୁ ସଙ୍ଗୀତ ଥିଲା ନିଶା
୧୯୨୭ ଫେବ୍ରୁଆରୀ ୧୮ରେ ଖୟାମ୍‌ ପଞ୍ଜାବର ରାହୋନ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ପିଲାବେଳୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। ସେଥିପାଇଁ ସେ ଦିଲ୍ଲୀରେ ରହୁଥିବା ତାଙ୍କ ମାମୁଘରକୁ ଚାଲିଆସିଥିଲେ। ସେଠାରେ ପଣ୍ଡିତ ଅମରନାଥଙ୍କଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବୀ ସଙ୍ଗୀତ ନିର୍ଦେଶକ ବାବା ଚିସ୍ତିଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସେନାରେ ଯୋଗ ଦେଇ ଦ୍ବିତୀୟ ବିଶ୍ବଯୁଦ୍ଧରେ ବି ଭାଗ ନେଇଥିଲେ। କିନ୍ତୁ ସଙ୍ଗୀତ ପ୍ରତି ରହିଥିବା ଦୁର୍ବଳତା ତାଙ୍କୁ ବେଶୀଦିନ ସେନାରେ ରହିବାକୁ ଦେଇ ନ ଥିଲା। ସଙ୍ଗୀତ କ୍ଷେତ୍ରରେ ସଫଳତା ନେଇ ଦେଖିଥିବା ସ୍ବପ୍ନକୁ ପୂରଣ କରିବା ସକାଶେ ଖୟାମ୍‌ ମୁମ୍ବାଇ ଚାଲିଆସିଥିଲେ।

ପ୍ରଥମ ପରିଚୟ ଥିଲା ଶର୍ମାଜୀ
ମୁମ୍ବାଇରେ ଖୟାମ୍‌ ଚଳଚ୍ଚିତ୍ର ପରଦାରେ ସର୍ବପ୍ରଥମେ ଶର୍ମାଜୀ ନାମରେ ପରିଚିତ ହୋଇଥିଲେ। ସେ ରହମାନ୍‌ ବର୍ମାଙ୍କ ସହ ସାଥୀ ଭାବେ ୧୯୪୮ରେ ‘ହୀର୍‌ ରାନ୍‌ଝା’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ସେଥିରେ ସେମାନଙ୍କ ନାମ ଶର୍ମାଜୀ-ବର୍ମାଜୀ ରହିଥିଲା। ଏହାପରେ ଭାରତର ବିଭାଜନ ହେବାରୁ ବର୍ମାଜୀ ପାକିସ୍ତାନ ଚାଲିଯାଇଥିଲେ। ତେଣୁ ଏବେ ଖୟାମ୍‌ ଏକାକୀ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ୧୯୫୦ରେ ମୁକ୍ତିଲାଭ କରିଥିବା ‘ବୀୱୀ’ ଚଳଚ୍ଚିତ୍ରରେ ମହମ୍ମଦ ରଫିଙ୍କ ଗୀତ ‘ଅକେଲେ ମେଁ ୱହ ଘବରାତେ ତୋ ହୋଙ୍ଗେ’ ବେଶ୍‌ ଲୋକପ୍ରିୟ ହୋଇଥିଲା। ଏହାପରେ ୧୯୫୩ରେ ସେ ‘ଫୁଟ୍‌ପାଥ୍‌’ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ପରଦାରେ ତାଙ୍କର ନାମ ଖୟାମ୍‌ ରଖିଲେ। ଏହି ଚଳଚ୍ଚିତ୍ରର ଏକ ଗୀତ ‘ଶାମ୍‌-ଏ-ଗମ୍‌ କୀ କସମ୍‌’ ତାଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରାଇଥିଲା।

‘ଫିର୍‌ ସୁବହ ହୋଗୀ’ ଦେଲା ପରିଚିତି
୧୯୫୮ ମସିହାରେ ରାଜକପୁର ଓ ମାଲା ସିହ୍ନାଙ୍କ ଅଭିନୀତ ‘ଫିର୍‌ ସୁବହ ହୋଗୀ’ ସୁପର୍‌ ହିଟ୍‌ ହୋଇଥିଲା ଓ ଏହାର ଏକାଧିକ ଗୀତ ବେଶ୍‌ ସ୍ମରଣୀୟ ହୋଇପାରିଥିଲା। ବଲିଉଡ୍‌ରେ ଏହା ତାଙ୍କୁ ପ୍ରତିଷ୍ଠା ଆଣିଦେଇଥିଲା। ଏଥିରେ ସାହିର୍‌ ଲୁଧିୟାନ୍‌ୱୀଙ୍କ ଗୀତ ଏବଂ ମୁକେଶ ଓ ଆଶା ଭୋଁସଲେଙ୍କ କଣ୍ଠ ସିନେପ୍ରେମୀଙ୍କୁ ବାନ୍ଧିପାରିଥିଲା। ଏହାପରେ ଶୋଲା ଔର୍‌ ଶବନମ୍‌, ଆଖ୍‌ରୀ ଖତ୍‌, ଶଗୁନ୍‌ ଆଦି ଚଳଚ୍ଚିତ୍ର ବେଶ୍‌ ହିଟ୍‌ ହୋଇଥିଲା ଓ ଖୟାମ୍‌ ସଫଳତାର ପାହାଚ କ୍ରମଶଃ ଚଢ଼ିଚାଲିଥିଲେ। ୧୯୭୦ରେ ସେ ପ୍ରଥମ ଥର ପାଇଁ ୟଶ ଚୋପ୍ରାଙ୍କ ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦେବାର ସୁଯୋଗ ପାଇଲେ। ତାରକାଖଚିତ ସିନେମା ‘କଭୀ କଭୀ’ରେ ତାଙ୍କ ଦ୍ବାରା ସଂଯୋଜିତ ଗୀତଗୁଡ଼ିକ ବେଶ୍‌ ସୁମଧୁର ଥିଲା ଓ ଦର୍ଶକଙ୍କ ହୃଦୟକୁ ମଧ୍ୟ ବେଶ୍‌ ଛୁଇଁପାରିଥିଲା। ସାହିର୍‌ଙ୍କ ଲିଖିତ ଏହି ଚଳଚ୍ଚିତ୍ରର ସମସ୍ତଙ୍କ ଗୀତ ପ୍ରାୟତଃ ହିଟ୍‌ ଥିଲା।

୧୯୭୦ର ଶେଷ ଭାଗ ଓ ୧୯୮୦ର ପ୍ରଥମ ଭାଗରେ ଖୟାମ୍‌ ସବୁଠାରୁ ଅଧିକ ସଫଳ ରହିଥିଲେ। ଏହି ୧୦ ବର୍ଷ ମଧ୍ୟରେ ସେ ଅନେକଗୁଡ଼ିଏ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ସେଥିରେ ତ୍ରିଶୂଲ୍‌, ଥୋଡୀ ସୀ ବେୱଫାଈ, ବାଜାର, ଦର୍ଦ, ନୂରୀ, ନାଖୁଦା, ସୱାଲ୍‌, ବେପନାହ, ଖାନ୍‌ଦାନ୍‌, ରଜିଆ ସୁଲତାନ୍‌ ଆଦି ଅନ୍ୟତମ। ଏହିସବୁ ଚଳଚ୍ଚିତ୍ରର ପ୍ରାୟତଃ ସବୁ ଗୀତ ଏବେ ବି ସିନେପ୍ରେମୀମାନେ ଶୁଣିବାକୁ ପସନ୍ଦ କରୁଛନ୍ତି। ଏହାପରେ ୧୯୮୧ରେ ସେ ତାଙ୍କ କ୍ୟାରିଅର୍‌ର ମାଇଲ୍‌ ଖୁଣ୍ଟ କୁହାଯାଉଥିବା ‘ଉମରାଓ ଜାନ୍‌’ର ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଏଥିରେ ଆଶାଙ୍କ କଣ୍ଠରେ ‘ଇନ୍‌ ଆଖୋଁ କୀ ମସ୍ତି କେ’, ‘ୟେ କ୍ୟା ଜଗହ ହୈ ଦୋସ୍ତୋଁ’ ଓ ‘ଦିଲ୍‌ ଚୀଜ୍‌ କ୍ୟା ହୈ’ ପରି ଗୀତ ଚିରସବୁଜ ହୋଇ ରହିଛି। ପରେ ଇଣ୍ଡଷ୍ଟ୍ରୀର ପ୍ରଥମ ସୁପର୍‌ଷ୍ଟାର୍‌ର ପରିଚିତି ପାଇଥିବା ରାଜେଶ ଖାନ୍ନାଙ୍କ ଚଳଚ୍ଚିତ୍ର ଥୋଡୀ ସୀ ବେୱଫାଈ, ଦର୍ଦ ଓ ଦିଲ୍‌-ଏ-ନାଦାନ୍‌ରେ ସଙ୍ଗୀତ ନିର୍ଦେଶନା ଦେଇ ଖୟାମ୍‌ ବେଶ୍‌ ସଫଳତା ଅର୍ଜନ କରିପାରିଥିଲେ।

ବଲିଉଡ୍‌ର ସଫଳ କଣ୍ଠଶିଳ୍ପୀ କିଶୋର କୁମାରଙ୍କ କଣ୍ଠରେ ସେ ଅନେକଗୁଡ଼ିଏ ଗୀତ ସଂଯୋଜନା କରିଛନ୍ତି। ସେଥି ମଧ୍ୟରେ ଚାନ୍ଦନୀ ରାତ୍‌ ମେଁ, ଐସୀ ହସିନ୍‌ ଚାନ୍ଦନୀ, ପ୍ୟାର୍‌ କା ଦର୍ଦ ହୈ, କହତେ ଡରତୀ ହୋ, ହଜାର ରାହେଁ, ଆଖୋଁ ମେଁ ହମ୍‌ନେ ଆପ୍‌କୀ, ମାନା ଛୁଡ଼ାଓଗେ ବଦନ୍‌, ଫୁଲୋଁ ଜୈସା ରଙ୍ଗ, ତେରେ ଚେହରେ ସେ, ଜୋ ହୋ ୟାର୍‌ ଅପ୍‌ନା ଆଦି ଅନ୍ୟତମ। ସେହିପରି ତାଙ୍କ ସଂଯୋଜିତ ଅନେକ ଖ୍ୟାତିସମ୍ପନ୍ନ ଗୀତ ମଧ୍ୟରେ ଲତା ମଙ୍ଗେଶକରଙ୍କ ‘ଏ ଦିଲ୍‌-ଏ ନାଦାନ୍‌’, ‘ନା ଜାନେ କ୍ୟା ହୁଆ’, ‘ୟେ ମୁଲାକାତ୍‌ ଏକ ବହାନା ହୈ’ ଆଦି ସାମିଲ୍‌। ଖୟାମ୍‌ ତାଙ୍କ କ୍ୟାରିଅର୍‌ରେ ସବୁବେଳେ ପାରମ୍ପରିକ ଗୀତିକାରମାନଙ୍କ ସହ କାମ କରବାକୁ ପସନ୍ଦ କରୁଥିଲେ। ତେଣୁ ସେ ମିର୍ଜା ଗାଲିବ୍‌, ୱାଲି ମହମ୍ମଦ ୱାଲି, ଅଲୀ ସର୍ଦ୍ଦାର ଜାଫ୍‌ରି, ମଜରୁହ ସୁଲତାନ୍‌ପୁରୀ, ସାହିର୍‌ ଲୁଧିୟାନ୍‌ୱୀ, ନକ୍ସ ଲାୟଲ୍‌ପୁରି, ନିଦା ଫାଜ୍‌ଲି, ଜାନ୍‌ ନିସାର୍‌ ଅଖ୍‌ତର ଓ ଅହମଦ ୱାସିଙ୍କ ସହ ଅଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଖୟାମ୍‌ଙ୍କ ସଙ୍ଗୀତରେ ବିଶେଷକରି ଗଜଲ୍‌ର ସ୍ପର୍ଶ ରହୁଥିଲା ଓ ସେ ନିଜ ସଂଯୋଜନାରେ ଶାସ୍ତ୍ରୀୟ ସଙ୍ଗୀତକୁ ଗୁରୁତ୍ବ ଦେଉଥିଲେ। ତେଣୁ ତାଙ୍କର ଅଧିକାଂଶ ଗୀତ କାଳଜୟୀ ହୋଇପାରିଛି।

ଦୁଇ ଥର ଫିଲ୍ମଫେୟାର୍‌ ପୁରସ୍କାର
ଖୟାମ୍‌ ଦୁଇ ଥର ଫିଲ୍ମଫେୟାର୍‌ ପୁରସ୍କାର ପାଇଛନ୍ତି। ୧୯୭୭ରେ ପ୍ରଥମ ଥର ପାଇଁ ସେ ‘କଭୀ କଭୀ’ ପାଇଁ ଏହି ସମ୍ମାନ ଅର୍ଜନ କରିଥିବା ବେଳେ ପୁଣି ୧୯୮୨ରେ ‘ଉମରାଓ ଜାନ୍‌’ ପାଇଁ ପୁରସ୍କୃତ ହୋଇଥିଲେ। ଏହାଛଡ଼ା ସେ ୨୦୦୭ରେ ସଙ୍ଗୀତ ନାଟକ ଏକାଡେମୀ, ୨୦୧୦ରେ ଫିଲ୍ମଫେୟାର୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌‌ମେଣ୍ଟ୍‌ ଆୱାର୍ଡ, ୨୦୧୧ରେ ପଦ୍ମ ଭୂଷଣ ଓ ୨୦୧୮ରେ ହୃଦୟନାଥ ମଙ୍ଗେଶକର ଆୱାର୍ଡ ପାଇଥିଲେ। ସେହିପରି ୧୯୮୦ରେ ତାଙ୍କ ଫିଲ୍ମ ନୂରୀ, ୧୯୮୧ରେ ଥୋଡୀ ସୀ ବେୱଫାଈ, ୧୯୮୨ରେ ବାଜାର ଓ ୧୯୮୪ରେ ରଜିଆ ସୁଲତାନ୍‌ ଫିଲ୍ମଫେୟାର୍‌ ପୁରସ୍କାର ଦୌଡ଼ରେ ସ୍ଥାନ ପାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ