ରାଜନୀତି
ଭାରତ ଓ ଚୀନ ମଧ୍ୟରେ ରାଜିନାମା ସ୍ବାକ୍ଷରିତ, କୈଳାସ ମାନସରୋବର ଯାତ୍ରା ପରିବର୍ଦ୍ଧିତ

ବେଜିଂ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବେ ଚୀନ ଗସ୍ତରେ ଥିବାବେଳେ ଆଜି ତାଙ୍କ ନେତୃତ୍ବାଧୀନ ବୈଦେଶିକ ମନ୍ତ୍ରାଳୟର ପ୍ରତିନିଧିମଣ୍ଡଳୀ ପ୍ରତିପକ୍ଷ ଚୀନ ପ୍ରତିନିଧିମଣ୍ଡଳୀଙ୍କ ସହ ବୈଠକ କରିଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୈଠକରେ ଦ୍ବିପାକ୍ଷିକ ସାଂସ୍କୃତିକ ବିନିମୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଥିସହ ଉଭୟ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ୪ଟି ରାଜିନାମା ସ୍ବାକ୍ଷରିତ ହୋଇଥିବା ବେଳେ ଉଭୟ ଦେଶର ନିଷ୍ପତ୍ତିକ୍ରମେ କୈଳାସ-ମାନସରୋବର ଯାତ୍ରାକୁ ପରିବର୍ଦ୍ଧିତ କରାଯିବାକୁ ସ୍ଥିରୀକୃତ କରାଯାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏ ନେଇ ସୂଚନା ଦେଇଛନ୍ତି।
ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ୧୦୦ଟି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି। ଏହିକ୍ରମରେ ସାଂସ୍କୃତିକ ଭାବ ବିନିମୟ ପାଇଁ ଚୀନରେ ଆରମ୍ଭ ହୋଇଛି ଚଳଚ୍ଚିତ୍ର ସପ୍ତାହ। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ଆଗାମୀ ସାକ୍ଷାତ ଆଲୋଚନା ସମ୍ପର୍କରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏସିଆର ଏହି ଦୁଇ ପ୍ରଭାବଶାଳୀ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ ବୋଲି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ