ହଂକଂ ବିମାନବନ୍ଦରରେ ଅଚଳାବସ୍ଥା ଜାରି: ମଙ୍ଗଳବାର ସମସ୍ତ ଉଡ଼ାଣ ବାତିଲ୍‌


ହଂକଂ: ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ସମର୍ଥନ କରି ଆନ୍ଦୋଳନ ଜାରି ରଖିଥିବା ଲୋକମାନେ ହଂକଂ ବିମାନବନ୍ଦରରେ ଲଗାତର ଦ୍ବିତୀୟ ଦିନ ପାଇଁ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ବିମାନବନ୍ଦରରେ ବିକ୍ଷୋଭକାରୀମାନେ ଆନ୍ଦୋଳନ କରିବା ସହ ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅବରୋଧ କରିଛନ୍ତି। ତେଣୁ ମଙ୍ଗଳବାର ଏହି ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନକୁ ଅଟକି ରହିବାକୁ ପଡ଼ିଛି। କୌଣସି ବିମାନ ଅନ୍ୟତ୍ର ଉଡ଼ାଣ ଭରିପାରିନାହାନ୍ତି ବୋଲି ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବିମାନବନ୍ଦରରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଟର୍ମିନାଲ୍‌ ଖାଲି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ତେବେ ବିମାନବନ୍ଦରକୁ ବାହାରୁ ବିମାନ ଆସୁଛି କି ନାହିଁ, ସେଥିନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଜାରି କରିଥିବା ବିବୃତିରେ କିଛି ବି ସ୍ପଷ୍ଟ କରିନାହାନ୍ତି।

ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ବିମାନବନ୍ଦରରେ ପ୍ରବେଶ କରି କୌଣସି ଯାତ୍ରୀଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ। ତେଣୁ ଲଗାତର ଦ୍ବିତୀୟ ଦିନ ପାଇଁ ବିମାନବନ୍ଦରରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୋମବାର ମଧ୍ୟ ଏହି ବିକ୍ଷୋଭକାରୀମାନେ ବିମାନବନ୍ଦରରେ ଆନ୍ଦୋଳନ କରିବା ସହ ବିଶାଳ ଶୋଭାଯାତ୍ରା କରିଥିଲେ। ତେଣୁ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ବିମାନ ସେବାକୁ ସୋମବାର ବାତିଲ୍‌ କରିଦେଇଥିଲେ। ଫଳସ୍ବରୂପ ନା ବିମାନବନ୍ଦରକୁ କୌଣସି ବିମାନ ଆସିଥିଲା ନା କୌଣସି ବିମାନ ଏଠାରୁ ଅନ୍ୟତ୍ର ଉଡ଼ାଣ ଭରିପାରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ