ଭାରତର ନିଜସ୍ବ ‘ଜଳରେ ଅଲିମ୍ପିକ୍ସ’: କେରଳର ସ୍ନେକ୍‌ ବୋଟ୍‌ ରେସ୍‌

ନିଅନ୍ତୁ ଅଲେପ୍ପିରେ ହେବାକୁ ଯାଉଥିବା ଏହି ବୋଟ୍‌ ରେସ୍‌ର ନିଆରା ମଜା

କେରଳର କୋଚ୍ଚି ସହରଠାରୁ ୮୦ କିମି ଦୂରରେ ଅବସ୍ଥିତ ଅଲେପ୍ପି ନିଜର ସୌନ୍ଦର୍ଯ୍ୟ ପାଇଁ ଅଲଗା ଏକ ପରିଚୟ ସୃଷ୍ଟି କରିଛି। ଏଠାରେ ଆୟୋଜିତ ହେଉଥିବା ନେହରୁ ଟ୍ରଫି ବୋଟ୍‌ ରେସ୍‌ ପ୍ରତିଯୋଗିତା ବହୁତ ଲୋକପ୍ରିୟ। ଏହାର ଆୟୋଜନ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ଦ୍ବିତୀୟ ଶନିବାରରେ ହୋଇଥାଏ। ଚଳିତ ବର୍ଷ ଏହି ପ୍ରତିଯୋଗିତା ୧୦ ଅଗଷ୍ଟରେ ହେବାକୁ ଯାଉଛି। ଏହାକୁ ଭାରତର ନିଜସ୍ବ ‘ଜଳରେ ଅଲିମ୍ପିକ୍ସ’ବୋଲି କୁହାଯାଏ।

କ’ଣ ଏହି ସ୍ନେକ୍‌ ବୋଟ୍‌ ରେସ୍‌

ପୁନ୍ନମଡ଼ା ହ୍ରଦରେ ସ୍ନେକ୍‌ ବୋଟ୍‌ ରେସ୍‌ର ଆୟୋଜନ କରାଯାଏ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଷ ଅନେକ ସଂଖ୍ୟାର ବୋଟ୍‌ ଭାଗ ନେଇଥାନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେବା ଲାଗି ଆଖପାଖ ଗାଁରୁ ବୋଟ୍‌ ଆସିଥାଏ। ପ୍ରତ୍ୟେକ ଗାଁର ଗୋଟିଏ ଲେଖାଏ ବୋଟ୍‌ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଏହି ବୋଟ୍‌ରେ ୧୦୦ରୁ ଆରମ୍ଭ କରି ୧୪୦ ଜଣ କୁଶଳୀ ନାବିକ ସବାର ହୋଇଥାନ୍ତି। ଏହି ନାବିକଙ୍କ ମଧ୍ୟରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଆଦି ସମସ୍ତ ଧର୍ମର ଲୋକେ ମିଶି ଭାଗ ନେଇଥାନ୍ତି। ଏଭଳି ଭାଇଚାରା ଆପଣଙ୍କୁ ଅନ୍ୟ କେଉଁଠାରେ ଦେଖିବାକୁ ମିଳି ନ ଥାଏ।  ପ୍ରତିଯୋଗିତାରେ ମଜବୁତ ବାହୁ ଥିବା ନାବିକମାନେ ଏକ ଲକ୍ଷ୍ୟରେ ଚପ୍ପୁରେ ବୋଟ୍‌ ଚଳାଉଥିବାବେଳେ ଏଥିରେ ବସିଥିବା ଅନ୍ୟ ସାଥୀମାନେ ତାଙ୍କୁ ଗୀତ ଗାଇ ଉତ୍ସାହିତ କରିଥାନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଡ୍ରମ୍‌ ବାଦକ ମଧ୍ୟ ଥାଆନ୍ତି, ଯେଉଁମାନେ ପ୍ରବଳ ଉତ୍ସାହର ସହ ଡ୍ରମ୍‌ ବଜାଇ ନିଜ ନାବିକମାନଙ୍କୁ ଉତ୍ସାହିତ କରିଥାନ୍ତି। ପ୍ରତ୍ୟେକ ବୋଟ୍‌ର ଜଣେ ଟିମ୍‌ ଲିଡର ମଧ୍ୟ ରହିଥାନ୍ତି, ଯିଏ ସବୁଠାରୁ ଅଧିକ ଅନୁଭବି ହୋଇଥାନ୍ତି। ଟିମ୍‌ ଲିଡର ଲଗାତର ସିଟି ମାରି ନାବିକଙ୍କୁ ନିର୍ଦେଶ ଦେବାରେ ଲାଗିଥାନ୍ତି। ଏହି ସମୟରେ ଲୋକଙ୍କ ଉତ୍ସାହ ନ ଦେଖିଲେ ବୁଝି ପାରିବେ ନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ରେସ୍‌ ଭାରତରେ ଆୟୋଜିତ ହେଉଥିବା ସବୁଠାରୁ ପୁରୁଣା ୱାଟର ସ୍ପୋର୍ଟସ୍‌ ମଧ୍ୟରେ ଅନ୍ୟତମ।

ବୋଟ୍‌ ରେସ୍‌ର ଇତିହାସ
ଇତିହାସ ପୃଷ୍ଟା ଓଲଟାଇ ଦେଖିଲେ ଜଣାପଡ଼େ ଯେ ପାଖାପାଖି ୪୦୦ ବର୍ଷ ପୂର୍ବେ ତ୍ରାଭାଣକୋରର ରାଜାମାନଙ୍କ ମଧ୍ୟରେ ବୋଟ୍‌ ରେସ୍‌ କରାଯାଉଥିବା ପ୍ରମାଣ ମିଳିଥାଏ। ସାପ ଭଳି ଆକୃତିର ଏହି ବୋଟ୍‌ର ଲମ୍ବ ୧୨୮ ଫୁଟ୍‌। ଏପରିକି ପ୍ରତିଦ୍ବନ୍ଦୀ ରାଜାମାନଙ୍କ ଦ୍ବାରା ନିର୍ମାଣ କରାଯାଉଥିବା ବୋଟ୍‌ ସମ୍ପର୍କରେ ଜାଣିବା ଲାଗି ଗୁପ୍ତଚରଙ୍କ ସାହାଯ୍ୟ ମଧ୍ୟ ନିଆଯାଉଥିଲା। ସେହି ସମୟରୁ ଆରମ୍ଭ କରି ଏପର୍ଯ୍ୟନ୍ତ କେରଳର ଏହି ସ୍ନେକ୍‌ ବୋଟ୍‌ ରେସ୍‌ର ପ୍ରତିଯୋଗିତା ଦେଖିବାକୁ ମିଳିଥାଏ।

କିପରି ଯିବେ
କୋଚ୍ଚିଠାରୁ ପାଖାପାଖି ୮୫ କିମି ଦୂରରେ ବିମାନବନ୍ଦର ରହିଛି। ବିମାନବନ୍ଦରରୁ ଟ୍ୟାକ୍ସି ନେଇ ଆପଣ ପ୍ରତିଯୋଗିତା ସ୍ଥାନରେ ପହଞ୍ଚିପାରିବେ। ସେହିପରି କୋଚ୍ଚିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଅଲୁୱା ରେଳ ଷ୍ଟେସନ୍‌ ଅବସ୍ଥିତ। ଯେଉଁଠାରୁ ବହୁତ ସହଜରେ ଆପଣ ଅଲେପ୍ପିରେ ପହଞ୍ଚିପାରିବେ। କୋଚ୍ଚିରୁ ଅଲେପ୍ପି କେରଳ ରାଜ୍ୟ ପରିବହନ ନିଗମର ବସ୍‌ ଲଗାତର ଚାଲୁଛି। ଯେଉଁଥିରେ ଆପଣ କମ୍‌ ଭଡ଼ା ଦେଇ ଡେଷ୍ଟିନେସ୍‌ନରେ ପହଞ୍ଚି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ