କାରଗିଲରେ ଏସବୁ ସ୍ଥାନ ବୁଲିବାର ମଜା ନିଅନ୍ତୁ


୨୬ ଜୁଲାଇକୁ ପ୍ରତ୍ୟେକ ବର୍ଷ ଦେଶରେ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାଧୀନ ଭାରତ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ। ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ୬୦ ଦିନ ଚାଲିବା ପରେ ୨୬ ଜୁଲାଇରେ ସମାପ୍ତ ହୋଇଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଭାରତରେ ୨୬ ଜୁଲାଇକୁ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଇତିମଧ୍ୟରେ ୨୦ ବର୍ଷ ବିତିଯାଇଛି। ଚାଲନ୍ତୁ ଜାଣିବା କାରଗିଲରେ ଥିବା ଏପରି କେତେକ ସ୍ଥାନ ସମ୍ପର୍କରେ ଯେଉଁଠି ଯାଇ ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ।

ଶ୍ରୀନଗରଠାରୁ ପାଖାପାଖି ୨୦୫ କିମି ଦୂରରେ କାରଗିଲ ଅବସ୍ଥିତ। ଏହା ଭାରତ ପାକିସ୍ତାନର ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ। କଶ୍ମୀର ଘାଟିରୁ ମଧ୍ୟ କାରଗିଲ ଦେଖାଯାଇଥାଏ। କାରଗିଲରେ ନିର୍ମାଣ ହୋଇଥିବା ମଠ, ସୁନ୍ଦର ସୁନ୍ଦର ଉପତ୍ୟକା ଓ ଛୋଟ ସହର ପର୍ଯ୍ୟଟକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ଚାଲନ୍ତୁ ଜାଣିବା କାରଗିଲରେ ଥିବା କେତେକ ସୁନ୍ଦର ଓ ଭ୍ରମଣ ଉପଯୋଗୀ ସ୍ଥାନ ସମ୍ପର୍କରେ।

ସନି ମଠ
ସନି ମଠ ଏଠାର ସବୁଠାରୁ ପୁରୁଣା ଓ ପ୍ରସିଦ୍ଧ ମଠ ଅଟେ। ଏହି ମଠ ସନି ଗାଁରେ ନିର୍ମାଣ ହୋଇଛି। ମାରପା, ନରୋପା ଓ ପଦ୍ମସମ୍ଭବଙ୍କ ଭଳି ବୌଦ୍ଧ ସମ୍ପ୍ରଦାୟର ପ୍ରସିଦ୍ଧ ଗୁରୁ ଏହି ମଠ ପରିଦର୍ଶନରେ ଆସିସାରିଛନ୍ତି। ଏହି ମଠକୁ କୁଷାଣ ରାଜା କନିଷ୍କ ନିର୍ମାଣ କରିଥିଲେ ବୋଲି ଇତିହାସ କହେ।

ସୁରୁ ଉପତ୍ୟକା
ସୁରୁ ଉପତ୍ୟକାକୁ ପ୍ରକୃତିର ଏକ ସୁନ୍ଦର ବରଦାନ କହିଲେ ଅତ୍ୟକ୍ତି ହେବ ନାହିଁ। ସବୁଜିମାରେ ପରିପୂର୍ଣ୍ଣ ପାହାଡ଼, ପ୍ରାଚୀନ ମଠ ଓ ଶାନ୍ତ ବାତାବରଣ ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଛି। ଶୀତଦିନେ ଏହି ସୁରୁ ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ବରଫରେ ଘୋଡ଼ାଇ ହୋଇଯାଏ। ତେଣୁ ଏହି ସମୟରେ ଏଠାକୁ ଯିବା ଉଚିତ ନୁହେଁ। ଏଠାକୁ ଯିବାର ଉପଯୁକ୍ତ ସମୟ ହେଉଛି ଏପ୍ରିଲ୍‌ରୁ ଅକ୍ଟୋବର। କୁହାଯାଉଛି ଏହି ଉପତ୍ୟକାରେ ପାଖାପାଖି ୨୫,୦୦୦ ଲୋକ ରହୁଛନ୍ତି। ଏହି ଲୋକମାନେ ତିବ୍‌ବତ ଓ ବୌଦ୍ଧ ସମ୍ପ୍ରଦାୟର ବଂଶଧର ବୋଲି କୁହାଯାଏ।

ମୁଲ୍‌ବେଖ ମଠ
ଶ୍ରୀନଗର-ଲେହ ହାଇୱେ ପାର୍‌ କରିବା ପରେ କାରଗିଲ ପରେ ପ୍ରଥମ ଷ୍ଟପେଜ୍‌ ମୁଲବେଖ ମଠ ଅଟେ। ମୁଲବେଖ ନାମକ ଗାଁରେ ମୁଲ୍‌ବେଖ ମଠ ଅବସ୍ଥିତ। ଏହା କାରଗିଲଠାରୁ ପାଖାପାଖି ୪୫ କିମି ଦୁରରେ ଅବସ୍ଥିତ। ଏହି ମଠ ସଡ଼କଠାରୁ ୨୦୦ ମିଟର ଉଚ୍ଚରେ ଥିବା ଏକ ପର୍ବତ ଶୃଙ୍ଗରେ ଅବସ୍ଥିତ। ଏହି ମଠରେ ୯ ମିଟର ଉଚ୍ଚରେ ମୈତ୍ରିସ୍‌ ବୌଦ୍ଧଙ୍କ ପ୍ରତିମୂର୍ତ୍ତି ରଖାଯାଇଛି, ଯାହାଙ୍କୁ ଲାଫିଙ୍ଗ ବୁଦ୍ଧ ମଧ୍ୟ କୁହାଯାଏ। ୮ମ ଶତାବ୍ଦୀରେ କେତେକ ମିଶନାରୀ ଏହି ମୂର୍ତ୍ତି ଏଠାକୁ ଆଣିଥିଲେ।

ଦ୍ରାସ୍‌ ୱାର୍‌ ମେମୋରି
ଭାରତୀୟ ସେନା ୧୯୯୯ର କାରଗିଲ ଯୁଦ୍ଧରେ ଶହୀଦଙ୍କ ସ୍ମୃତିରେ ଏହି ସ୍ମାରକ ନିର୍ମାଣ କରିଛି। ଏହି ସ୍ମାରକ ଦ୍ରାସଠାରୁ ପାଖାପାଖି ୬ କିମି ଦୂରରେ ଥିବା ଟାଇଗର ହିଲ୍‌ ପାଖରେ ନିର୍ମାଣ ହୋଇଛି। ଏହି ସ୍ଥାନର ବିଶେଷତ୍ବ ହେଉଛି ଏହା ଭାରତର ସବୁଠାରୁ ଥଣ୍ଡା ସ୍ଥାନ ଅଟେ ଓ ବିଶ୍ବରେ ସାଇବେରିଆ ପରେ ଦ୍ବିତୀୟ ସବୁଠାରୁ ଥଣ୍ଡା ସ୍ଥାନ ଅଟେ।

ଲାମାୟୁର ମଠ
ଲାମାୟୁର ମଠ ଲଦାଖର ସବୁଠାରୁ ପୁରୁଣା ଓ ସବୁଠାରୁ ବଡ଼ ମଠ ମଧ୍ୟରେ ଅନ୍ୟତମ। ଏହି ମଠର ଇତିହାସ ୧୧ଶ ଶତାବ୍ଦୀ ସହିତ ଜଡ଼ିତ। ଲୋକଙ୍କ କହିବାନୁସାରେ ଏହି ସ୍ଥାନରେ ପୂର୍ବରୁ ଏକ ହ୍ରଦ ଥିଲା। ଏହା ପାଖରେ ଥିବା ଏକ ଗୁମ୍ଫାରେ ମହିନ୍ଦା ନରୋପା ସାଧନା କରୁଥିଲେ। ହ୍ରଦ ଶୁଖିଗଲା ପରେ ଏଠାରେ ଲାମାୟୁର ମଠ ସ୍ଥାପନ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ