ସୁସ୍ଥ ଓ ସୁରକ୍ଷିତ ରହିବା ଲାଗି ଆପଣାନ୍ତୁ ଏସବୁ ମନ୍‌ସୁନ୍‌ ଟିପ୍ସ


ବର୍ଷାଦିନେ ନିଜ ଘର ଓ ଘର ଭିତରେ ରଖିଥିବା ଜିନିଷକୁ ସ୍ବାସ୍ଥ୍ୟକର ରଖିବା ନିହାତି ଦରକାର। ଟିକେ ବି ଅଣଦେଖା କରିବା ମାତ୍ରେ ଲୋକେ ରୋଗରେ ପଡ଼ିଯାଆନ୍ତି। ଘରେ ଥିବା ଜିନିଷରେ ମଏଶ୍ଚର ଓ ଫଙ୍ଗସ ଲାଗିଯାଏ। ବର୍ଷାଦିନେ ନିଜର ଓ ଜିନିଷର ଦେଖାଶୁଣା କରିବା ଲାଗି ବିଶେଷଜ୍ଞ ରାଜେଶ ଭାରତୀ ସୂଚନା ଦେଇଛନ୍ତି।

କୀଟପତଙ୍ଗଠାରୁ ଦୂରେଇ ରହନ୍ତୁ
ବର୍ଷାଦିନେ ମାଛି ସହିତ ଅନ୍ୟାନ୍ୟ କୀଟପତଙ୍ଗ ଅନେକ ସମସ୍ୟାରେ ପକାଇଥାନ୍ତି। ରାତିରେ ଘରେ ଆଲୋକ ଜଳିବା ଫଳରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଘର ଭିତରକୁ ପଶି ଆସିବା ଆରମ୍ଭ କରିଦିଅନ୍ତି। ତେଣୁ ପୋକ, ମାଛି, କୀଟପତଙ୍ଗକୁ ଘରୁ ଦୂରେଇ ରଖିବା ଲାଗି ପେଷ୍ଟ କଣ୍ଟ୍ରୋଲ ବ୍ୟବହାର କରିବା ଉପଯୁକ୍ତ ବିକଳ୍ପ। ଯଦି ଆପଣଙ୍କ ଘରେ କେବଳ ବର୍ଷାଦିନେ ଏହି ସମସ୍ୟା ହେଉଛି, ତେବେ ଉପରୋକ୍ତ ଉପାୟରେ ଏଥିରୁ ମୁକ୍ତି ପାଇପାରିବେ। ଘର ବାହାରେ ଶୁଭ୍ର ଆଲୋକ ବଦଳରେ ହଳଦିଆ ରଙ୍ଗର ଲାଇଟ୍‌ ବ୍ୟବହାର କରନ୍ତୁ। ଲାଇଟ୍‌ର ଆବଶ୍ୟକତା ନ ଥିଲେ, ଏହାକୁ ବନ୍ଦ କରି ଦିଅନ୍ତୁ। ଯାହାଫଳରେ କୀଟ ଆଲୋକ ଆଡ଼କୁ ଆକର୍ଷିତ ହୋଇ ଘର ଭିତରେ ପଶିବେ ନାହିଁ। ଯଦି ସମ୍ଭବ ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ୨ରୁ ୩ ଟି କର୍ପୁର ଓ ନିମ୍ବ ପତ୍ର ଧୂଆଁ ଦିଅନ୍ତୁ। ଏହାଦ୍ବାରା ଘରେ ପ୍ରବେଶ କରିଥିବା ଛୋଟ ଛୋଟ କୀଟ ପତଙ୍ଗ ମରିଯିବେ। ଧ୍ୟାନ ରଖନ୍ତୁ ଧୂଆଁ ଦେଲାବେଳେ ଘର ଭିତରୁ ନିଜେ ବାହାରି ଆସିବେ।

ମଶା, ମାଛି, ପିମ୍ପୁଡ଼ିଙ୍କୁ ଏପରି ରୋକନ୍ତୁ
ମାଛିକୁ ଘରୁ ଭିତରେ ପଶିବାକୁ ରୋକିବା ଲାଗି ଘରକୁ ସଫା ଓ ଶୁଖିଲା ରଖନ୍ତୁ। ଫିନାଇଲ୍‌ ପକାଇ ଚଟାଣ ସଫା କରନ୍ତୁ। କୌଣସି ମିଠା ଜିନିଷ ତଳେ ପଡ଼ିଗଲେ, ତୁରନ୍ତ ଓଦା କପଡ଼ାରେ ପୋଛନ୍ତୁ। କୌଣସି ବି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏପରି ସ୍ଥାନରେ ଡେଙ୍ଗୁ ମଶା ଜନ୍ମ ହୋଇଥାନ୍ତି। ଯଦି ପାଣି ବାହାର କରିବା ସମ୍ଭବ ନୁହେଁ, ତେବେ କିଛି ବୁନ୍ଦା କିରାସିନି ପକାଇ ଦିଅନ୍ତୁ।

ଅସରପାକୁ ଭଗାନ୍ତୁ
ବର୍ଷାଦିନେ ଅସରପା ଓ ଅନ୍ୟ ପୋକ ଘରର ନଳା ଦେଇ ଅଧିକ ମାତ୍ରାରେ ପଶି ଆସନ୍ତି। ଏହାକୁ ରୋକିବା ଲାଗି ପ୍ରତ୍ୟେକ ଦିନ ରାତିରେ ନଳାରେ କୀଟନାଶକ ସ୍ପ୍ରେ କରନ୍ତୁ। ଅଳିଆ ଜମିବାକୁ ଦିଅନ୍ତୁ ନାହିଁ। ସକାଳର ଅଳିଆ ସନ୍ଧ୍ୟାରେ ନିହାତି ଭାବେ ଫିଙ୍ଗନ୍ତୁ। ଡଷ୍ଟବିନ୍‌ ସବୁବେଳେ ଘୋଡ଼ାଇ ରଖନ୍ତୁ। ରାତିରେ ଲାଇଟ୍‌ ବନ୍ଦ ହେବା ପରେ ଲୁଚି ରହିଥିବା ଅସରପା ବାହାରିଥାନ୍ତି। ଖାଇବା ପାଇଁ ସେମାନେ ଏପଟସେପଟ ହୋଇଥାନ୍ତି। ଯଦି ସେମାନଙ୍କୁ ଖାଇବାକୁ ଗୋଟିଏ ଦାନା ବି ମିଳିଯାଏ, ତେବେ ସେମାନେ ୪୫ ଦିନ ଯାଏ ଜୀବିତ ରହିପାରନ୍ତି। ତେଣୁ ଖାଦ୍ୟ ଖୋଲାରେ ଏଣେତେଣେ ରଖନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ