ଶେଫର୍ଡଙ୍କୁ ସାବାସୀ: ୭୧ ବର୍ଷ ବୟସରେ ହୋଇଥିଲେ ବଡି ବିଲ୍ଡିଂ ଚାମ୍ପିଅନ୍‌

ଶେଫର୍ଡଙ୍କ ଏହି ସଫଳତା ପଛରେ ରହିଛି ରୋଚକ କାହାଣୀ

ଜୀବନରେ ଯଦି କୌଣସି ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି କିମ୍ବା ନିଜ ସହିତ କରିଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଚାହାନ୍ତି, ତେବେ ବୟସ କେବଳ ଏକ ନମ୍ବର ହୋଇ ରହିଯିବ। ବ୍ୟକ୍ତିଙ୍କର କାମ କରିବାର ସାହସ ଓ ଧୈର୍ଯ୍ୟ ରହିବା ଉଚିତ। ଏହି ସାହସ ଓ ଧୈର୍ଯ୍ୟକୁ ପ୍ରମାଣ କରିବାକୁ ଯାଇ ଆମେରିକାର ଏର୍ଣ୍ଣେଷ୍ଟାଇନ୍‌ ଶେଫର୍ଡ କେବଳ ଯୁବପିଢ଼ିଙ୍କୁ ମାତ୍‌ ଦେଇ ନାହାନ୍ତି, ସେମାନଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଛନ୍ତି। କିଶୋରାବସ୍ଥାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏଥିରେ ଭାଙ୍ଗି ନ ପଡ଼ି ପରବର୍ତ୍ତୀ ସମୟରେ ୭୧ ବର୍ଷ ବୟସରେ ଶେଫର୍ଡ ନିଜ ବଡିକୁ ମଜ୍‌ବୁତ କରି ବଡି ବିଲ୍ଡିଂ ଚାମ୍ପିଅନଶିପ୍‌ ଜିତିଥିଲେ। ଆଜି ୮୨ ବର୍ଷ ବୟସରେ ବି ଶେଫର୍ଡ ତାଙ୍କ ବଡିକୁ ମଜ୍‌ବୁତ ରଖି ପାରିଛନ୍ତି।

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ଆଣ୍ଠୁ
ଶେଫର୍ଡ ଯେତେବେଳେ ମାତ୍ର ୧୧ ବର୍ଷର ଥିଲେ, ସେତେବେଳେ ଏକ ଦୁର୍ଘଟଣାରେ ତାଙ୍କ ଆଣ୍ଠୁ ଭାଙ୍ଗି ଯାଇଥିଲା। ଅପରେସନ୍‌ ପରେ ତାଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇ ନ ଥିଲା। ଯେଉଁଥିପାଇଁ ତାଙ୍କ ଗୋଟିଏ ଗୋଡ଼ ଛୋଟ ଓ ଅନ୍ୟଟି ବଡ଼ ହୋଇଯାଇଥିଲା। ଡାକ୍ତର ତାଙ୍କୁ ବ୍ୟାୟାମ ନ କରିବା ଲାଗି ପରାମର୍ଶ ଦେଇଥିଲେ। ଯାହାଫଳରେ ସେ ତାଙ୍କ ଜୀବନ ଠିକ୍‌ରେ ଅତିବାହିତ ହୋଇପାରିବ। କିନ୍ତୁ ଶେଫର୍ଡ କାହାରି କଥା ଶୁଣି ନ ଥିଲେ।

ବେଢ଼ଙ୍ଗ ଶରୀରକୁ ଦେଖି ଆରମ୍ଭ କରିଥିଲେ ବ୍ୟାୟାମ
୫୦ ବର୍ଷ ଯାଏ ଶେଫର୍ଡଙ୍କ ଦୈନନ୍ଦିନ ଜୀବନଶୈଳୀ କେବଳ ଘର ପର୍ଯ୍ୟନ୍ତ ସୀମିତ ଥିଲା। ଏହାବ୍ୟତୀତ ସେ ଘର ବାହାରର କିଛି ବି କାମ କରୁ ନ ଥିଲେ। ଦିନେ ସେ ନିଜ ପତି ଓ ଭଉଣୀଙ୍କ ସହ ପିକ୍‌ନିକ୍‌ ଯାଇଥିଲେ। ସେଠାରେ ତାଙ୍କ ପତି କହିବାରୁ ସେ ଓ ତାଙ୍କ ଭଉଣୀ ସ୍ବିମିଂ ସୁଟ୍‌ ପିନ୍ଧିଥିଲେ। ଏହାପରେ ସେମାନେ ପରସ୍ପରକୁ ଦେଖିଲେ, ହସିବାରେ ଲାଗିଥିଲେ। କାରଣ ସେମାନଙ୍କ ଶରୀର ବହୁତ ଅଜବ ଦେଖାଯାଉଥିଲା। ସେହିଦିନ ଚର୍ଚ୍ଚକୁ ଯାଇ ସେମାନେ କେବେ ବି ବ୍ୟାୟାମ ଛାଡ଼ିବେ ନାହିଁ ବୋଲି ନିୟମ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ବ୍ୟାୟାମ କରିବାକୁ ସମସ୍ୟା ହେଉଥିଲା।

ଭଉଣୀ ମନେପକାଇ ଦେଇଥିଲେ ପ୍ରତିଜ୍ଞା
୧୯୯୨ ମସିହାରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ପରେ ଶେଫର୍ଡ ବହୁତ ନିରାଶ ହୋଇଯାଇଥିଲେ। ତେଣୁ ସେ ବ୍ୟାୟାମ କରିବା ଛାଡ଼ି ଦେଇଥିଲେ। ଦିନେ ରାତିରେ ତାଙ୍କ ଭଉଣୀ ସ୍ବପ୍ନରେ ଆସି ତାଙ୍କ ପ୍ରତିଜ୍ଞା ମନେପକାଇ ଦେଇଥିଲେ। ସେମାନେ ଚର୍ଚ୍ଚରେ କେବେ ବି ବ୍ୟାୟାମ ଛାଡ଼ିବେ ନାହିଁ ବୋଲି ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ତାଙ୍କ ଭଉଣୀ ସ୍ବପ୍ନରେ ମନେପକାଇ ଦେଇଥିବା ଶେଫର୍ଡ କହିଛନ୍ତି। ତାପରେ ଶେଫର୍ଡ ତାଙ୍କ ଭଉଣୀକୁ ମନେ ମନେ କହିଥିଲେ ଯେ ସେ କେବେ ବି ବ୍ୟାୟାମ ଛାଡ଼ିବେ ନାହିଁ।

ବୟସ ଏକ ନମ୍ବର ହୋଇଗଲା
୭୧ ବର୍ଷ ବୟସରେ ଶେଫର୍ଡ ଟ୍ରେନର ପାଖକୁ ଯାଇ ତାଲିମ୍‌ ନେବା ଆରମ୍ଭ କରି ଦେଇଥିଲେ। ସେ ପ୍ରତ୍ୟେକ ଦିନ ରାତି ଅଢ଼େଇଟାରୁ ଉଠି ୧୬ କିମି ଦୌଡ଼ନ୍ତି। ଏହାପରେ ଜିମ୍‌ ଯାଇଥାନ୍ତି। ଲଗାତର ୭ ମାସ ବ୍ୟାୟାମ କରିବା ପରେ ସେ ପ୍ରଥମ ଥର ପାଇଁ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବୟସ ବଢ଼ିବା ସହିତ ଶରୀର ଦୁର୍ବଳ ହୋଇଯାଏ ବୋଲି ଯେଉଁ ଧାରଣା ରହିଛି, ବଡି ବିଲ୍ଡି ପ୍ରତିଯୋଗିତା ଜିତିବା ପରେ ଶେଫର୍ଡ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରି ଦେଇଛନ୍ତି। ଶେଫର୍ଡ ପ୍ରମାଣ କରିଦେଲେ ଯେ ବୟସ କେବଳ ଏକ ନମ୍ବର। ଏବେ ଶେଫର୍ଡ ବୟସ୍କ ମହିଳାଙ୍କୁ ବଡି ବିଲ୍ଡିଂ ପ୍ରଶିକ୍ଷଣ ଦେଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ