ଓଡ଼ିଶାରେ ହୋଇନି ଅବାଧ ଓ ନିରପେକ୍ଷ ନିର୍ବାଚନ!

ଚଳିତ ନିର୍ବାଚନକୁ ନେଇ ହାଇକୋର୍ଟରେ ସର୍ବାଧିକ ୧୨ ମାମଲା

ଭୁବନେଶ୍ବର: ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାଇକୋର୍ଟରେ ଦାଏର ହୋଇଥିବା ୧୨ଟି ନିର୍ବାଚନୀ ମାମଲା ଏହାକୁ ପୁଷ୍ଟ କରୁଛି। ନିର୍ବାଚନୀ ଉଷ୍ମତା ଏବଂ ହାର୍‌ଜିତ୍‌କୁ ନେଇ କେବେଠୁ ଶେଷ ହେଲାଣି ମାନସମନ୍ଥନ। ଏବେ ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି, ତାହା ହେଉଛି ହାଇକୋର୍ଟରେ ପହଞ୍ଚୁଥିବା ନିର୍ବାଚନୀ ମାମଲା। ଦିନକୁ ଦିନ ହାଇକୋର୍ଟରେ ବଢ଼ିବାରେ ଲାଗିଛି ନିର୍ବାଚନୀ ମାମଲା। ଜଣକ ପରେ ଜଣେ ନେତାଙ୍କ ନାମରେ ଏହି ମାମଲା ରୁଜୁ ହେଉଛି। କିଏ ସତ୍ୟପାଠରେ ସତ୍ୟ ଲୁଚାଇଛି ତ ଆଉ କିଏ ସମ୍ପତ୍ତି ତାଲିକା ଦେଇନାହିଁ। ଏଥିସହ କାହା ନାମରେ ଏକାଧିକ ଅପରାଧିକ ମାମଲା ଥିଲେ ମଧ୍ୟ ସେ ଏହାକୁ ସର୍ବସାଧାରଣରେ ପ୍ରକାଶ କରିନାହିଁ। ଏପରିକି ଗୋଟିଏ ନିର୍ବାଚନମଣ୍ଡଳୀରେ ଭୋଟର୍‌ଙ୍କ ଠାରୁ ଅଧିକ ଭୋଟ୍‌ ଇଭିଏମ୍‌ରେ ପଡ଼ିଥିବା ନେଇ ଗଣତି ବେଳେ ଜଣାପଡ଼ିଛି। ଏମିତି ଅନେକ ଅଭିଯୋଗ ଆଣି ପରାଜିତ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାର ଖଟଖଟ କରିଛନ୍ତି। ଜାଲିଆତି କରି ନିର୍ବାଚନ ଜିତିଥିବା ନେତାଙ୍କୁ ଅଯୋଗ୍ୟ ଘୋଷିତ କରି ସେଠାରେ ସାନି ନିର୍ବଚାନ କରିବାକୁ ଦାବି କରିଛନ୍ତି ଆବେଦନକାରୀ। ୨୦୧୯ ସାଧାରଣ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ୧୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ମାମଲା ପହଞ୍ଚିଛି ହାଇକୋର୍ଟରେ। ପୂର୍ବରୁ କୌଣସି ନିର୍ବାଚନରେ ଏତେ ସଂଖ୍ୟକ ମାମଲା ହାଇକୋର୍ଟରେ ପହଞ୍ଚି ନ ଥିଲା। ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବାଲେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ବରୀ ବିଧାୟିକା ସୁନନ୍ଦା ଦାସ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି।

ସୂଚନାଯୋଗ୍ୟ, ରାଉରକେଲା ଆସନରୁ ନିର୍ବାଚିତ ହୋଇଥିବା ବିଜେଡି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ସାରଦା ନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ନିହାର ରାୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିହାର ରାୟ ସାରଦା ନାୟକଙ୍କଠାରୁ ପ୍ରାୟ ୧୦ ହଜାର ୪୬୦ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିଲେ। ନିହାର ରାୟଙ୍କ ଅଭିଯୋଗ ଅନୁଯାୟୀ, ସାରଦା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ କିଛି ତଥ୍ୟ ଲୁଚାଇଥିଲେ। ଲାଭଜନକ ପଦବୀରେ ରହିଥିଲେ ମଧ୍ୟ ଶାରଦା ନାୟକ ତାଙ୍କ ପ୍ରାର୍ଥିପତ୍ରରେ ଉଲ୍ଲେଖ କରି ନ ଥିଲେ ଏବଂ ତାଙ୍କ ଆୟର ବିବରଣୀ ମଧ୍ୟ ଦେଇ ନ ଥିବା ସେ କହିଛନ୍ତି। ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମରେ ନନ୍ଦିନ୍ଦୀ ଦେବୀ ବି ଏକ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦେଶ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ଅପରାଧିକ ପୃଷ୍ଠଭୂମି ଥିଲେ ୩ ଥର ଗଣମାଧ୍ୟମରେ ଜଣାଇବା ନେଇ ନିର୍ଦେଶ ଥିଲା। ତେବେ ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମିକୁ ନେଇ କିଛି ବି ଜଣାଇ ନ ଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩ ହଜାର ୫୩୧ ଖଣ୍ଡ ଭୋଟ୍‌ରେ  ପରାସ୍ତ କରିଥିଲେ।

ସେହିପରି ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ରୁଜୁ ହୋଇଛି। ବାଲେଶ୍ବରର ସହିରୁଲ ହକ୍‌ ନାମକ ଜନୈକ ଭୋଟର୍‌ ଏହି ମାମଲା ରୁଜୁ କରିଛନ୍ତି। ନାମାଙ୍କନ ସମୟରେ ଦାଖଲ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବାରୁ ଷଡ଼ଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି ଆବେଦନକାରୀ। ଆବେଦନକାରୀ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି, ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ନାମାଙ୍କନ ଦାଖଲବେଳେ ଦେଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ନୁହେଁ। ଏଥିରେ ସେ ଅନେକ ତଥ୍ୟ ପ୍ରଦାନ କରି ନହାନ୍ତି। ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା, ସମ୍ପତ୍ତି ଓ ଅନ୍ୟ କେତେକ ପ୍ରସଙ୍ଗରେ ସେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ସାଂସଦ ଭାବେ ଷଡ଼ଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସେହିପରି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଗତ ସାଧାରଣ ନିର୍ବାଚନ ସମୟରେ ମୋକିମ୍‌ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାମନ୍ତରାୟ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ମୋକିମଙ୍କ ବିରୋଧରେ ଯେଉଁସବୁ ଫୌଜଦାରୀ ମାମଲା ରହିଛି, ସେ ସବୁକୁ ସେ ସତ୍ୟପାଠରେ ଦର୍ଶାଇନାହାନ୍ତି। ଏପରି କି ସେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ତାଲିକା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ତେଣୁ ମୋକିମଙ୍କ ସତ୍ୟପାଠ ଅର୍ଦ୍ଧସତ୍ୟ ଉପରେ ପର୍ଯ୍ୟବସିତ। ନିର୍ବାଚନ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଯୋଗୁ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯିବା ସହିତ ବାରବାଟୀ-କଟକରେ ସାନି ନିର୍ବାଚନ କରିବାକୁ ସାମନ୍ତରାୟ ପିଟିସନରେ ନିବେଦନ କରିଛନ୍ତି। ଗତ ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ କଂଗ୍ରେସର ମହମ୍ମଦ ମୋକିମ ୫୦ ହଜାର ୧୯୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦେବାଶିଷ ସାମନ୍ତରାୟ ୪୬ ହଜାର ୩୬୭ ଖଣ୍ଡ ଭୋଟ୍‌ ପାଇଥିଲେ। ଦେବାଶିଷଙ୍କ ଠାରୁ ଅଧିକ ୩ ହଜାର ୮୨୮ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ ମୋକିମ୍‌।

ବରୀର ନବ ନିର୍ବାଚିତ ବିଧାୟିକା ସୁନନ୍ଦା ଦାସ ନିଜର ଅପରାଧିକ ତଥ୍ୟ ଲୁଚାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ। ଏଥିସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସାନି ନିର୍ବାଚନ ପାଇଁ ସେ ଆବେଦନ କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ସେହିପରି ରେମୁଣା ବିଧାନସଭା ଆସନକୁ ନେଇ ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ଦାଏର ହୋଇଛି। ପରାଜିତ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପକ୍ଷରୁ ଦାଏର ମାମଲାରେ ଦର୍ଶାଯାଇଛି ଯେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେଡିର ସୁଧାଂଶୁ ଶେଖର ପରିଡ଼ାଙ୍କ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛନ୍ତି। ସେ ତାଙ୍କ ସତ୍ୟପାଠରେ ସମ୍ପତ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ନୁହେଁ। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇ ନାହିଁ। ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥ୍ୟ ତଥା ତ୍ରୁଟିପୂର୍ଣ୍ଣ ନାମାଙ୍କନ ପତ୍ର ପାଇଁ ପରିଡ଼ାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସେ ଦାବି କରିଛନ୍ତି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବିଜେଡି ବିଧାୟକ ପ୍ରଭୁ ଜାନିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ପରାଜିତ କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା ଏକ ମାମଲା ରୁଜୁ କରିଛନ୍ତି। କୁଲେସିକାଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଜାଲିଆତି କରି ମାତ୍ର ୨୨୯ ଖଣ୍ଡ ଭୋଟ୍‌ରେ ତାଙ୍କୁ ପରାଜିତ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ବିଧାୟକ ପ୍ରଭୁ ଜାନି ଓ ଅନ୍ୟ କେତେକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ବେଆଇନ ଭାବେ ଗ୍ରହଣ କରାଯିବା ସହ ଭୋଟ୍‌ ଗ୍ରହଣ ଏବଂ ଗଣତି ବେଳେ ମଧ୍ୟ ଅନେକ ଅନିୟମିତତା ଓ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ହାଇକୋର୍ଟରେ ଆଉ ଏକ ନିର୍ବାଚନୀ ମାମଲା ଦାଏର ହୋଇଛି। ସେହିପରି ସୋର ବିଧାୟକଙ୍କ ନାମରେ ମାମଲା ଦାଏର କରିଛନ୍ତି ପରାଜିତ ପ୍ରାର୍ଥୀ। ବିଧାୟକ ପର୍ଶୁରାମ ଧଡ଼ାଙ୍କ ନାମରେ ପରାଜିତ ବିଜେପି ପ୍ରାର୍ଥୀ ରାକେଶ ମଲ୍ଲିକ ମାମଲା ଦାଏର କରିଛନ୍ତି। ବିଧାୟକଙ୍କ ଜାତିଗତ ତ୍ରୁଟି ନେଇ ମଲ୍ଲିକ ଏହି ମାମଲା ଦାଏର କରିଛନ୍ତି। ବିଧାୟକ ଧଡ଼ା ତଫସିଲଭୁକ୍ତ ଜାତି ବର୍ଗର ନୁହନ୍ତି ବୋଲି ମଲ୍ଲିକ କହିଛନ୍ତି। ପ୍ରକାଶ ଯେ, ସୋର ବିଧାନସଭା ଆସନ ତଫସିଲଭୁକ୍ତି ବର୍ଗଙ୍କ ପାଇଁ ସଂରକ୍ଷିତ।

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ଲଢ଼ିଥିବା ନେଇ ଅଭିଯୋଗ ହୋଇଛି। ନିର୍ବାଚନରେ ସେ ସ୍ବାଧୀନ ବିଧାୟକ ଭାବେ ବିଜୟୀ ମଧ୍ୟ ହୋଇଛନ୍ତି। ତେବେ ଏହା ବିରୋଧରେ ରାୟଗଡ଼ାର ଆର ହରିଶ ପଟ୍ଟନାୟକ ନାମକ ଜନୈକ ଯୁବକ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଝୋଡ଼ିଆ ସମ୍ପ୍ରଦାୟର। ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ। ଏଥିପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି। ହେଲେ ସେ କିଭଳି ଭାବେ ଆଦିବାସୀ ବୋଲି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବାଚନ ଲଢ଼ିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହ ବିଧାୟକ ମକରନ୍ଦ ଯେଉଁ ନୂତନ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି ତାହା କାଶୀପୁର ତହସିଲ କାର୍ଯ୍ୟାଳୟରେ ରଦ୍ଦ ହୋଇଥିବା ମଧ୍ୟ ସେ କହିଛନ୍ତି। ୧୯୯୯ ମସିହାର ପ୍ରମାଣ ପତ୍ର ସହ ପ୍ରାର୍ଥିପତ୍ର ସହ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ଯାହାକି ଗ୍ରହଣୀୟ ହେବା କଥା ନୁହଁ । ପ୍ରାର୍ଥିପତ୍ର ଠିକ୍ ଭାବେ ଯାଞ୍ଚ ହୋଇ ନ ଥିବା ଦ୍ବାରା ଏହିଭଳି ତ୍ରୁଟି ହୋଇଥିବା ହରିଶ କହିଛନ୍ତି। ତେଣୁ ରାୟଗଡ଼ା ବିଧାନସଭା କ୍ଷେତ୍ରର ନିର୍ବାଚନ ରଦ୍ଦ କରିବା ପାଇଁ ସେ ନିଜ ଅବେଦନରେ ଦର୍ଶାଇବା ସହିତ ଏହାର ତଦନ୍ତ ଦାବି କରିଛନ୍ତି।

ସେହିପରି କଣ୍ଟାବାଞ୍ଜି, ବୌଦ୍ଧ ଓ ପୋଲସରା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର ହୋଇଛି। କଣ୍ଟାବାଞ୍ଜି ଆସନରୁ ମାତ୍ର ୧୨୮ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦାଏର କରିଥିବା ନିର୍ବାଚନୀ ମାମଲାରେ କହିଛନ୍ତି, ନିର୍ବାଚନରେ ୧ ଲକ୍ଷ ୮୨ ହଜାର ୪୧୧ ମତଦାତା ମତ ସାବ୍ୟସ୍ତ କରିଥିବା ବେଳେ ଇଭିଏମ୍‌ରୁ ଆଉ ଅଧିକ ୮ ହଜାର ୬୬୬ଟି ଭୋଟ୍‌ ମିଳିଥିଲା। ଭୋଟ୍‌ ଗଣତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି କଣ୍ଟାବାଞ୍ଜି ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇଛନ୍ତି। କଣ୍ଟାବାଞ୍ଜିରୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବୌଦ୍ଧ ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ମଧ୍ୟ ଅନୁରୂପ ଭାବେ ବିଜେଡିର ପ୍ରଦୀପ୍ ଅମାତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ୍‌ ଗଣତି ସମୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସେ ଏହି ମାମଲା ରୁଜୁ କରିଛନ୍ତି। ୫ ହଜାର ଭୋଟ୍‌ ଗଣତି କରାଯାଇ ନାହିଁ। ୨୧ ମେ’ ୨୦୧୯ରେ ଗଣତି ପ୍ରସଙ୍ଗରେ ନିର୍ବାଚନ କମିଶନ ଜାରି କରିଥିବା ନିର୍ଦେଶନାମାର ବୈଧତାକୁ ଏହି ମାମଲାରେ ଚାଲେଞ୍ଜ କରାଯାଇଛି। ଅନ୍ୟ ଏକ ମାମଲାରେ ପୋଲସରା ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନକୁ ଚାଲେଞ୍ଜ କରିଛନ୍ତି। ସାହୁ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରେ ସତ୍ୟପାଠରେ ଦେଇଥିବା ତଥ୍ୟ ଠିକ୍ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ