ଆମର ମୁଡ୍‌ ଅପ୍‌ବିଟ୍‌, ଆମେ ଦୃଢ଼ନିଶ୍ଚିତ: କୋହଲି


ଲଣ୍ଡନ: ଆଜି ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ମାଞ୍ଚେଷ୍ଟର ଠାରେ ଭାରତ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟିମ୍‌ର ପ୍ଲେଇଂ କମ୍ବିନେସନ ଓ ମୁଡ୍‌ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ ଭାରତୀୟ ଖେଳାଳିମାନଙ୍କର ମୁଡ୍‌ ବେଶ୍ ଅପ୍‌ବିଟ୍‌ ରହିଛି। ଏଥିସହ ପୂରା ଦଳ ଏହି ସେମିଫାଇନାଲ ମ୍ୟାଚକୁ ନେଇ ଦୃଢ଼ନିଶ୍ଚିତ ମଧ୍ୟ ରହିଛି। ଲିଗ ମ୍ୟାଚ ଠାରୁ ଏହି ନକଆଉଟ ମ୍ୟାଚ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଏବଂ ଏଥିରେ ଭୁଲ୍‌ର କୌଣସି ସୁଯୋଗ ନାହିଁ ବୋଲି କୋହଲି ସୂଚାଇଛନ୍ତି।

କୋହଲି ଆହୁରି କହିଛନ୍ତି ଯେ ବିଶ୍ବକପରେ ଭାଗ ନେଉଥିବା ସବୁ ଦଳ କଠିନ ପରିଶ୍ରମ କରି ଆଗକୁ ବଢ଼ିବା ପାଇଁ ପ୍ରୟାସ କରିଛନ୍ତି। ତେବେ ନକଆଉଟ ଷ୍ଟେଜରେ ପହଞ୍ଚିଲା ପରେ ମାହୋଲ ଯେପରି ଭିନ୍ନ ହୋଇଥାଏ, ଦଳକୁ ମଧ୍ୟ ସେପରି ଭାବେ ଭିନ୍ନ ପ୍ରସ୍ତୁତି ଓ ମାଇଣ୍ଡସେଟ୍‌ରେ ଖେଳିବାକୁ ପଡ଼ିଥାଏ। ଏହି ନିର୍ଦ୍ଦିଷ୍ଟ ଦିନ ଯେଉଁ ଦଳ ସାମଗ୍ରିକ ଭାବେ ଭଲ ପ୍ରଦର୍ଶନ କରେ, ସେ ହିଁ ବିଜୟୀ ହୋଇଥାଏ। ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ଲିଗ ମ୍ୟାଚ ଗୁଡ଼ିକ ତୁଳନାରେ ଏଭଳି ନକଆଉଟ ମ୍ୟାଚ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହୋଇଥାଏ। କାରଣ ଲଗି ଷ୍ଟେଜରେ ପରୀକ୍ଷାନିରୀକ୍ଷା କରିବାର ସୁଯୋଗ ରହିଥାଏ। କିନ୍ତୁ ନକଆଉଟ ମ୍ୟାଚରେ ନିୟନ୍ତ୍ରଣ ସହକାରେ ଯାହା ନିଶ୍ଚିତ ରୂପେ ଫଳପ୍ରଦ ହେବ, ସେଭଳି ଯୋଜନାକୁ ଆପଣାଇବାକୁ ପଡ଼ିଥାଏ ବୋଲି କୋହଲି କହିଛନ୍ତି।

ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଦଳ ସପକ୍ଷରେ କହିବାକୁ ଯାଇ କୋହଲି କହିଛନ୍ତି ଯେ ଏହା ବେଶ୍‌ ଶକ୍ତିଶାଳୀ ଦଳ। ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ବେଶ୍‌ ଅଭିଞ। ଏଣୁ ସେମିଫାଇନାଲ ସ୍ତରରେ ଖେଳିବା ବେଳେ ଯୋଜନାବଦ୍ଧ ଭାବେ ମାପଚୁପ ରଣନୀତି ଅବଲମ୍ବନ କରି ଖେଳିବାକୁ ପଡ଼ିବ। କୋହଲି ତାଙ୍କ ରଣନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଯଦି ଓପନରଙ୍କ ପ୍ରଦର୍ଶନ ଭଲ ରହିବା ସହ ପ୍ରାରମ୍ଭିକ ଯୋଡ଼ିରେ ଭଲ ଭାଗିଦାରି ହୁଏ, ତେବେ ନମ୍ବର ୩ ସ୍ଥାନରେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନଙ୍କୁ ସୁଯୋଗ ଦିଆଯାଇ ପାରିବ। କୋହିଲିଙ୍କ ଏଭଳି ସୂଚନା ଅତୀତରେ ପିଞ୍ଚ ହିଟର ଭାବେ ବ୍ୟବହୃତ ହେଉଥିବା ନମ୍ବର ୩ ଖେଳାଳି ଆଡ଼କୁ ଇଙ୍ଗିତ ପ୍ରଦାନ କରୁଛି। ଏଥିସହ ସେ ଆହୁରି କହିଛନ୍ତି ଯେ ଚଳିତ ବିଶ୍ବକପରେ ଭାରତର ବୋଲିଂ ବିଭାଗ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଛି। ଏପରିକି ଲୋ ସ୍କୋରିଂ ମ୍ୟାଚରେ ମଧ୍ୟ ଭାରତୀୟ ବୋଲରମାନେ ଦଳକୁ ବିଜୟ ଧାରାକୁ ଫେରାଇ ପାରିଛନ୍ତି। ଏଣୁ ସେମିଫାଇନାଲ ସ୍ତରରେ ଶତ ପ୍ରତିଶତ କରେକ୍ଟ କ୍ରିକେଟ ଖେଳିବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ