ଜମୁଛି ପାଟକୁରା ପାଲା: ବିଜେଡି-ବିଜେପି ଶତ୍ରୁ ନା ମିତ୍ର?

ସାଧାରଣ ନିର୍ବାଚନ ପରର ପରିବର୍ତ୍ତିତ ସମୀକରଣ ବଢ଼ାଇଛି ଉତ୍କଣ୍ଠା

ଭୁବନେଶ୍ବର: ଗତ ଦୁଇ ମାସ ଧରି ଲାଗିଥିବା ଚର୍ଚ୍ଚାର ଅବସାନ ଘଟିଛି। ପାଟକୁରା ପାଇଁ ବାଜିଛି ରଣଦୁନ୍ଦୁଭି। ମଇଦାନରେ ହେବ ଲଢେଇ। ବହୁଚର୍ଚ୍ଚିତ ପାଟକୁରା ଆସନରେ ହେବ ନିର୍ବାଚନ। ତାରିଖ ଘୋଷଣା ପରେ ପ୍ରାର୍ଥୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଓ ଉତ୍କଣ୍ଠା ରହିଛି, ତା’ଠାରୁ କେତେ ଗୁଣ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି ଭୋଟର୍‌। ଦୀର୍ଘ ଦିନର ବିରାମ ପରେ ତୃତୀୟ ଥର ପାଇଁ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କେନ୍ଦ୍ରାପଡ଼ା ରାଜନୀତି ପୁଣି ସରଗରମ୍‍ ହେବା ସହ ଅପେକ୍ଷାରତ ପ୍ରାର୍ଥୀଙ୍କ ଭିତରେ ଜୋଶ୍‌ ଭରିଛି। ପାଟକୁରା ବିଜେଡିର ଥିଲା ଓ ରହିବ ବୋଲି ଏହି ଦଳର ନେତାମାନେ ଆଶାବ୍ୟକ୍ତ କରୁଥିବା ବେଳେ କଂଗ୍ରେସ ଓ ବିଜେପି ବି ଏହି ଆସନ ଅକ୍ତିଆର କରିବେ ବୋଲି ଦାବି କରୁଛନ୍ତି। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ଭିତରେ ଥିବା ସମ୍ପର୍କ ମଧୁରରୁ ଅତି ମଧୁର ହେଉଥିବାରୁ ପାଟକୁରା ଲଢ଼େଇ କେତେ ଜମିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ କଂଗ୍ରେସ ଏହାକୁ କଟାକ୍ଷ କରି ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଛି। ଏପରି ଗୋଳିଆ ନିର୍ବାଚନୀ ବାତାବରଣରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଜିଦ୍‌ରେ ଅଟଳ ରହି ବିଜେପି ନେତା ବିଜୟ ମହାପାତ୍ରଙ୍କ ବାଟ ଓଗାଳୁଛନ୍ତି ନା ପରିବର୍ତ୍ତିତ ରାଜନୈତିକ ସମୀକରଣ ଅନୁଯାୟୀ ତାଙ୍କୁ ବାଟ ଛାଡ଼ୁଛନ୍ତି, ତାହା ସଭିଁଙ୍କ ଅପେକ୍ଷା। ଅପରପେକ୍ଷ ପାଟକୁରା ନିର୍ବାଚନରେ ଏବେ ବିଜେଡି ବିଜେପିର ଅସଲରେ ଶତ୍ରୁ ନା ମିତ୍ର ଏହା ମଧ୍ୟ ପ୍ରମାଣିତ ହେବାକୁ ଯାଉଛି। କିନ୍ତୁ ଏହାକୁ ନେଇ ପାଟକୁରା ଭୋଟର ତଥା ରାଜ୍ୟବାସୀଙ୍କର ନାହିଁ ନ ଥିବା ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ସମ୍ପର୍କରେ ମଧୁରତା ପକାଇବ ଫରକ କି ?
ପାଟକୁରା ବିଧାନସଭା ପାଇଁ ତାରିଖ ବାରମ୍ବାର ଘୁଞ୍ଚିଥିଲେ ବି ନେତା କିନ୍ତୁ ପାଟକୁରା ଛାଡ଼ି ନ ଥିଲେ। ସମ୍ମାନ ଓ ସ୍ବାଭିମାନର ଲଢ଼େଇ ପାଇଁ ବିଜେଡି ଓ ବିଜେପିର ନେତାଏ ପାଟକୁରରେ ଡେରା ପକାଇଥିଲେ। ପାଟକୁରାରେ ବିଜେଡି ତା’ର ଗଡ଼ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ରଣନୀତି କରିଥିବା ବେଳେ ବିଜୟ ମହାପାତ୍ର ବିଜେଡି ହାତରୁ ପାଟକୁରାକୁ ଛଡ଼ାଇ ନେବା ପାଇଁ ସ୍ବାଭିମାନ କାର୍ଡ ଖେଳୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେଡି–ବିଜେପି ମଧ୍ୟରେ ନୂଆ ସମୀକରଣ ନେଇ ଚର୍ଚ୍ଚା ଚାଲିଛି। ସହଯୋଗ ଭିତ୍ତିକ ରାଜନୀତିରେ ଉଭୟ ଦଳ ଏବେ ପରସ୍ପର ଉପରେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି। ଫଳରେ କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ଦୂରତା କମିବାର ବାରମ୍ବାର ଉଦାହରଣମାନ ସୃଷ୍ଟି ହେଉଛି। ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ହେଉ କି ସଂସଦରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଦାବି କରିବା ଏବଂ ପରିଶେଷରେ ସର୍ବଦା କେନ୍ଦ୍ର ବଜେଟ୍‌କୁ ନୈରାଶ୍ୟଜନକ କହୁଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ଚଳିତ ବଜେଟ୍‌କୁ ପ୍ରଶଂସା କରିବା ହେଉ, ବିଜେଡି-ବିଜେପି ଏକ ନୂଆ ସମୀକରଣରେ ଅଗ୍ରସର ହେଉଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଛି। ଏତିକିବେଳେ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଦୁଇ ଦଳକୁ ଛିଗୁଲାଇ ଉଭୟ ଗୋଟିଏ କଏନ୍‌ର ହେଡ୍ ଓ ଟେଲ୍ ବୋଲି କହିବାକୁ ପଛାଇ ନାହିଁ।

ଭୋଟ୍‌ ପାଇଁ ୩ ଦଳଙ୍କ ସମରସଜ୍ଜା
ଭୋଟ୍‌ ପାଇଁ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ଏପଟେ ତିନିଦଳ ପକ୍ଷରୁ ରଣନୀତି ଅନୁସାରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ବିଜେପି ତିନି ଜଣ ବରିଷ୍ଠ ନେତାଙ୍କୁ ନେଇ ଏକ ୬୦ ଜଣିଆ ଟିମ୍‌ ଗଠନ କରିଥିବା ବେଳେ ବିଜେଡି ସ୍ଥାନୀୟ ବିଧାୟକ ସମେତ ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ୩୦ଟି ଟିମ୍‌ ଗଠନ କରିଛି। ମାତ୍ର ବିଜେଡି ଓ ବିଜେପି ଭିତରେ ହୋଇଥିବା ସଲାସୁତୁରାକୁ ଆଧାର କରି କଂଗ୍ରେସ ପ୍ରଚାର କରିବ ବୋଲି ଜଣାପଡ଼ିଛି। ବିଜେଡି ତା’ର ବିଭିନ୍ନ ନେତା ଓ ବିଧାୟକଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛି। ଓ୍ବାର୍ଡ ଓ୍ବାରି ମନ୍ତ୍ରୀ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବିଜେଡିର ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତା’ସହ ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ବିଭିନ୍ନ ବ୍ଲକ୍‌ ଓ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି। ଏଥିସହ ବଳଦେବ ଜୀଉ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ସହାୟତା  ଘୋଷଣା କରିଛନ୍ତି, କେନ୍ଦ୍ରାପଡ଼ାକୁ ରେଳ ସଂଯୋଗର ସମୀକ୍ଷା ବି କରିଛନ୍ତି। ବିଜେଡି କେନ୍ଦ୍ରାପଡ଼ାକୁ ଫୋକସ୍‌ ଦେଉଥିବା ବାର୍ତ୍ତା ଦେଉଛି। ଏଭଳି ପରିସ୍ଥିତିରେ ଚ୍ୟାଲେଞ୍ଜ ଏବେ ବିଜେପି ପାଇଁ ବଢ଼ି ଚାଲିଛି। ସେହିପରି ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ର ସ୍ବାଭିମାନର ଲଢ଼େଇ ଲଢ଼ୁଛନ୍ତି। ସେଥିପାଇଁ କେଭି ସିଂହ ଦେଓ, ଭୃଗୁ ବକ୍ସିପାତ୍ର ଏବଂ ମୋନମୋହନ ସାମଲଙ୍କୁ ନେଇ ବିଜେପି ୬୦ ଜଣିଆ ଟିମ୍‌ ଗଠନ କରିଛି। ଏପଟେ ବିଜେଡି ବିଜେପିର ଭିତିରି ବୁଝମଣାକୁ ନେଇ କଂଗ୍ରେସ ଗୋଟି ଚଳାଇବାକୁ ଯୋଜନା କରିଛି। ଏ ପରିପ୍ରେକ୍ଷୀରେ ୧୯୭୧ରୁ ବିଜୁ ଲିଗାସୀର ଗଡ଼ ଭାବେ ଜଣାଶୁଣା ପାଟକୁରାକୁ ବିଜେଡି ପୁଣି ନିଜ ଅକ୍ତିଆରରେ ରଖିବାକୁ ନିରନ୍ତର ଉଦ୍ୟମ ଚଳାଉଥିବା ବେଳେ ବିଜେପି ଓ କଂଗ୍ରେସ ବି ଆଶାବାଦୀ ଅଛନ୍ତି।

କ’ଣ ପାଇଁ ସ୍ଥଗିତ ହୋଇଥିଲା ନିର୍ବାଚନ
ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ସାଧାରଣ ନିର୍ବାଚନ ସୟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୬ଟି ଲୋକସଭା ସହିତ ପାଟକୁରା ଓ ଅନ୍ୟ ୪୧ଟି ବିଧାନସଭା ଆସନ ଲାଗି ଏପ୍ରିଲ୍‍ ୨୯ ତାରିଖରେ ଭୋଟ୍‍ ଗ୍ରହଣ ହେବାର ଥିଲା। ଏହି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି ପରେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ ହୋଇଥିଲା। ତେବେ ପାଟକୁରାର ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିବାରୁ ଏଠାରେ ନିର୍ବାଚନ ୨୯ ଏପ୍ରିଲ୍‌ରେ ହୋଇପାରି ନ ଥିଲା। ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ବିଜ୍ଞପ୍ତି ଆଧାରରେ ବିଜେଡି ପ୍ରାର୍ଥୀ ଭାବେ ବେଦ ପ୍ରକାଶଙ୍କ ସ୍ଥାନରେ ତାଙ୍କ ପତ୍ନୀ ସାବ୍ରିତୀ ଦେବୀ ଅଗ୍ରୱାଲ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମେ’ ୨୩ର ଭୋଟ୍‌ ଗଣତି ପୂର୍ବରୁ କେବଳ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ ତାରିଖରେ ଭୋଟ୍‌ ଗ୍ରହଣ ଲାଗି କମିଶନ ଦିନ ଧାର୍ଯ୍ୟ କରିଥିଲେ। ତେବେ ମେ’ ୩ ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାରେ ତାଣ୍ଡବ ରଚନା କରିବାରୁ ପାଟକୁରା ବିଧାନସଭା ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଏବେ ତୃତୀୟ ଥର ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଏଠାରେ ମତଗ୍ରହଣ କରାଯିବ। କେନ୍ଦ୍ରାପଡ଼ା ଲୋକସଭା ଆସନ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ଥିଲା। ନିର୍ବାଚନୀ ପଣ୍ଡିତମାନଙ୍କ ସମସ୍ତ ଆକଳନକୁ ଭୁଲ୍‍ ପ୍ରମାଣିତ କରି ବିଜେଡି ପୁଣିଥରେ ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ କବ୍‍ଜା କରିବା ସହିତ ପାଟକୁରା ସମେତ ୭ଟି ଯାକ ବିଧାନସଭା କ୍ଷେତ୍ରରେ ଅଧିକ ଭୋଟ୍‍ ପାଇଥିଲା। ଇତିମଧ୍ୟରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ପୁଣି ବିଜେଡି ସରକାର ଗଠିତ ହୋଇଛି ଏବଂ ଉଭୟଙ୍କ ସମ୍ପର୍କରେ ମଧ୍ୟ ମଧୁରତା ଆସିଛି। ଏହାର ପ୍ରଭାବ ପାଟକୁରା ନିର୍ବାଚନରେ ପଡ଼ିବ କି ନାହିଁ, ତାହା ଆସନ୍ତା ୨୪ ତାରିଖ ଭୋଟ୍‌ ଗଣତିରୁ ସ୍ପଷ୍ଟ ହେବ।

ହେବ କି ଅନୁକମ୍ପା ଲଢ଼େଇ ?

ପାଟକୁରା ଏଥର ଦେଖିବାକୁ ଯାଉଛି ଅନୁକମ୍ପାର ଲଢ଼େଇ। ଯାହା ଖାତାକୁ ଅଧିକ ଅନୁକମ୍ପା ଭୋଟ୍ ଯିବ, ତାଙ୍କ ଜିତାପଟ ଏକ ପ୍ରକାର ସ୍ପଷ୍ଟ। ପାଟକୁରା ଉପନିର୍ବାଚନରେ ଏଥର ମୁଖ୍ୟ ଅସ୍ତ୍ର ସାଜିପାରେ ଅନୁକମ୍ପା। ଏଭଳି କିଛି ଗଣିତ ରାଜନୈତିକ ବିଶାରଦମାନେ କଷୁଛନ୍ତି। ସୁତରାଂ ଅନୁକମ୍ପା ହାତେଇବାକୁ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଗଲାଣି। କଳେ ବଳେ କୌଶଳେ ପାଟକୁରା ଦଖଲ ଲାଗି ଦୁଇ ଦଳ ସେମାନଙ୍କ ରଣନୀତି ଆପଣାଇଛନ୍ତି। ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରେ ଦଳ ଏଠାରେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗୱାଲଙ୍କୁ ପ୍ରାର୍ଥୀ କରିଛି। ସ୍ୱାମୀଙ୍କ ଦେହାନ୍ତର ଖୁବ୍ କମ୍ ସମୟ ମଧ୍ୟରେ ନିର୍ବାଚନ ହେବାର ଥିବାରୁ ସ୍ୱାଭାବିକ ଭାବେ ସାବିତ୍ରୀଙ୍କ ଖାତାକୁ ଅନୁକମ୍ପା ଭୋଟ୍ ଅଧିକ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ଦଳର ସାଂଗଠନିକ ସ୍ଥିତି ମଧ୍ୟ ସୁଦୃଢ଼ ରହିଛି। ବେଦ ପ୍ରକାଶ ଲଗାତାର ଦୁଇଥର ଏହି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ। ସେହିପରି ଗତ ନିର୍ବାଚନରେ ଲୋକସଭା ଆସନ ସମେତ ୬ଟି ଯାକ ବିଧାନସଭା ଆସନକୁ ମଧ୍ୟ ଦଳ କବ୍‌ଜା କରିଛି। ଅନ୍ୟପକ୍ଷରେ ରାଜ୍ୟରେ ବିଜେଡି ନେତୃତ୍ୱରେ ସରକାର ମଧ୍ୟ ଗଠନ ହୋଇଛି। ତେଣୁ ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ପଲ୍ଲା ଭାରି ରହିଛି କହିଲେ ଅତ୍ୟୁକ୍ତି ହେବନି।

ଅନ୍ୟପକ୍ଷରେ ପାଟକୁରାରେ ଲଗାତାର ପରାଜୟର ମୁହଁ ଦେଖି ଆସୁଛନ୍ତି ବିଜେପିର ହେଭିୱେଟ୍ ପ୍ରାର୍ଥୀ ବିଜୟ ମହାପାତ୍ର। ୨୦୦୦ ମସିହା ପରଠାରୁ ବିଜୟ ବିଧାନସଭାକୁ ନିର୍ବାଚିତ ହୋଇପାରିନାହାନ୍ତି। କ୍ରମାଗତ ଭାବେ ନିର୍ବାଚନ ଲଢ଼ି ବିଜୟ ଏଠାରୁ ପରାଜିତ ହୋଇଆସୁଛନ୍ତି। ତେଣୁ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୟଙ୍କ ଆଡ଼କୁ କିଛି ଅନୁକମ୍ପା ଭୋଟ୍ ଯାଇପାରେ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ବିଜୟ ନିଜେ ମଧ୍ୟ ଆତ୍ମବିଶ୍ୱାସର ସହ କର୍ମଭୂମି ପାଟକୁରାରୁ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ଅଛନ୍ତି। କାରଣ ବିଜୟ ପୂର୍ବରୁ ପାଟକୁରାରୁ ୪ ଥର ନିର୍ବାଚିତ ହୋଇସାରିଥିବାବେଳେ ସେଠାରେ ତାଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ୍ ରହିଛି। ରାଜନୈତିକ ପଣ୍ଡିତଙ୍କ ମତ ଅନୁସାରେ ଯଦି ପାଟକୁରା ନିର୍ବାଚନ ଏଥର ଘୁଞ୍ଚି ନ ଥାନ୍ତା, ତାହେଲେ ବିଜୟଙ୍କୁ ଏଥର ପାଟକୁରାବାସୀ ନିଶ୍ଚିତ ବିଜୟର ସ୍ୱାଦ ଚଖାଇଥାନ୍ତେ। ବିଜୟଙ୍କୁ ରୋକିବାରେ ଶାସକ ଦଳ ଏଥର ଫେଲ୍ ମାରିଥାନ୍ତା। ହେଲେ ନିର୍ବାଚନ ଘୁଞ୍ଚିବା ପରେ ପୂରା ସମୀକରଣ ବଦଳିଯାଇଛି। ଶାସକ ଦଳକୁ ପରାଜିତ କରିବା ପ୍ରତିପକ୍ଷଙ୍କୁ କାଠିକର ପାଠ ହେବ। ଏହାସହ ଦିବଂଗତ ନେତା ବେଦ ପ୍ରକାଶଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଖାତାକୁ ମଧ୍ୟ ଅଧିକ ଅନୁକମ୍ପା ଭୋଟ୍ ଯାଇପାରେ। ସୁତରାଂ ବିଜୟ ମହାପାତ୍ରଙ୍କୁ ଏଥର ବି କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି।

ଏହା ପୂର୍ବରୁ ପାଟକୁରା ବିଧାନସଭାର କ’ଣ ଥିଲା ସ୍ଥିତି
୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ୩ଟି ନିର୍ବାଚନରେ ପାଟକୁରା ଆସନ କଂଗ୍ରେସ କବ୍‍ଜାରେ ଥିଲା। ତେବେ ୧୯୬୭ରେ କଂଗ୍ରେସ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କୁ ହରାଇ ଏଠାରୁ ପ୍ରଜା ସୋସାଲିଷ୍ଟ ପ୍ରାର୍ଥୀ ଚକ୍ରଧର ଶତପଥୀ ନିର୍ବାଚନ ଜିତିଥିଲେ। ପରବର୍ତ୍ତୀ ସମୟରେ ୧୯୭୧ ଓ ୧୯୭୪ର ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସର ପ୍ରାର୍ଥୀ ରାଜକିଶୋର ନାୟକ ଏଠାରୁ ଚକ୍ରଧର ଶତପଥୀଙ୍କୁ ହରାଇ ବିଧାୟକ ହୋଇଥିଲେ। ୧୯୭୭ରେ ବି ଶତପଥୀ ଜନତା ପାର୍ଟି ପ୍ରାର୍ଥୀ ପ୍ରହଲ୍ଲାଦ ମଲ୍ଲିକଙ୍କ ଠାରୁ ହାରିଥିଲେ। ୧୯୮୦ ନିର୍ବାଚନରେ ବିଜୁ ପଟ୍ଟନାୟକ ଉଭୟ ପାଟକୁରା ବିଧାନସଭା ଓ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିଣିଥିଲେ। ବିଜୁ ବାବୁ ଲୋକସଭା ଆସନ ରଖି ବିଧାନସଭା ଆସନ ଛାଡ଼ିବାରୁ ଏଠାରେ ଉପନିର୍ବାଚନ ହୋଇଥିଲା ଓ ସେତେବେଳେ ଜନତା ପାର୍ଟି ପ୍ରାର୍ଥୀ ଭାବେ ବିଜୟ ମହାପାତ୍ର ଏଠାରୁ ଜିଣିଥିଲେ। ବିଜୟ ପରବର୍ତ୍ତୀ ୩ଟି ନିର୍ବାଚନରେ ପାଟକୁରାରୁ ବିଜୟୀ ହୋଇଥିଲେ ମଧ୍ୟ ୨୦୦୦ରୁ ଏଯାବତ୍‍ ୧୯ ବର୍ଷ ଧରି ଆଉ ନିର୍ବାଚନ ଜିତି ପାରୁନାହାନ୍ତି।

୨୦୦୪ରେ ବିଜୟଙ୍କୁ ହରାଇ ଏଠାରୁ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ବିଧାୟକ ହୋଇଥିଲେ। ଅତନୁ ହେଉଛନ୍ତି ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୁତ୍ର। ୨୦୦୯ ନିର୍ବାଚନରେ ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ ବିଜୟଙ୍କୁ ୨୬ ହଜାରରୁ ଅଧିକ ଭୋଟ୍‍ ବ୍ୟବଧାନରେ ହରାଇଥିଲେ। ୨୦୧୪ ନିର୍ବାଚନରେ ପାଟକୁରାରୁ ପୁଣିଥରେ ବିଜେଡି ପ୍ରାର୍ଥୀ ଭାବେ ବେଦପ୍ରକାଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀଙ୍କୁ ପାଖାପାଖି ୪୮ ହଜାର ଭୋଟ୍‍ ବ୍ୟବଧାନରେ ହରାଇଥିବା ବେଳେ ଏଠାରେ ବିଜେପି ତୃତୀୟ ସ୍ଥାନକୁ ଖସି ଯାଇଥିଲା। ୨୦୧୪ରେ ବିଜୟ ନିର୍ବାଚନମଣ୍ଡଳୀ ବଦଳାଇ ମହାକାଳପଡ଼ାରୁ ଲଢ଼ି ପୁଣିଥରେ ବିଜେଡି ପ୍ରାର୍ଥୀ ଅତନୁଙ୍କ ଠାରୁ ୨୩ ହଜାରରୁ ଅଧିକ ଭୋଟ୍‍ ବ୍ୟବଧାନରେ ହାରିଥିଲେ।

କଂଗ୍ରେସ ପାଇଁ ଅପେକ୍ଷା କରିଛି କି ଆଉ ଏକ ପରାଜୟ?
ପାଟକୁରା ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ଜୋର୍‌ଦାର୍‌ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଶିବିରରେ ସେଭଳି ବେଶ୍‌ କିଛି ଉତ୍ସାହ ଦେଖିବାକୁ ମିଳୁନାହିଁ। ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପାଟକୁରାରେ ଆଉ ଏକ ପରାଜୟ ଦଳକୁ ଅପେକ୍ଷା କରିଥିବା ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଦଳର ବରିଷ୍ଠ ନେତା ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ଉଠାଇଛନ୍ତି। ଏସବୁ ସତ୍ତ୍ବେ ପାଟକୁରାରେ ଦଳ କେମିତି ଭୋଟର୍‌ଙ୍କୁ ସାମ୍ନା କରିବ, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ପାଟକୁରାର ଇତିହାସକୁ ଦେଖାଯାଏ, ତେବେ ୧୯୫୭ ପରଠାରୁ କଂଗ୍ରେସର ଏଠାରେ  ଦବ୍‌ଦବା ନାହିଁ କି ଦଳ ଗୋଟିଏ ବି ନିର୍ବାଚନ ଜିତି ନାହିଁ। କଂଗ୍ରେସ ପକ୍ଷରୁ ପୁଣି ଥରେ ଜୟନ୍ତ ମହାନ୍ତିଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ୨୦୧୪ରେ ସେ ଏଠାରୁ ଲଢ଼ି ହାରିଥିଲେ। ସେହି ନିର୍ବାଚନରେ ଜୟନ୍ତ ୪୨୩୧୮ ଭୋଟ୍‌ ପାଇଥିବା ବେଳେ ବେଦ ପ୍ରକାଶ ଅଗ୍ରୱାଲ ୮୯୮୫୩ ଭୋଟ୍‌ ପାଇଥିଲେ। ତେବେ ଏଥର ଦଳ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ବି ଆରମ୍ଭ ହୋଇନାହିଁ। ବିଜେଡି ଓ ବିଜେପିର ବରିଷ୍ଠ ନେତା ପାଟକୁରାରେ ଡେରା ପକାଇଥିବା ବେଳେ କଂଗ୍ରେସର କେହି ଦେଖା ନାହାନ୍ତି। ଏହି ପରିସ୍ଥିତିରେ କଂଗ୍ରେସ ତୃତୀୟ ସ୍ଥାନକୁ ଚାଲିଯିବା ସ୍ପଷ୍ଟ ସଙ୍କେତ ମିଳୁଛି।

୩୦୯ଟି ବୁଥ୍‌ରେ ୨ଲକ୍ଷ ୪୪ ହଜାର ୭୪୭ ଭୋଟର୍‌

ନିର୍ବାଚନର ତାରିଖ ଘୋଷଣା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରେ ବସିଛି ସର୍ବଦଳୀୟ ବୈଠକ। ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହେବା ସହ ଆଦର୍ଶ ଆଚରଣ ବିଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଏଥିସହ ଜିଲ୍ଲାରେ ଲାଗିଥିବା ସବୁ ଦଳର ହୋର୍ଡ଼ିଂ ହଟାଇଦେବା ଓ ସଭା ସମିତି ପାଇଁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ପୂର୍ବ ଅନୁମତି ନେବା ସମ୍ପର୍କରେ ଆଲୋଚନା ହୋଇଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ, ସର୍ଭେଲାନସ୍‌ ଟିମ୍ ଗଠିତ ହୋଇଛି। ପାଟକୁରା ନିର୍ବାଚନମଣ୍ଡଳୀରେ ମୋଟ୍‌ ୩୦୯ଟି ବୁଥ୍‌ ଥିବା ବେଳେ ଇଭିଏମ୍ ଓ ଭିଭିପ୍ୟାଟ୍‌ ପ୍ରସ୍ତୁତ ହୋଇ ରହିଛି। ପୁଣି ଥରେ ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ପାଟକୁରା ନିର୍ବାଚନମଣ୍ଡଳୀ। ନିର୍ବାଚନକୁ ନେଇ ଚା’ଖଟି ରୁ ବଜାର ଘାଟ ସବୁ ଆଡ଼େ ଚର୍ଚ୍ଚା। କିଏ ଜିତିବ, କିଏ ହାରିବ, କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ, ଏ ନେଇ ଏବେ  ଚାଲିଛି ଆଲୋଚନା। ଏଠାରେ  ପ୍ରମୁଖ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହେବ ମୁହାଁମୁହିଁ ଲଢେଇ। ତେବେ ଏଠାରେ  ତିନି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ ହଜାର ୭୪୭ ଜଣ ଭୋଟର୍‌। ଏଥିପାଇଁ ୩୦୯ଟି  ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ। ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକ୍‌ର ଭୋଟର୍‌ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଲେଣି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।