ବିଜେଡିର ପୋଲାଭରମ ପାଲା: ଫସର ଫାଟିଲା ଫନ୍ଦି

ବିରୋଧ ସତ୍ତ୍ବେ ବଢ଼ିଲା ନିର୍ମାଣ ମିଆଦ, ତଥାପି ଓଡ଼ିଶା ସରକାର ଚୁପ୍‌

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ସରକାର ନିକଟ ଅତୀତରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ ହେଁ ବର୍ତ୍ତମାନର ଚୁପ୍‌କୀ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପ୍ରକଳ୍ପର ସ୍ଥଗିତାଦେଶ ପାଇଁ ରାଜ୍ୟ ସରକାର ଜୋର୍‌ ଲଗାଇ ଦେଇଥିଲେ, ସେହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଉ ଦୁଇ ବର୍ଷ ଚାଲୁ ରଖିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବା ବେଳେ ଓଡ଼ିଶା ସରକାର କାହିଁକି ନିରବ ରହିଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ରାଜନୈତିକ ଫାଇଦା ହାସଲ ପାଇଁ ବିଜେଡି ଏହା କରୁଛି ବୋଲି ଚର୍ଚ୍ଚା ହେଉଛି।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡିର ଲୋକଦେଖାଣିଆ ଦରଦ ଏବେ ପଦାରେ ପଡ଼ିଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦେଶ ଉପରେ ସ୍ଥଗିତାଦେଶ ମିଆଦକୁ କେନ୍ଦ୍ର ସରକାର ଆଉ ଦୁଇ ବର୍ଷ ବୃଦ୍ଧି କରିଥିଲେ ମଧ୍ୟ ଶାସକ ବିଜେଡି ଏହାକୁ ବିରୋଧ କରିବାର ସତ୍‌ସାହସ ଜୁଟାଇ ପାରିନି। କିମ୍ବା ବିଗତ ବର୍ଷ ଗୁଡ଼ିକରେ ଦଳ ଯେଉଁ ଢଙ୍ଗରେ କେନ୍ଦ୍ର ସରକାରଙ୍କ ‘ପୋଲାଭରମ’ ଆଭିମୁଖ୍ୟକୁ ବିରୋଧ କରି ଆସିଛି, ତାହା ମଧ୍ୟ ଦେଖିବାକୁ ମିଳିନି। ଏପରିକି ଏବେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଜେଡିର ନିରବତା ଆଶ୍ଚର୍ଯ୍ୟଜନକ ଭାବେ ଦେଖିବାକୁ ମିଳିଛି। କେବଳ ପ୍ରଶ୍ନ ପଚାରିବା ବାହାନାରେ ପୋଲଭରମକୁ ନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରଶ୍ନ କରିଛନ୍ତି। ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ପାଇଁ ପୁଣି ଦୁଇବର୍ଷ କାମ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ୟୁପିଏ ସରକାର ଯାହା ଥିଲା, ଏନଡିଏ ତାହା ବୋଲି ଦେବୀ ମିଶ୍ର କହିଥିଲେ।

ସେହିପରି ବିରୋଧୀ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ବିଧାନସଭାରେ ଦୁଇ ଥର ପ୍ରସ୍ତାବ ଆସିଲା କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ସେ ଦାବି କରିଥିଲେ। ସେ କହିଥିଲେ, ବାଚସ୍ପତି ନିଜେ ଯାଆନ୍ତୁ। ସମସ୍ତେ କାମ ବନ୍ଦ କରିବା ପାଇଁ ପଦକ୍ଷେପ ନେବା। ବିଜେଡି ଏହାକୁ ନେଇ ରାଜନୀତି କରୁଥିଲା। କିନ୍ତୁ ସଫଳ ହୋଇନାହିଁ। ବିଜେପି-ବିଜେଡି ମିଶିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରନ୍ତୁ ବୋଲି ତାରା ବାହିନୀପତି ଦାବି କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଗରେ ବିଜେଡି ନିଜର ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିବା ଭଳି ପ୍ରତୀୟମାନ ହେଉଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ। ବିଧାନସଭାରେ ଆଗରୁ ବିଜେଡି ଯେପରି ହୋହଲ୍ଲା କରୁଥିଲା, ଏବେ ଆଉ ସେପରି କରୁନି। ପୋଲାଭରମକୁ ନେଇ ରାଜନୀତିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ନିମନ୍ତେ ବିଜେଡି ପକ୍ଷରୁ ଗଠିତ ହୋଇଥିବା ଷ୍ଟିୟରିଂ କମିଟି ମଧ୍ୟ ଚୁପ୍ ହୋଇ ବସିରହିଛି। ଏପରିକି ୨୦୧୮ ଜାନୁୟାରୀ ୪ ତାରିଖରେ ବିଜେଡି ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜନୀତିକ କାର୍ଯ୍ୟକ୍ରମକୁ କିଭଳି ବ୍ୟାପକ କରାଯିବ ସେଥିପାଇଁ ଦଳର ୪ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ଏକ କମିଟି ଗଠନ କରିଥିଲା। ଏହି କମିଟି ହିଁ ପୋଲାଭରମ ପ୍ରକଳ୍ପ ଓ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କ’ଣସବୁ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍ ସେଥିପାଇଁ ପରାମର୍ଶ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଜେଡିର ଏହି କମିଟିର ସ୍ଥିତି କ’ଣ ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ କେନ୍ଦ୍ର ସରକାର ପୁଣି ଥରେ ପୋଲାଭରମ ପ୍ରକଳ୍ପ ପ୍ରତି ଆଗ୍ରହ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରତି ଅଣଦେଖା କରିଥିଲେ ହେଁ ବିଜେଡି କାହିଁକି ଏହାକୁ ବିରୋଧ କରୁନି ତାକୁ ନେଇ ଉଠିଛି ପ୍ରଶ୍ନ। ଓଡ଼ିଶା ସରକାରଙ୍କ ମତରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଯୋଗୁ ଓଡ଼ିଶାର ୧୫ଟି ଗାଁ ଓ ୧୦ଟି ପଡ଼ାର ୬୮୧୮ଜଣ ଲୋକ ବିସ୍ଥାପିତ ହେବେ।  ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ। ଏସବୁ ସତ୍ତ୍ବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପୁଣିଥରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିବା ପାଇଁ ଦୁଇ ବର୍ଷ ସମୟସୀମା ନିର୍ଦ୍ଧାରଣ କରିବାକୁ ପଛାଇନାହାନ୍ତି। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ ବିରୋଧ କରିନାହିଁ। ଏପରିକି, ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ଗଠନମୂଳକ ସହଯୋଗ ଦିଆଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ପୋଲାଭରମ ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବିଜେଡି ଓ ନବୀନ ନିଜ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ସାଲିସ କରିଥିବା ଯୋଗୁ ରାଜ୍ୟ ପ୍ରତି ଏଭଳି ବିପଦ ସୃଷ୍ଟି ହୋଇଛି ବୋଲି ରାଜନୀତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଅବଶ୍ୟ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ବାସ୍ତବରେ କେତେ କ୍ଷତି ହେବ ତାହା ଏ ଯାଏ ଜଣାପଡ଼ିନି। ମାତ୍ର ଓଡ଼ିଶା ସରକାର ନିଜଆଡ଼ୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରିଛନ୍ତି। ଯଦି ଏହି କ୍ଷୟକ୍ଷତି ଆଶଙ୍କାରେ ସତ୍ୟତା ରହିଛି, ତା’ହେଲେ ପୂର୍ବରୁ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ନିଜର ସ୍ୱରକୁ ଶାଣିତ କରିଥିବା ତଥା ରାଜନୀତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେଡି ଚୁପ୍ ବସିଛି କାହିଁକି? ଏହା କେନ୍ଦ୍ର ସହ ସାଲିସ୍ ହୋଇଥିବା ଯୋଗୁ ନା ମୋଦି ସରକାରଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ବିଜେଡି ରାଜ୍ୟର ସ୍ୱାର୍ଥକୁ ବି ବାଜି ଲଗାଇବାକୁ ପଛାଇ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ପୋଲାଭରମ ପ୍ରକଳ୍ପକୁ ୨୦୧୪ ଏପ୍ରିଲ ମାସରେ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ପରଠୁ ଏହାକୁ ବିରୋଧ କରି ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରୁ ଓଡ଼ିଶାକୁ ତତ୍କାଳ ଆଶ୍ୱସ୍ତି ମିଳୁ ନ ଥିବାବେଳେ ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ୨୦୧୪ ମସିହାରୁ ନିୟମିତ ଭାବେ ପ୍ରତିବର୍ଷ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଆସିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ କରିଆସିଛି। ବିଧାନସଭା ଅଧିବେଶନ ସମୟରେ ବିଜେଡି ବିଧାୟକମାନେ ଗୃହରେ ବ୍ୟାପକ ହଟ୍ଟଗୋଳ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ପାଇଁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା ଓ ରାଲି କରିବା, ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା, ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଧାରଣା ଓ ବିକ୍ଷୋଭ, ରାଜଭବନ ସମ୍ମୁଖରେ ବିକ୍ଷୋଭ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ହଠାତ ନବୀନ ପୋଲଭରମ ପ୍ରସଙ୍ଗକୁ ନେଇ ନିଜର ଆଭିମୁଖ୍ୟ ବଦଳାଇ ଦେଇଥିବା ମନେହେଉଛି। ୬ ଥର ନବୀନ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ପ୍ରକଳ୍ପ କାମ ବନ୍ଦ କରିପାରି ନ ଥିବା ବେଳେ ପୁଣି ଥରେ ନବୀନଙ୍କ ଚିଠି ଲେଖା କେବଳ ଏକ ପ୍ରହସନ ବୋଲି ଚର୍ଚ୍ଚା ହେଉଛି।

ଏସବୁ ସତ୍ତ୍ବେ  ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ପୋଲାଭରମ୍‌ ନିର୍ମାଣ ର୍ପୂ୍‌ବରୁ ଏହାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଯଦି ପ୍ରକଳ୍ପକୁ ନେଇ ରହିଥିବା ସମସ୍ୟାର ସମାଧାନ ନ ହୁଏ, ତେବେ ଏହା ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ ସ୍ଥାୟୀ କ୍ଷତିର କାରଣ ପାଲଟିବ। ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ, ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜମି ଜଳମଗ୍ନ ହେବ। ସର୍ବୋପରି ପ୍ରକଳ୍ପ ହେଲେ ବହୁ ଗ୍ରାମବାସୀ ବିସ୍ଥାପିତ ହେବାକୁ ବାଧ୍ୟ ହେବେ। ଏହି ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲା ବିଶେଷକରି ଆଦିମ ଅଧିବାସୀମାନେ ବହୁଳ ଭାବେ ପ୍ରଭାବିତ ହେବେ। ତେଣୁ ସୁପ୍ରିମକୋର୍ଟରେ ପଡ଼ିରହିଥିବା ମାମଲା ଗୁଡିକର ସମାଧାନ ନ ହେବା ଯାଏ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହୁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି ଏ ସଂକ୍ରାନ୍ତୀୟ ବିଧିବଦ୍ଧ ସଂକଳ୍ପ ନ ଆସିବା ପୂର୍ବରୁ ଯଦି ପ୍ରକଳ୍ପକୁ ଅନୁମତି ଦିଆଯାଏ ତା’ହେଲେ ଏହା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ଉପରେ ସ୍ଥାୟୀ ଆଘାତ ପହଞ୍ଚାଇବ ବୋଲି ନବୀନ ଚିଠିରେ ଜଣାଇଛନ୍ତି। ଓଡ଼ିଶା, ତେଲେଙ୍ଗାନା ଏବଂ ଛତିଶଗଡ଼ର ଜମି, ଜଙ୍ଗଲ ଏବଂ ଅଧିବାସୀଙ୍କ କ୍ଷତି ନ ହେବା ଭଳି ପ୍ରକଳ୍ପର ମଡେଲ ବଦଳା ଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରକୁ ପୂର୍ବରୁ ଦେଇଥିବା ଚିଠି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ବାରମ୍ବାର ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର କେବେହେଲେ ଏ ଦିଗରେ କର୍ଣ୍ଣପାତ କରିନାହିଁ। ନବୀନ ଆହୁରି କହିଛନ୍ତି ଯେ, ପ୍ରଭାବିତ ଥିବା ଅଞ୍ଚଳରେ ଜନଶୁଣାଣି କରିବା ପରିବର୍ତ୍ତେ ଆନ୍ଧ୍ର ପ୍ରଦେଶ ସରକାର ଦ୍ରୁତଗତିରେ କାର୍ଯ୍ୟ କରିଚାଲିଛନ୍ତି। ଅନ୍ୟପଟେ ମାଲକାନଗିରିରେ ବିନା ଜନଶୁଣାଣିରେ ପୋଲାଭରମ ପ୍ରକଳ୍ପକୁ ୨୫ ଅକ୍ଟୋବର ୨୦୦୫ରେ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ବୋଲି ନବୀନ କହିଛନ୍ତି। ଯଦି ଥରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଏ ତେବେ ପରବର୍ତ୍ତୀ ସମୟରେ ଏହାର ରୂପରେଖ ପରିବର୍ତ୍ତନ କରାଯାଇପାରିବ ନାହିଁ। ଅନ୍ୟପଟେ ଏଯାବତ୍‌ ଓଡ଼ିଶାରେ ଜନଶୁଣାଣି ହୋଇ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବତନ ପରିବେଶ ଓ ଜଙ୍ଗଲ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ସେ ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଥିଲେ। ଏହାପରେ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ କୌଣସି ଅଗ୍ରଗତି ଘଟି ନ ଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ପରିବେଶ ମନ୍ତ୍ରାଳୟ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦେଶ ଉପରେ ସ୍ଥଗିତାଦେଶକୁ ଆଉ ଦୁଇବର୍ଷ ବୃଦ୍ଧି କରିବା ପରିପ୍ରେକ୍ଷୀରେ ଏନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଆନ୍ଦୋଳନରୁ ଓହରି ନବୀଙ୍କ ଚିଠି ଲେଖା ଓଡ଼ିଶାର ସ୍ୱାର୍ଥ ପୁରଣ କରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ