ଆଳୁ ଖୋଳୁ ଖୋଳୁ ମହାଦେବ: ମିଶନ୍ ଏକ ଗପ ପେଡ଼ି

ତୁଚ୍ଛା ଘୋଷଣା, କାର୍ଯ୍ୟାନ୍ବୟନ ଶୂନ

ଭୁବନେଶ୍ୱର: କର୍ଣ୍ଣାଟକ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠି ସାଧାରଣ ବଜେଟ୍‌ ସହ ଏକ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ ହୋଇ ଆସୁଛି। ତେବେ କୃଷି ବଜେଟ୍‌ର ଆକାର ୭ ହଜାର ୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୯-୨୦ରେ ୨୦ ହଜାର ୭୧୪ କୋଟି ଟଙ୍କାରେ ପହଞ୍ଚିଲାଣି। ରାଜ୍ୟ ସରକାର କୃଷିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହି ଡିଣ୍ଡିମ ପିଟୁଥିବା ବେଳେ ପ୍ରତିବର୍ଷ କୃଷି ବଜେଟ୍‌ରେ ନୂଆ ନୂଆ ମନଲୋଭା ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ମାତ୍ର କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଦାବି କରୁଥିବା ସରକାର କେବଳ ଯୋଜନା ମାଧ୍ୟମରେ ସୁନେଲି ସ୍ୱପ୍ନ ଦେଖାଇ ଆସୁଛନ୍ତି। କାରଣ ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟରେ ଘୋଷଣା ହୋଇଥିବା ଆଳୁ ମିଶନ୍‌। ଆଳୁ ମିଶନ ଘୋଷଣାକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ତାହାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଆଳୁ ଚାଷକୁ ୧୫ ହଜାର ହେକ୍ଟରରୁ ବଢ଼ାଇ ୬୦ ହଜାର ହେକ୍ଟର କରିବା ସହ ଉତ୍ପାଦନକୁ ଅଢ଼େଇ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବଢ଼ାଇ ପାଖାପାଖି ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସମ୍ପ୍ରସାରଣ ଓ ଗବେଷଣା, ବିହନ ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇ ମୋଟ୍‌ ୨୬୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଆଳୁ ଉତ୍ପାଦନ ହେଉ ବା ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁ ମିଶନର କୌଣସି ଗୋଟିଏ ଲକ୍ଷ୍ୟ ପୂରଣ ହୋଇ ନ ଥିବାରୁ ଓଡ଼ିଶାରେ ଆଳୁ ମିଶନ୍‌ ଯେ ପୂରା ଫେଲ୍‌, ତାହା ପ୍ରମାଣିତ ହୋଇସାରିଛି। କୌଣସି ମିଶନ ବା ନୂଆ ଯୋଜନା ଘୋଷଣା ହେବା ପରେ ତାହା ସରକାରଙ୍କ ପ୍ରାଥମିକତା ପାଲଟିବା ଆଶା କରାଯାଏ। ହେଲେ ବିଗତ ଛଅ ବର୍ଷର କୃଷି ବଜେଟ୍‌ରେ ଘୋଷିତ ଏହିପରି କେତେକ କାର୍ଯ୍ୟକ୍ରମ ଅଲୋଡ଼ା ହୋଇଯାଇଛି। ତେବେ କୌଣସି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟ୍ରାକ୍‌ ରେକର୍ଡ ସେତେଟା ଉତ୍ସାହଜନକ ହୋଇ ନ ଥିବାରୁ ଭବିଷ୍ୟତରେ ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ପ୍ରତି ସେହିଭଳି ଆନ୍ତରିକତାର ଅଭାବ ଯେ ଦେଖା ନ ଦେବ, ତାହା କିଏ କହିବ?

ରାଜ୍ୟରେ ବାର୍ଷିକ ପ୍ରାୟ ୧୨.୫୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁର ଆବଶ୍ୟକତା ଥିବାବେଳେ ଓଡ଼ିଶାରେ ଉତ୍ପାଦନ ହେଉଛି ବର୍ଷକୁ ମାତ୍ର ୨ ଲକ୍ଷ ମେଟ୍ରିକ୍‌ ଟନ୍‌। ଫଳରେ ତିରୋଟ ବା ଅଭାବ ସମୟରେ ଆଳୁ ପାଇଁ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି। ଯଦି କୌଣସି କାରଣରୁ ପଡ଼ୋଶୀ ରାଜ୍ୟରୁ ଆଳୁ ଆସିବାରେ ସମସ୍ୟା ହେଉଛି, ସେ ସମୟରେ ଆଳୁ ଦର ଓଡ଼ିଶାରେ ଆକାଶଛୁଆଁ ହେଉଛି। ପ୍ରତିବର୍ଷ ଆଳୁ ଦର ଚିନ୍ତାରେ ଘାଣ୍ଟି ହେଉଛନ୍ତି ରାଜ୍ୟ ସରକାର। ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତାରେ ୨୦୧୫ ଜାନୁଆରୀରେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଳୁ ମିଶନ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ତେବେ ତା’ ଉପରେ ଏବେ ପ୍ରଶ୍ନ ଉଠିଛି। ୫ ବର୍ଷ ତଳୁ ଆଳୁ ମିଶନ୍‍ ଆରମ୍ଭ କରାଯାଇଥିଲେ ମଧ୍ୟ ତାହାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଯେଉଁଥିପାଇଁ ଏବେ ବି ଆଳୁ ଲାଗି ଓଡ଼ିଶାକୁ ପଶ୍ଚିମବଙ୍ଗ ସମେତ ଆଉ କେତେକ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ପଡ଼ୋଶୀ ରାଜ୍ୟକୁ ଦେଖି ରାଜ୍ୟ ସରକାର ସ୍ୱାବଲମ୍ବୀ ହେବା ଉଦ୍ୟମ ଶେଷରେ ଫସର ଫାଟିଛି। ବିଭିନ୍ନ ସମୟରେ ଆଳୁ ଦର ହୁ ହୁ ହୋଇ ବଢ଼ିଲା ବେଳେ ରାଜ୍ୟରେ ଆଳୁର ଗଚ୍ଛିତ ଭଣ୍ଡାର ପାଇଁ ସରକାରୀ ପ୍ରଚେଷ୍ଟାର ଅଭାବ ଅନୁଭୂତ ହୋଇଥାଏ। ସରକାରଙ୍କ ନୀତି ଓ ନିଷ୍ପତ୍ତିରେ କ୍ରମାଗତଭାବେ ତାରତମ୍ୟ ରହୁଥିବାର ଖାଉଟି ହନ୍ତସନ୍ତ ହେଉଛନ୍ତି।

ଆଳୁ ଉତ୍ପାଦନ ବୃଦ୍ଧି, ବଜାର ଓ ଶୀତଳଭଣ୍ଡାର ସୁବିଧା, ଚାଷ ଓ ମହଜୁଦ ପାଇଁ ଋଣ ସହାୟତା, କୃଷକ, ଉତ୍ପାଦନକାରୀ ଗ୍ରୁପ ଗଠନ, ଆନ୍ତଃବିଭାଗୀୟ ସମନ୍ୱୟ, ଆଳୁ କ୍ଷେତ୍ରରେ ଗବେଷଣା ଓ ବିକାଶ ଉଦ୍ଦେଶ୍ୟ ରଖି ଓଡ଼ିଶା ସରକାର ୨୦୧୪-୧୫ ବର୍ଷରେ ଆଳୁ ମିଶନ୍‍ ଆରମ୍ଭ କରିଥିଲେ। ଏଥିପାଇଁ ୨୬୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥିପାଇଁ ୨୦୧୫-୧୬ ବଜେଟ୍‌ରେ ୫୦ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିଲା ବେଳେ ୨୦୧୬-୧୭ ଓ ୨୦୧୭-୧୮ରେ ଯଥାକ୍ରମେ ୬୦ କୋଟି ଓ ୨୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ଓ ୨୦୧୮-୧୯ ବଜେଟ୍‌ରେ ତାହା ମାତ୍ର ଦୁଇ କୋଟି ଟଙ୍କାରେ ସୀମିତ ରହିଲା। ଉଦ୍ୟାନ କୃଷି ବିଭାଗକୁ ରାଜ୍ୟ ସରକାର ଏହି ଦାୟିତ୍ୱ ଦେଇଥିଲେ। ଏହାର ଯେଉଁ ବର୍ଷୱାରୀ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଥିଲା, ସେହି ଅନୁଯାୟୀ ଆଳୁ ଉତ୍ପାଦନ ହୋଇଥିଲେ ୨୦୧୭-୧୮ ବେଳକୁ ଏ କ୍ଷେତ୍ରରେ ରାଜ୍ୟ ସ୍ୱାବଲମ୍ବନଶୀଳ ହେବା କଥା। କିନ୍ତୁ ମିଶନ୍‍ କୌଣସି ଗୋଟିଏ ବର୍ଷରେ ଉତ୍ପାଦନ ଲକ୍ଷ୍ୟ ହାସଲ କରିପାରିନାହିଁ। ଆଳୁ ଚାଷ ଅଞ୍ଚଳ ୨୦୧୫-୧୬ରେ ୩୦ ହଜାର ହେକ୍ଟର, ୨୦୧୬-୧୭ରେ ୪୫ ହଜାର ଓ ୨୦୧୭-୧୮ରେ ୬୦ ହଜାର ହେକ୍ଟରକୁ ସମ୍ପ୍ରସାରିତ କରିବା ଏବଂ ଆଳୁ ଉତ୍ପାଦନ ୨୦୧୪-୧୫ ବର୍ଷରେ ୨ ଲକ୍ଷ ୭୪ ହଜାର ୫୦୦ ମେଟ୍ରିକ୍‍ ଟନ୍‍, ୨୦୧୫-୧୬ ବର୍ଷରେ ୫ ଲକ୍ଷ ୨୮ ହଜାର ମେଟ୍ରିକ୍‍ ଟନ୍‍, ୨୦୧୬-୧୭ ବର୍ଷରେ ୮ ଲକ୍ଷ ୯ ହଜାର ୭୫୦ ମେଟ୍ରିକ୍‍ ଟନ୍‍ ଓ ୨୦୧୭-୧୮ ବର୍ଷରେ ୧୧ ଲକ୍ଷ ୧୨ ହଜାର ମେଟ୍ରିକ୍‍ ଟନ୍‍ କରିବାକୁ ଆଳୁ ମିଶନ୍‌ର ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାହା ଫେଲ୍‌ ମାରିଛି।

ତେବେ ସଦ୍ୟ ପ୍ରକାଶିତ ୨୦୧୮-୧୯ ବର୍ଷର ଓଡ଼ିଶା ଆର୍ଥିକ ସର୍ଭେ ରିପୋର୍ଟରୁ ଜଣାଯାଇଛି, ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ୨୫ ହଜାର ହେକ୍ଟରରୁ ସାମାନ୍ୟ ଅଧିକ ଜମିରେ ଆଳୁ ଚାଷ ହୋଇଥିଲା। ଅର୍ଥାତ୍‍ ୨୦୧୭-୧୮ରେ ଯେତେ ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ତାହାର ଅଧାରୁ କମ୍‍ ଜମିରେ ଆଳୁ ଚାଷ ହୋଇଥିଲା। ସେହିପରି ୨୦୧୬-୧୭ ବର୍ଷରେ ୮ ଲକ୍ଷ ମେଟ୍ରିକ୍‍ ଟନ୍‍ରୁ ଅଧିକ ଆଳୁ ଫଳାଇବା ପାଇଁ ଲକ୍ଷ୍ୟ ଥିବା ବେଳେ ମାତ୍ର ୩ ଲକ୍ଷ ୨ ହଜାର ମେଟ୍ରିକ୍‍ ଟନ୍‍ ଆଳୁ ଏହି ବର୍ଷ ଉତ୍ପାଦିତ ହୋଇଥିବା ଆର୍ଥିକ ସର୍ଭେ ରିପୋର୍ଟ ତଥ୍ୟରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷରେ ୧୧ ଲକ୍ଷ ୧୨ ହଜାର ମେଟ୍ରିକ୍‍ ଟନ୍‍ ଆଳୁ ଫଳାଇବା ପାଇଁ ଆଳୁ ମିଶନ୍‍ର ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ଆର୍ଥିକ ସର୍ଭେ ରିପୋର୍ଟରେ ଏହାର ପରିମାଣ ୨ ଲକ୍ଷ ୯୮ ହଜାର ମେଟ୍ରିକ୍‍ ଟନ୍‍ ବୋଲି ଦର୍ଶାଯାଇଛି। ୨୦୧୭-୧୮ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୧-୧୨ ବର୍ଷରେ ଓଡ଼ିଶାରେ ୬୩ ହଜାର ମେଟ୍ରିକ୍‍ ଆଳୁ ଫଳିଥିବା ବେଳେ ଏହା ବଢ଼ି ବଢ଼ି ୨୦୧୪-୧୫ ବର୍ଷରେ ୧ ଲକ୍ଷ ୪ ହଜାର ମେଟ୍ରିକ୍‍ ଟନ୍‍କୁ ଟପିଥିଲା। ତେବେ ପରବର୍ତ୍ତୀ ବର୍ଷରେ ଆଳୁ ଉତ୍ପାଦନ ବଢ଼ିବା ପରିବର୍ତ୍ତେ କମିଥିବା ଏହି ସରକାରୀ ରିପୋର୍ଟର ତଥ୍ୟରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖନୀୟ ଯେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ମିଶନ୍‍ ମାଧ୍ୟମରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀଙ୍କୁ ୨୦୧୫-୧୬ ବର୍ଷରେ ହେକ୍ଟର ପ୍ରତି ୩୦ ହଜାର ଟଙ୍କା, ୨୦୧୬-୧୭ରେ ୨୦ ହଜାର ଟଙ୍କା ଓ ୨୦୧୭-୧୮ ବର୍ଷରେ ୧୫ ହଜାର ଟଙ୍କା କରି ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ଏହା ସତ୍ତ୍ବେ ବି ଆଳୁ ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଓଡ଼ିଶା ବହୁ ପଛରେ ରହିଥିବା ଆର୍ଥିକ ସର୍ଭେ ରିପୋର୍ଟ ବିଶ୍ଳେଷଣରୁ ଜଣାପଡ଼ିଛି।

ଆଳୁ ମିଶନକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିଲା। ୨୨ ଜଣ ଯୁବ ଶିଳ୍ପ ଉଦ୍ୟୋଗପତି ରାଜ୍ୟ ସରକାରଙ୍କ ଭରସାରେ ରିହାତି ନେଇ ପିପିପି ମୋଡ୍‌ରେ ଆଳୁ ମିଶନ ଯୋଜନାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ। ହେଲେ ସେମାନଙ୍କର ଅବସ୍ଥା ଆଜି ଶୋଚନୀୟ। ମାସକୁ ମାସକୁ ବ୍ୟାଙ୍କ୍‌କୁ ସୁଧ ଦେଉଥିଲାବେଳେ ଆଳୁ ଉପ୍ତାଦନ ହେଉ ନ ଥିବା କାରଣରୁ ଓ ବିଜୁଳି ସଂଯୋଗର ଅଭାବ କାରଣରୁ ସେ ସବୁ ଶୀତଳ ଭଣ୍ଡାରରେ ଆଜି ତାଲା ପଡ଼ିଛି। ରାଜ୍ୟରେ ଥିବା ମୋଟ୍‍ ୧୫୦ଟି ଶୀତଳଭଣ୍ଡାର ମଧ୍ୟରୁ ପ୍ରାୟ ୪୦ଟି ଚଳତ୍‌କ୍ଷମ ଅବସ୍ଥାରେ ରହିଛି। ଏଥି ମଧ୍ୟରେ ୨୫ଟି ଗତ ତିନିବର୍ଷ ମଧ୍ୟରେ ଆଳୁ ମିଶନକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା। ହେଲେ ଆଳୁ ମିଶନ ଫେଲ୍‍ ମାରିବାରୁ ନା ଏଠାରେ ଆଳୁ ବିହନ ଆସି ରହିପାରିଲା ନା ଆବଶ୍ୟକ ପରିମାଣ ଆଳୁ ଉତ୍ପାଦିତ ହୋଇ ରହିଲା। ଶୀତଳଭଣ୍ଡାରରେ ସ୍ଥାନ ଖାଲି ପଡ଼ିବା ଯୋଗୁଁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। କର୍ମଚାରୀ, ବିଦ୍ୟୁତ୍‍ ଭଡ଼ା, ବ୍ୟାଙ୍କ୍‌ ସୁଧ ଆଦିକୁ ମିଶାଇଲେ ଗୋଟିଏ ଶୀତଳଭଣ୍ଡାର ପାଇଁ ବର୍ଷକୁ କୋଟିଏ ୩୦ ଲକ୍ଷ ଟଙ୍କା ବ୍ୟୟ ହେଉଥିବାବେଳେ ଆୟ ପାଖାପାଖି ୮୦ ଲକ୍ଷ ଟଙ୍କା ହେଉଛି। ତେଣୁ ଗତ ତିନିବର୍ଷ ମଧ୍ୟରେ ମାଲିକମାନେ ପ୍ରାୟ ଦେଢ କୋଟି ଟଙ୍କା କ୍ଷତି ସହିଲେଣି। ତେଣୁ ଏଭଳି କ୍ଷତିରୁ ରକ୍ଷା ପାଇବା ପାଇଁ ଶୀତଳଭଣ୍ଡାର ମାଲିକମାନେ ରାଜ୍ୟ ସରକାରଙ୍କଠାରୁ ନୂତନ ହାରରେ ସବ୍‍ସିଡି ପ୍ରଦାନ, ବିଜୁଳି ବିଲ୍‍ ଉପରେ ୫୦ ପ୍ରତିଶତ ରିହାତି, ଗଚ୍ଛିତ ସାମଗ୍ରୀ ଉପରେ ଚାଷୀ ଓ ବ୍ୟବସାୟୀଙ୍କୁ ରିହାତି, ଶୀତଳଭଣ୍ଡାର ଜରିଆରେ ବିହନ ଉତ୍ପାଦନ ଓ ବିତରଣ, ଆଳୁ ଉତ୍ପାଦନ ବୃଦ୍ଧି ଆଦି ଦାବି କରିଛନ୍ତି। ଯାହାକୁ ନେଇ ଶୀତଳଭଣ୍ଡାର ମାଲିକମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ବର୍ତ୍ତମାନ ଓଡ଼ିଶାରେ ଥିବା ସମସ୍ତ ଶୀତଳଭଣ୍ଡାରର ସର୍ବମୋଟ ବାର୍ଷିକ କ୍ଷମତା ୨ ଲକ୍ଷ ୧୨ ମେଟ୍ରିକ୍‌ ଟନ୍‌। ଯାହା ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ଗୋଟିଏ ଗୋଟିଏ ଜିଲ୍ଲାରେ ଥିବା ଶୀତଳୀଭଣ୍ଡାର କ୍ଷମତା ଠାରୁ ବି  କମ୍ ବୋଲି ଜଣାପଡ଼ିଛି। ତେଣୁ ତରବରିଆ ଭାବେ କୌଣସି ନୂଆ ଯୋଜନା ଘୋଷଣା ନ କରି ବିଶେଷଜ୍ଞଙ୍କ ସହାୟତାରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଗଲେ ସଫଳତାର ସମ୍ଭାବନା ଅଧିକ ରହିବ।ଅନ୍ୟଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମିଶନ ବା ଅଭିଯାନରୁ ଆରମ୍ଭ ହୋଇ ଶୀତଳଭଣ୍ଡାରରେ ପଡ଼ିବା ସାର ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ