ରାଜ୍ୟରେ ହୋଇଗଲା ଡବଲ୍‌ ଇଞ୍ଜିନ୍‌ : ଡା. ରାଉତ


ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ଏବଂ ବିଜେଡି ତାଙ୍କୁ ସମର୍ଥନ କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ଶନିବାର ପରୋକ୍ଷରେ ବିଜେଡିକୁ ସମାଲୋଚନା କରିଛନ୍ତି। ଦାମ କହିଛନ୍ତି, ବିଜେପି ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ହେଉ ବୋଲି ଚାହୁଁଥିଲା। ହେଲେ ଭୋଟ୍‌ ବେଳେ ତାହା ପ୍ରତିଫଳିତ ହୋଇ ନ ଥିଲା। ମାତ୍ର ନିର୍ବାଚନ ପରେ ଡବଲ୍‌ ଇଞ୍ଜିନ୍‌ ହୋଇଗଲା ବୋଲି ସେ କହିଛନ୍ତି।

ସେହିଭଳି ଅଶ୍ୱିନୀ ଜଣେ ଭଲ ଦକ୍ଷତାସମ୍ପନ୍ନ ବ୍ୟକ୍ତି। ଦିଲ୍ଲୀରେ ତାଙ୍କର ଭଲ ଲବି ରହିଛି। ଏଥିପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି। ଉଭୟ ଦଳ ନିଜର ଫାଇଦା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ଦାମ ମତ ରଖିଛନ୍ତି। ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଛି। ନବୀନ ଗଠନ ମୂଳକ ସହଯୋଗ ଘୋଷଣା କରି ସମଦୂରତ୍ୱ ବ୍ୟାଖ୍ୟାକୁ ଭୁଲିଗଲେ। ଏହା ରାଜ୍ୟ ପାଇଁ ହିତକର। ଉଭୟଙ୍କ ହିତ ଓ ପାରସ୍ପରିକ ସୁବିଧା ପାଇଁ ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସମଦୂରତ୍ୱ ଥିଓରୀକୁ ଭୁଲି ଏକାଠି ରହିବା ଥିଓରୀ ଗ୍ରହଣ କରିଛନ୍ତି ନବୀନ। ଲୋକେ ନ କଲେ କ’ଣ ହେଲା, ଏବେ ତ’ ଡବଲ ଇଞ୍ଜିନ୍‌ ହୋଇଯାଇଛି। ସବୁଠି ବ୍ୟୁରୋକ୍ରାଟଙ୍କ ପ୍ରାଧାନ୍ୟ ବଢ଼ୁଛି, ଲୋକ ପ୍ରତିନିଧି ନତମସ୍ତକ ରହୁଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଏଭଳି ଘଟଣା ଘଟୁଛି ବୋଲି ଦାମ କହିଛନ୍ତି। ଦାମ ଆହୁରି କହିଛନ୍ତି, ବିଜେପି ସହ ବିଜେଡି ଭଲ ସମ୍ପର୍କ ରଖିଲେ ମୁଁ ବେଶ୍‌ ଖୁସି ହେବି। ଏଥିସହ କେନ୍ଦ୍ର ଓ ରାଜ୍ୟରେ ବିଜେପିର ପତିଆରା ଦେଖି ବିଜେଡି ଭଲ ସମ୍ପର୍କ ସ୍ଥାପନ କରୁଛି। ଦିନକୁ ଦିନ ରାଜନୀତିରେ ବରିଷ୍ଠ ନେତା ଗୌଣ ହେବାକୁ ଲାଗିଛନ୍ତି। ଏଣୁ ପ୍ରତିଶ୍ରୁତି ନ ରଖିବା କିଛି ନୂଆ କଥା ନୁହେଁ ବୋଲି ଦାମ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଖାଲି ପଡ଼ିଥିବା ୩ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ସନ୍ଧ୍ୟାରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ୍‌ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା। ଏହାର କିଛି ସମୟ ପରେ ଅଶ୍ୱିନୀ ବିଜେପିର ପ୍ରାର୍ଥୀ ଏବଂ ବିଜେଡି ପକ୍ଷରୁ ତାଙ୍କୁ ସମର୍ଥନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଏହା ପରଠାରୁ ନବୀନଙ୍କ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଆସୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ