ଆଜି ଭାରତର ତୃତୀୟ ମୁକାବିଲା: ନ୍ୟୁଜିଲାଣ୍ଡ୍‌ ଓ ବର୍ଷା ଚ୍ୟାଲେଞ୍ଜ୍‌


ନଟ୍ଟିଂହାମ୍‌: ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ଦୁଇଟି ମ୍ୟାଚ୍‌ ଖେଳି ଶତପ୍ରତିାତ ବିଜୟ ସହ ଭାରତ ପଏଣ୍ଟ୍‌ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି। ଏହି ଦଳ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ଓ ପରେ ଡିଫେଣ୍ଡିଙ୍ଗ୍‌ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ୪୬ ରନ୍‌ରେ ପରାସ୍ତ କରି ଦମ୍‌ଦାର ତରିକାରେ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିଛି। ଦଳ ଅନ୍ୟତମ ଟାଇଟଲ୍‌ ଦାବିଦାର ଥିବାରୁ ପ୍ରଶଂସକମାନଙ୍କୁ ଏହି ପ୍ରଦର୍ଶନ ଆହୁରି ଉତ୍ସାହିତ କରିଛି। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ଗୁରୁବାର ତା’ର ତୃତୀୟ ମୁକାବିଲାରେ ଅବତୀର୍ଣ୍ଣ ହେବ। ଅଦ୍ୟାବଧି ୩ଟିଯାକ ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲ୍‌ର ଶୀର୍ଷରେ ରହିଥିବା ନ୍ୟୁଜିଲାଣ୍ଡ୍‌କୁ ଦଳ ସହ ଭାରତର ମୁକାବିଲା ହେବ।

ଏହି ମ୍ୟାଚ୍‌ରେ ଭାରତ ଆଗରେ ନ୍ୟୁଜିଲାଣ୍ଡ୍‌ ବ୍ୟତୀତ ବର୍ଷା ମଧ୍ୟ ଚ୍ୟାଲେଞ୍ଜ୍‌ ଭାବେ ଉଭା ହେବ। କାରଣ ଗତ ଦୁଇ ଦିନ ହେଲା ଏଠାରେ ପ୍ରବଳ ବର୍ଷା ହୋଇଛି ଓ ମ୍ୟାଚ୍‌ ଦିନ ବର୍ଷା ହେବାର ପୂର୍ବାନୁମାନ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ମ୍ୟାଚ୍‌ର ରୋମାଞ୍ଚ ନଷ୍ଟ କରିବାକୁ ତାହା ଯଥେଷ୍ଟ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ର ବାମହାତୀ ଦ୍ରୁତ ବୋଲର୍‌ ଟ୍ରେଣ୍ଟ୍‌ ବୋଲ୍ଟ ବେଶ୍‌ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇପାରନ୍ତି। ବିଗତ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ବାମହାତୀ ପେସର୍‌ଙ୍କୁ ଖେଳିବାରେ ସେତେଟା ସହଜ ଅନୁଭବ କରୁ ନ ଥିବାରୁ ଏହାକୁ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି।

ଓପନର ଶିଖର ଧୱନ୍‌ ଗତ ମ୍ୟାଚ୍‌ରେ ଆହତ ହେବା ଭାରତ ପାଇଁ ସବୁଠାରୁ ବଡ଼ ଖରାପ ଖବର। ଅବଶ୍ୟ ଏହି ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଦ୍ୟାବଧି ବିଶ୍ବକପ୍‌ରେ ବଜାୟ ରଖାଯାଇଛି ଓ ଆଗାମୀ ୧୦ରୁ ୧୨ ଦିନ ଭିତରେ ତାଙ୍କର ଅସଲ ସ୍ଥିତି ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି। ତାଙ୍କ ପରି ଜଣେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦଳ ଏତେ ଶୀଘ୍ର ବିଶ୍ବକପ୍‌ରୁ ଫେରାଇଦେବା ସପକ୍ଷରେ ଆଦୌ ନାହିଁ। କିନ୍ତୁ ଇତିମଧ୍ୟରେ ବିସିସିଆଇ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ୠଷଭ ପନ୍ତ୍‌ଙ୍କୁ ତୁରନ୍ତ ଇଂଲଣ୍ଡରେ ପହଞ୍ଚିବା ସକାଶେ ନିର୍ଦେଶ ଦେଇସାରିଛି। ସେ ଆସନ୍ତା ୧୬ରେ ମାଞ୍ଚେଷ୍ଟର୍‌ଠାରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ଶିଖରଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ୍‌ ଓପନିଂରେ ରୋହିତ ଶର୍ମାଙ୍କ ନୂଆ ଯୋଡ଼ିଦାର ହେବେ। ତେଣୁ ପ୍ରଥମ ଥର ପାଇଁ ଚଳିତ ବିଶ୍ବକପ୍‌ରେ ଦିନେଶ କାର୍ତ୍ତିକଙ୍କୁ ମଧ୍ୟମକ୍ରମରେ ଖେଳିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି। ନଚେତ୍‌ ଯୁବ ଅଲ୍‌ରାଉଣ୍ଡର୍‌ ବିଜୟ ଶଙ୍କରଙ୍କୁ ବି ସୁଯୋଗ ଦିଆଯାଇପାରେ। ଚୂଡ଼ାନ୍ତ ଏକାଦଶରେ ଅନ୍ୟ କୌଣସି ଅଦଳବଦଳ ହେବାର ସମ୍ଭାବନା ପ୍ରାୟତଃ ନାହିଁ।

ଅନ୍ୟପକ୍ଷରେ ପ୍ରଥମ ତିନିଟିଯାକ ମ୍ୟାଚ୍‌ ଜିତିସାରିଥିବା ନ୍ୟୁଜିଲାଣ୍ଡ୍‌ ପାଖରେ ଚୂଡ଼ାନ୍ତ ଏକାଦଶରେ ଅଦଳବଦଳ କରିବାର କୌଣସି କାରଣ ନାହିଁ। କିନ୍ତୁ ଦଳର ପ୍ରିମିୟର୍‌ ବୋଲର୍‌ ଟିମ୍‌ ସାଉଦିଙ୍କର ଭାରତୀୟ ଓପନର ଶିଖରଙ୍କ ବିପକ୍ଷରେ ଭଲ ରେକର୍ଡ ଥିବାରୁ ତାଙ୍କୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଖେଳିବା ସକାଶେ ସାମାନ୍ୟ ଉତ୍ସାହିତ ହୋଇପାରନ୍ତି। କାରଣ ସାଉଦି ତାଙ୍କ କ୍ୟାରିୟର୍‌ରେ ରୋହିତଙ୍କୁ ୫ ଥର ଆଉଟ୍‌ କରିଛନ୍ତି। ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର କହିଛନ୍ତି ଯେ ରାହୁଲ୍‌ଙ୍କ ପାଖରେ ଜଣେ ଦକ୍ଷ ଖେଳାଳି ହେବାର ସମସ୍ତ ଗୁଣ ରହିଛି। ସେ ଆଗାମୀ ଦିନରେ ନିଶ୍ଚିତ ଭାବେ ରାହୁଲ୍‌ ଦ୍ରାବିଡ୍‌ଙ୍କ ପରି ଜଣେ କିମ୍ବଦନ୍ତୀ ଖେଳାଳି ହୋଇପାରିବେ ବୋଲି ବାଙ୍ଗର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାଛଡ଼ା ମ୍ୟାଚ୍‌ରେ ପରିସ୍ଥିତି ଦେଖି ଦୁଇ ଓପନର ସେମାନଙ୍କ ଖେଳିବା ତରିକା ଉପରେ ନିଷ୍ପତ୍ତି ନେବେ। ପରିବେଶ ଉପରେ ଏହା ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ବୋଲି ବାଙ୍ଗର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ