ସଶକ୍ତ ହେଉଛି ଭାରତୀୟ ଗଣତନ୍ତ୍ର: ସଂସଦରେ ବଢ଼ୁଛି ମହିଳାଙ୍କ ପ୍ରତିନିଧିତ୍ବ

ସପ୍ତଦଶ ଲୋକସଭା ନିର୍ବାଚନରେ ଜିତିଛନ୍ତି ରେକର୍ଡ ସଂଖ୍ୟକ ମହିଳା, ଆଗରେ ବିଜେପି

ନୂଆଦିଲ୍ଲୀ: ଦେଶରେ ମହିଳାମାନେ ପୁରୁଷଙ୍କ ସହ କାନ୍ଧ ମିଳାଇ ଆଗେଇଯିବା ସକାଶେ ସବୁ ସ୍ତରରେ ପଦକ୍ଷେପ ନିଆଯାଉଥିବା ବେଳେ ଜନପ୍ରତିନିଧି ନିର୍ବାଚନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ମହିଳାମାନଙ୍କୁ ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବା ସକାଶେ ପ୍ରମୁଖ ରାଜନୈତିକ ଦଳମାନେ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି। ଘର କୋଣରୁ ବାହାରି ହଜାର ହଜାର ଜନସାଧାରଣଙ୍କ ଦାବିକୁ ସର୍ବସମକ୍ଷରେ ଉପସ୍ଥାପନ କରିବା ଓ ଦେଶର ଆଇନକାନୁନ ନିର୍ମାଣରେ ମହିଳାମାନେ ଭାଗ ନେବା ସକାଶେ ଆଗେଇ ମଧ୍ୟ ଆସିଛନ୍ତି। ସେଥିପାଇଁ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ କ୍ରମଶଃ ବୃଦ୍ଧି ପାଇଆସିଛି। ନିକଟରେ ସମାପ୍ତ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନ ମଧ୍ୟ ବ୍ୟତିକ୍ରମ ହୋଇନାହିଁ। ବରଂ ଏଥର ରେକର୍ଡ ପରିମାଣର ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ସମୁଦାୟ ୭୧୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଉପନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଅର୍ଥାତ୍‌ ୭୧୬ ଜଣଙ୍କ ମଧ୍ୟରୁ ୭୮ ଜଣ ନିର୍ବାଚିତ ହୋଇ ଲୋକସଭାରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୪୧ ଜଣ ବିଜେପି ସହ ଜଡ଼ିତ। ଅର୍ଥାତ୍‌ ବିଜେପି ପକ୍ଷରୁ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୧୪ ପ୍ରତିଶତ ହେଉଛନ୍ତି ମହିଳା। ଦ୍ବିତୀୟ ସ୍ଥାନରେ ରହିଛି ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ଏହି ଦଳର ୯ ଜଣ ମହିଳା ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟିଏମ୍‌ସି ସପ୍ତଦଶ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଇଥିଲା ଏବଂ ଏହା ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ରେକର୍ଡ।

ଅନ୍ୟ ଦଳମାନଙ୍କ ମଧ୍ୟରେ କଂଗ୍ରେସର ୭ ଜଣ, ୱାଇଏସ୍‌ଆର୍‌ କଂଗ୍ରେସର ୪ ଜଣ ଓ ବିଜୁ ଜନତା ଦଳ (ବିଜେଡି)ର ୪ ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭା ନିର୍ବାଚନରେ ଉକ୍ତ ରାଜନୈତିକ ଦଳର ବିଜୟୀ ସାଂସଦମାନଙ୍କ ମଧ୍ୟରୁ ମହିଳା ସାଂସଦଙ୍କ ସଂଖ୍ୟା କଂଗ୍ରେସର ସାଢ଼େ ୧୩ ପ୍ରତିଶତ, ୱାଇଏସ୍‌ଆର୍‌ କଂଗ୍ରେସର ୧୮ ପ୍ରତିଶତ ଓ ବିଜେଡିର ୩୩.୩ ପ୍ରତିଶତ ରହିଛି। ଚଳିତ ଥର ଲୋକସଭାରେ ୭୮ ଜଣ ମହିଳା ସାଂସଦ ଭାବେ ରହିଥିବା ବେଳେ ଏହା ଭାରତୀୟ ଇତିହାସରେ ପ୍ରଥମ ଘଟଣା। ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ସର୍ବାଧିକ ୬୨ ଜଣ ମହିଳା ନିର୍ବାଚିତ ହୋଇଥିଲେ। ଚଳିତ ଥର ନିର୍ବାଚିତ ହୋଇଥିବା ମହିଳା ସାଂସଦଙ୍କ ମଧ୍ୟରୁ ସର୍ବାଧିକ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର। ଏହି ଦୁଇ ରାଜ୍ୟରୁ ୧୧ ଜଣ ଲେଖାଏଁ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୮ ଜଣ ମହିଳା ସାଂସଦଙ୍କ ସହ ମହାରାଷ୍ଟ୍ର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୭ ଜଣଙ୍କ ସହ ତୃତୀୟ ସ୍ଥାନରେ ଓଡ଼ିଶା ଓ ୬ ମହିଳା ସାଂସଦଙ୍କ ସହ ଗୁଜରାଟ ଚତୁର୍ଥ ସ୍ଥାନରେ ରହିଛି।

ଭାରତୀୟ ଗଣତନ୍ତ୍ର ଇତିହାସରେ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗରେ ଆଲୋଚନା କରିବାକୁ ଗଲେ, ୧୯୭୭ ମସିହାରେ ଷଷ୍ଠ ଲୋକସଭା ନିର୍ବାଚନରେ ସର୍ବନିମ୍ନ ୧୯ ଜଣ ମହିଳା ନିର୍ବାଚିତ ହୋଇଥିଲେ। ପ୍ରଥମ ଲୋକସଭା ନିର୍ବାଚନରେ କୌଣସି ମହିଳା ନିର୍ବାଚିତ ହୋଇ ନ ଥିଲେ ହେଁ ୧୯୫୭ରେ ପ୍ରଥମ ଥର ପାଇଁ ଲୋକସଭାରେ ମହିଳାଙ୍କ ସ୍ବର ଶୁଭିଥିଲା। ଉକ୍ତ ନିର୍ବାଚନରେ ୪୫ ଜଣଙ୍କ ମଧ୍ୟରୁ ୨୨ ଜଣ ବିଜୟୀ ହୋଇଥିଲେ। ସେହିପରି ୧୯୬୨ରେ ୬୬ ମଧ୍ୟରୁ ୩୧, ୧୯୬୭ରେ ୬୭ ମଧ୍ୟରୁ ୨୯ ଜଣ, ୧୯୭୧ରେ ୮୬ ମଧ୍ୟରୁ ୨୧, ୧୯୭୭ରେ ୭୦ ମଧ୍ୟରୁ ୧୯, ୧୯୮୦ରେ ୧୪୩ ମଧ୍ୟରୁ ୨୮, ୧୯୮୪ରେ ୧୭୧ ମଧ୍ୟରୁ ୪୩, ୧୯୮୯ରେ ୧୯୮ ମଧ୍ୟରୁ ୨୯, ୧୯୯୧ରେ ୩୩୦ରୁ ୩୮, ୧୯୯୬ରେ ୫୯୯ ମଧ୍ୟରୁ ୪୦ ଜଣ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ୧୯୯୮ ନିର୍ବାଚନରେ ୨୭୪ ଜଣଙ୍କ ମଧ୍ୟରୁ ୪୩, ୧୯୯୯ରେ ୨୮୪ ମଧ୍ୟରୁ ୪୯, ୨୦୦୪ରେ ୩୫୫ ମଧ୍ୟରୁ ୪୫, ୨୦୦୯ରେ ୫୫୬ ମଧ୍ୟରୁ ୫୯ ଓ ୨୦୧୪ରେ ୬୬୮ ଜଣ ମହିଳାଙ୍କ ମଧ୍ୟରୁ ୬୨ ଜଣ ବିଜୟୀ ହୋଇଥିଲେ।

ସେହିପରି ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପ୍ରମୁଖ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ସ୍ମୃତି ଇରାନୀ, ସାଧ୍ବୀ ପ୍ରଜ୍ଞା ଠାକୁର, ଲକେଟ୍‌ ଚାଟ୍ଟାର୍ଜୀ, ହେମା ମାଳିନୀ, ହରସିମରତ୍‌ କୌର୍‌ ବାଦଲ, ଚନ୍ଦ୍ରାଣୀ ମୁର୍ମୁ ସାମିଲ୍‌। ୨୦୧୪ରେ କ୍ଷମତାସୀନ ଏନ୍‌ଡିଏ ସରକାରରେ ସ୍ମୃତି କେନ୍ଦ୍ର ମନ୍ତ୍ରୀ ରହିଥିଲେ। ସେ ଗତ ନିର୍ବାଚନରେ କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତର ପ୍ରଦେଶର ଅମେଠୀ ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧିଙ୍କୁ ୫୫ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ପରାସ୍ତ କରି ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି। ସେହିପରି ମଧ୍ୟ ପ୍ରଦେଶର ଭୋପାଳ ଆସନରୁ ବିଜୟୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ଠାକୁର ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ରାଜନୀତିରେ ନୂଆ ପ୍ରଜ୍ଞା ଠାକୁର କଂଗ୍ରେସର ଭେଟେରାନ୍‌ ନେତା ଦିଗ୍‌ବିଜୟ ସିଂହଙ୍କୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ବିରୋଧରେ ମାଲେଗାଓଁ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତି ଅଭିଯୋଗ ରହିଥିବା ବେଳେ ସଦସ୍ୟତା ପ୍ରଦାନ କରିଥିବାରୁ ବିଜେପି ସମାଲୋଚିତ ହୋଇଥିଲା। ଅଧିକନ୍ତୁ ପ୍ରଚାର ବେଳେ ସେ ଏକାଧିକ ବିବାଦୀୟ ବୟାନ ଦେଇ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। କିନ୍ତୁ ଭୋଟର୍‌ମାନେ ଏସବୁକୁ ପଛରେ ପକାଇ ଦେଇ ତାଙ୍କୁ ସଂସଦକୁ ପଠାଇଛନ୍ତି।

ପଶ୍ଚିମବଙ୍ଗରେ ଏଥର ଟିଏମ୍‌ସିକୁ କଡ଼ା ଟକ୍କର ଦେବା ସହ ମମତା ବାନାର୍ଜୀଙ୍କ ଗଡ଼ରେ ଧସେଇ ପ୍ରବେଶ କରିବାରେ ସକ୍ଷମ ହୋଇଛି ବିଜେପି। ଏଠାକାର ହୁଗ୍‌ଲୀ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି ଲକେଟ୍‌ ଚାଟ୍ଟାର୍ଜୀ। ତାଙ୍କ ବିରୋଧରେ ୧୪ଟି ଫୌଜଦାରୀ ମାମଲା ରହିଥିଲେ ହେଁ ଚାଟ୍ଟାର୍ଜୀ ୭୩ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବିଜେପିର ହେମାମାଳିନୀ ମଥୁରା ନିର୍ବାଚନମଣ୍ଡଳୀରୁ ୨ ଲକ୍ଷ ୯୩ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ନିର୍ବାଚିତ ହୋଇଥିବା ବେଳେ ସେ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ବିତ୍ତଶାଳୀ ଥିଲେ। ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ହେମାମାଳିନୀଙ୍କ ସମ୍ପତ୍ତିର ପରିମାଣ ୨୫୦ କୋଟିରୁ ଊର୍ଦ୍ଧ୍ବ ରହିଛି। ସେହିପରି ଦ୍ବିତୀୟ ବିତ୍ତଶାଳୀ ମହିଳା ପ୍ରାର୍ଥୀ ଭାବେ ପଞ୍ଜାବର ଭଟିଣ୍ଡା ଆସନରୁ ୨୧ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ବିଜୟୀ ହୋଇଛନ୍ତି ଶିରୋମଣି ଅକାଳୀ ଦଳର ହରସିମରତ୍‌ କୌର୍‌। ତାଙ୍କ ସମ୍ପତ୍ତି ପରିମାଣ ୨୧୭ କୋଟି ଟଙ୍କା ରହିଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ସେହିପରି ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ସପ୍ତଦଶ ଲୋକସଭା ନିର୍ବାଚନରେ ସମୁଦାୟ ଆସନର ୩୩ ପ୍ରତିଶତ ଅର୍ଥାତ୍‌ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଥିବା ବେଳେ ଚନ୍ଦ୍ରାଣୀ ମୁର୍ମୁ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛନ୍ତି। କାରଣ ସେ ସଂସଦରେ ଅଦ୍ୟାବଧି ପ୍ରତିନିଧିତ୍ବ କରିଥିବା ମହିଳାଙ୍କ ମଧ୍ୟରେ ସର୍ବକନିଷ୍ଠ। ସେ ୨୫ ବର୍ଷ ୧୧ ମାସ ବୟସରେ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ଦୁଷ୍ୟନ୍ତ ଚୌତାଲାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ୨୦୧୪ ଲୋକସଭା ନିର୍ବାଚନରେ ହରିୟାଣାର ହିସାର୍‌ ଆସନରୁ ଦୁଷ୍ୟନ୍ତ ୨୬ ବର୍ଷ ବୟସରେ ସାଂସଦ ଭାବେ ନିର୍ବାଚିତ ହୋଇ ସର୍ବକନିଷ୍ଠ ସାଂସଦ ହୋଇପାରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।