ଆୟୁଷ୍ମାନକୁ ନେଇ ନୂଆ ଆଶା


‘ଆୟୁଷ୍ମାନ ଭାରତ’ ଯୋଜନାରେ ଓଡ଼ିଶା ସାମିଲ ହେବାକୁ ନେଇ ସୃଷ୍ଟି ହୋଇଛି ନୂଆ ଆଶା। ଏ ନେଇ ମଙ୍ଗଳବାର ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ସହ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଲୋଚନା ସକାରାତ୍ମକ ହୋଇଥିବା କହିଛନ୍ତି। ସେ ସୂଚାଇଛନ୍ତି କି ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏଭଳି ଯୋଜନା ନେଇ ଆହୁରି ୨ରୁ ୩ ରାଉଣ୍ଡ ଆଲୋଚନା କରାଯିବ। ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି ଯାହା ଆଜି ଆମେ ଆୟୁଷ୍ମାନ ଭାରତ ସିଇଓଙ୍କୁ ଅବଗତ କରାଇଛୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେପଟେ ‘ଆୟୁଷ୍ମାନ ଯୋଜନା’ ଲାଗୁ ପାଇଁ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୂଷଣ କହିଛନ୍ତି। ଓଡ଼ିଶାରେ ଏହି ଯୋଜନା ଲାଗୁ ହେବା ନେଇ ସେ ଆଶାବାଦୀ ଅଛନ୍ତି। ଯୋଜନା ପାଇଁ ରାଜ୍ୟ ସରକାରଙ୍କ ରହିଥିବା ସର୍ତ୍ତ ଉପରେ ଆଲୋଚନା ଚାଲିଥିବା ଇନ୍ଦୁ ଭୁଷଣ କହିଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଥିଲେ। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା’ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀଗଣ ଓଡ଼ିଶା ଗସ୍ତରେ ଆସି ରାଜ୍ୟସରକାରଙ୍କ ଉପରେ ଚାପ ପକାଇଥିଲେ। ତେବେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାର ଏକମାସ ପୂର୍ବରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ପ୍ରଣୟନ କରିଥିଲେ ଏବଂ କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଠାରୁ ରାଜ୍ୟର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଉତ୍କୃଷ୍ଟ ବୋଲି ଦର୍ଶାଇଥିଲେ। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାକ୍‌ବିତଣ୍ଡା ଲାଗିରହିଥିଲା। ନିର୍ବାଚନ ଫଳାଫଳ ପରେ ଏବେ ରାଜନୈତିକ ପାଣିପାଗରେ ସାମାନ୍ୟ ସୁଧାର ଆସିଛି। ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ଆଦୌ ଶୁଣୁ ନ ଥିବା ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ ଯୋଜନା’ର ସିଇଓଙ୍କ ସହ ଆଲୋଚନାରେ ନିଜ ସର୍ତ୍ତ ଉପସ୍ଥାପିତ କରିଛନ୍ତି। ଯଦି ସବୁକିଛି ଠିକ୍‌ ରହେ ତେବେ ରାଜ୍ୟ ୨୬ ତମ ରାଜ୍ୟ ଭାବେ ଏହି ଯୋଜନାରେ ଅଂଶୀଦାର ହେବ।

ସୂଚନାଯୋଗ୍ୟ ଯେ ୨୦୧୮ ଅକ୍ଟୋବରରେ କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କରିଥିଲେ। ଏଥିରେ ଅଦ୍ୟାବଧି ୨୫ ଟି ରାଜ୍ୟ ସାମିଲ ହୋଇଥିବା ବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ସାମିଲ ହୋଇନାହାନ୍ତି। ସେପଟେ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଗତ ୧୦ ମାସ ମଧ୍ୟରେ ୪ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ଏହି ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହାୟତା ପ୍ରଦାନ କରୁଥିବା ବେଳେ ରାଜ୍ୟସରକାର ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏଁ ସ୍ବାସ୍ଥ୍ୟବୀମାର ସୁବିଧା ଦେଉଥିବାରୁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଠାରୁ ମୁହଁ ଫେରାଇ ନେଇଥିଲେ। ଯାହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁତୁମେମେ ଲାଗିରହିଥିଲା। ସାଧାରଣ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେ ବି ବିଜେପି ଫୋକସରେ ଓଡ଼ିଶା ରହିଛି। ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘କାଳିଆ ଯୋଜନା’ ବିଜେଡିକୁ ଅଧିକ ଫାଇଦା ଦେଇଥିବା ଜଣାପଡିବା ପରେ କେନ୍ଦ୍ର ସରକାର ‘ପିଏମ କିଷାନ ଯୋଜନା’କୁ ସମ୍ପ୍ରସାରିତ କରିଛନ୍ତି ଓ ଏକ ଉତ୍ତରଦାୟୀ ସରକାର ଭାବେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ଯୋଜନାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?