ଫୋନି ମଇଲମ କେବେ, ଅଣ୍ଟା ସଳଖିବ କେମିତି?

ବାସହରାଙ୍କୁ ଡରାଉଛି ମୌସୁମୀ, ଚାଷୀ ଓ ଛାତ୍ରଛାତ୍ରୀଙ୍କୁ ଥଳକୂଳ ମିଳୁନି

ଭୁବନେଶ୍ବର: ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ମାସେ ପୂରିଲାଣି। ଠିକ୍ ମାସକ ତଳେ ପ୍ରକୃତି ଯାହା ତାଣ୍ଡବ ରଚିଥିଲା, ତାହା ଭାବିବା ବେଳକୁ ଛାତି ଥରି ଉଠିବା ସହ ଲୋମ ଟାଙ୍କୁରି ଉଠୁଛି। ଅଶୁଭ ଶୁକ୍ରବାର ଆଣିଦେଇଥିଲା ଫୋନି ତାଣ୍ଡବ। ଫୋନିର ୮ ଘଣ୍ଟିଆ ତାଣ୍ଡବ ଲୀଳାରେ ପୂରା ଛାରଖାର୍‌ ହୋଇଥିଲା ଉପକୂଳ ଓଡ଼ିଶା। ଫୋନି ମାଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ପୁରୀ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବର, କଟକ, ଜଗତ୍‌ସିଂପୁର ଅଞ୍ଚଳବାସୀଙ୍କ ମେରୁଦଣ୍ଡ। ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନ ଜୀବନ। ମାସକ ପରେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକେ ଏ ବେବି ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି। ଏହାରି ଭିତରେ ସହରରେ ସ୍ଥିତି କେତେକାଶଂରେ ସ୍ୱାଭାବିକ ହୋଇଥିବା ବେଳେ ଏବେବି ସଂଘର୍ଷ କରୁଛନ୍ତି ବାତ୍ୟା ପ୍ରଭାବିତ ଗାଁ ଲୋକେ। ବେଶୀ କ୍ଷତି ସହିଥିଲା ଶ୍ରୀକ୍ଷେତ୍ର ପୁରୀ। ମାସକ ପରେ ବି ପୁରୀରେ ଅଧାରୁ ଅଧିକ ଅଞ୍ଚଳ ଆଲୁଅ ଦେଖିନି। ସବୁକିଛି ଅସଜଡ଼ା, ବିପର୍ଯ୍ୟସ୍ତ। ଏବେ ବି ଫୋନି ମାଡ଼ରେ ବିପନ୍ନ ଜୀବନ। ଟ୍ରାକ୍‌କୁ ଫେରିବାକୁ ଚାଲିଛି କସରତ। ରାଜଧାନୀ ଭୁବନେଶ୍ବର ମଧ୍ୟ ଫୋନି ମାଡ଼ରେ ମକଚି ହୋଇଯାଇଥିଲା। ଶ୍ରୀହୀନ ହୋଇଗଲା ରାଜଧାନୀ ରାଜରାସ୍ତା, ଘରଦ୍ବାର ସବୁକିଛି। ଫୋନି ମାଡ଼କୁ ମାସେ ବିତିଥିଲେ ମଧ୍ୟ କେତେକ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା କି ପହଞ୍ଚି ପାରିନାହିଁ ପ୍ରଶାସନିକ ସହାୟତା। ଆଜି ବି ଅନେକ ନିଜ ଭିଟାମାଟିକୁ ଫେରି ପାରିନାହାନ୍ତି। କେଉଁଠି ଘରକୁ ମାଡ଼ି ବସିଛି ଗଛ ତ ଆଉ କେଉଁଠି ଦାଉ ସାଧିଛି ଦାରିଦ୍ର୍ୟ। ଚାଳିଆ ଉଠାଇବାକୁ ଅର୍ଥ ବଳ ନାଇଁ। ଜୀବନ ବଞ୍ଚିଛି ସିନା, ହେଲେ ଜୀବିକା ବୁଡ଼ି ଯାଇଛି। କେହି କେହି ଚାଳିଆରେ ମାଟି ଲେସି ମୁଣ୍ଡ ଗୁଞ୍ଜିବାକୁ ବ୍ୟବସ୍ଥା କରିଥିଲେ ହେଁ ତାକୁ ଏବେ ଜୀବିକା ଚିନ୍ତା ଘାରିଛି। ଯିଏ ରୋଜଗାର ଦେଉଥିଲା, ସେ ଡଙ୍କ ମୋଡ଼ି ହୋଇ ପଡ଼ିଛି। ନା ପୁନଃନିର୍ମାଣ କାମ ହୋଇପାରିଛି, ନା ହୋଇପାରିଛି ଥଇଥାନ। ସହାୟତା ପାଇଁ କ୍ଷୟକ୍ଷତିର ଆକଳନ ବି ସରିନାହିଁ। ଫଳରେ ଦୟନୀୟ ସ୍ଥିତିରେ ରହୁଛନ୍ତି ଲୋକେ। କ୍ଷତ ସେମିତି ତାଜା ଅଛି। ଦିନ ତ ଯେମିତି ହେଲେ କଟି ଯାଉଛି, ହେଲେ ରାତି କଟୁନି। ମଶା ଉତ୍ପାତକୁ ଅସହ୍ୟ ଗରମ ଅଥୟ କରୁଛି। ବିଦ୍ୟୁତ ଏବେ ବି ସ୍ବପ୍ନ ହୋଇଛି। ସଞ୍ଜ ନଇଁଲେ ପଡ଼ୁଛି ତାଟି କବାଟ। ରାଜୁତି କରୁଛି କିଟିମିଟି ଅନ୍ଧାର। ଦିନେ କି ଦୁଇଦିନ ନୁହେଁ, ମାସେ ହେଲାଣି ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ବତ୍ୟା ପ୍ରଭାବିତ ଗାଁ ବାସୀ। ତେବେ ଏସବୁରୁ କେବେ ମିଳିବ ଉପଶମ, ଫୋନି ଦେଇଯାଇଥିବା ଘା’ରେ କେବେ ଲାଗିବ ମଇଲମ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା କ୍ଷତିଗ୍ରସ୍ତ କିଭଳି ନିଜର ଅଣ୍ଟା ସଳଖିବେ ତାକୁ ନେଇ ମଧ୍ୟ ସନ୍ଦିହାନ ହୋଇ ପଡ଼ିଛନ୍ତି।

୨୦୧୯ ମେ’ ୩ ତାରିଖ ଅନେକ ଲୋକଙ୍କଠୁ ସେମାନଙ୍କର ସୁଖ ଶାନ୍ତି ଛଡ଼େଇ ନେଇଥିଲା ଫୋନି। କାରଣ ଏହି ଦିନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ନିକଟରେ ଲ୍ୟାଣ୍ଡଫଲ କରିଥିଲା ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ହଜାର ହଜାର ଘରଦ୍ବାର ଭାଙ୍ଗିବା ସହ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡ଼ି ପକାଇଥିଲା। ବେସାହାରା ହୋଇପଡ଼ିଥିଲେ ହଜାର ହଜାର ଲୋକେ, ଜୀବଜନ୍ତୁ। ଉଜୁଡ଼ି ଯାଇଥିଲା ଅନେକଙ୍କ ସଂସାର। ପୁରୀ ସମେତ ଜିଲ୍ଲାର, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କୋଣାର୍କ, ନିମାପଡ଼ା, ପିପିଲି ଓ ଭୁବନେଶ୍ବର, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବେଶ ପ୍ରଭାବ ପକାଇଥିଲା ଫୋନି । ଫୋନିକୁ ଏ ମଧ୍ୟରେ ମାସେ ବିତି ଯାଇଥିଲେ ବି ସ୍ଥିତିରେ ଅନେକ ସୁଧାର ଆସିଛି। ହେଲେ ଏବେ ବି ପୁରୀ ଜିଲ୍ଲାର ଅନେକ ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚି ପାରିନାହିଁ ପାନୀୟ ଜଳ, ବିଦ୍ୟୁତ୍‌ କି ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା। ଅଳିଆ ଆବର୍ଜନା, ମାଛି ମଶାଙ୍କ ସହ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ଫୋନି ପୀଡ଼ିତଙ୍କ ଜୀବନ। ଆଜି ବି ଅନେକ ଗାଁ ଅଛି ଯେଉଁଠି ବିଜୁଳି ପହଞ୍ଚିପାରିନାହିଁ। ବିଶେଷ କରି ପୁରୀର ଅର୍ଦ୍ଧାଧିକ ଗାଁ ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ଆଜି ଲୋକଙ୍କ ପାଖରେ ବିଜୁଳି ପାନୀୟ ଜଳର ସୁବିଧା ପହଞ୍ଚି ପାରିନାହିଁ। ସେହି ସବୁ ଗାଁରେ ଯେତେ ଯାଏ ନଜର ଯାଉଛି କେବଳ ଅଳିଆ ଆବର୍ଜନା ହିଁ ନଜର ଆସୁଛି। ରାଜଧାନୀର ୨୪ଟି ସ୍ଥାନରେ ଗଦା ହୋଇଥିବା ବାତ୍ୟା ଅଳିଆ ଏବେ ସ୍ଥାନୀୟ ଲୋକଙ୍କ ସହିତ ଅଗ୍ନିଶମ ବିଭାଗର ନିଦ ହଜାଇ ଦେଲାଣି। ଗଦାହୋଇ ରହିଥିବା ଶୁଖିଲା ଡାଳ ପତ୍ରରେ ଯେଭଳି ନିଆଁ ନ ଲାଗେ, ସେଥିପାଇଁ ପାଣି ସିଞ୍ଚନ କାର୍ଯ୍ୟରେ ଅଗ୍ନିଶମ ବିଭାଗ ଦିନ ରାତି ଲାଗିପଡ଼ିଛି। ହେଲେ ଗଦା ହୋଇ ରହିଥିବା ଶୁଖିଲା ଡାଳପତ୍ରରେ କାଳେ ନିଆଁଲାଗି ଅଘଟଣ ଘଟିବ, ସେଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପାଣି ସିଞ୍ଚନ ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଛି।  ଫଳରେ ଅଗ୍ନିଶମ ବିଭାଗ ବୁଲି ବୁଲି ପାଣି ସିଞ୍ଚନ କାମରେ ଲାଗିଛନ୍ତି। ଦିନକୁ ତିନିଥର କରି ପାଣି ପକା ଯାଉଥିବାବେଳେ ଆବଶ୍ୟକତା ସ୍ଥାନରେ ଅଧିକ ଥର ବି ପାଣି ପକାଯାଉଛି।

କେବଳ ଦୁଇ ହଜାର ଟଙ୍କା ଓ ପଚାଶ କେଜି ଚାଉଳ ଦେଇ ଚୁପ୍‌ ବସିଛି ପ୍ରଶାସନ। ଆକଳନ ଶେଷ ହେଲେ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହୁଛି। ହେଲେ କେବେ ଆକଳନ ସରିବ, କାହାକୁ ଜଣାନାହିଁ। ଫୋନି ପରେ ସରକାରଙ୍କ ଏହି ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ରାଜ୍ୟ ସରକାର କହିଥିଲେ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମାତ୍ର ତାହା କେବଳ କାଗଜକଲମରେ ହିଁ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗାଁ ଗଣ୍ଡାର ସ୍ଥିତି ଆହୁରି ସଙ୍ଗୀନ। ଏବେ ବି ଲୋକଙ୍କ ଛପର ମୁକୁଳା ପଡ଼ିଛି। କ୍ଷୟକ୍ଷତି ଆକଳନ ଠିକ୍‌ ହୋଇ ନ ଥିବାରୁ ସହାୟତା ମିଳିନାହିଁ। କାଳେ ସହାୟତା ମିଳିବନି, ସେହି ଭୟରେ କିଛି ଲୋକ ଭଙ୍ଗା ଘର ବି ସଜାଡ଼ୁ ନାହାନ୍ତି। ଅନେକ ଘର ସଜାଡ଼ିବା ସ୍ଥିତିରେ ମଧ୍ୟ ନାହାନ୍ତି। ସହାୟତା ମିଳିବା ପରେ ହିଁ ସଜାଡ଼ିବେ। ସେଥି ପାଇଁ ଚାହିଁ ବସିଛନ୍ତି। ସାମୁଦ୍ରିକ ଝଡ଼ ଫୋନିର ଫଣା ଚୋଟରେ ଓଡ଼ିଶାର ପ୍ରାୟ ଦେଢ଼ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାରମ୍ଭିକ ସରକାରୀ ଆକଳନ ଅନୁଯାୟୀ ୫ ଲକ୍ଷରୁ ଊର୍ଦ୍ଧ୍ବ ଘର ଭାଙ୍ଗିଛି। ଘରଦ୍ୱାର ହରାଇବା ସହ ବ୍ୟାପକ କ୍ଷତି ସହିଥିବା ପରିବାରଗୁଡ଼ିକ ଏବେ ପ୍ରାକ୍‍ ମୌସୁମୀର ସମ୍ଭାବ୍ୟ ବର୍ଷା ନେଇ ଆତଙ୍କିତ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରଜ ପରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବ। ଅର୍ଥାତ୍‍ ବର୍ଷା ଆସିବାକୁ ଏବେ ୧୫ ଦିନରୁ କମ୍‍ ସମୟ ଅଛି। ତେଣୁ ଏତେ କମ୍‍ ସମୟ ମଧ୍ୟରେ କ୍ଷତିଗ୍ରସ୍ତ ଲୋକେ କିପରି ଘର ସଜାଡ଼ିବେ, ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯେଉଁମାନଙ୍କର ଘର ଭାଙ୍ଗିଛି ଓ ଦରଭଙ୍ଗା ଅବସ୍ଥାରେ ପଡ଼ିଛି, ସେମାନଙ୍କୁ କୋଠାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ସରକାର ଲୋଡ଼ିଥିବା ୧୭ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟରୁ ପ୍ରାୟ ୭ ହଜାର କୋଟି ହେଉଛି ଘରଭଙ୍ଗାଜନିତ କ୍ଷତିର ଭରଣା ଲାଗି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ୟୁନ ୫ ଲକ୍ଷ ଘର ନିର୍ମାଣ ପାଇଁ ସହାୟତା ଯୋଗାଇବା ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଯଦି ବର୍ଷାଦିନେ ସିମେଣ୍ଟ, ବାଲି, ଇଟା, ରଡ୍‍, ଗୋଡ଼ି ଆଦି ଘର ତିଆରି ସାମଗ୍ରୀ ସଂଗ୍ରହ କରିବା ଏବଂ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିବାରୁ ଏହା ନିର୍ମାଣ ଲାଗି ମିସ୍ତ୍ରୀ ଯୋଗାଡ଼ କରିବା ସାଙ୍ଘାତିକ ବ୍ୟାପାର ହୋଇଯିବ। ଏ ପରିପ୍ରେକ୍ଷୀରେ ଠିକଣା ମିସ୍ତ୍ରୀ ଓ ସାମଗ୍ରୀ ନ ମିଳିଲେ ଘର ଭୁଶୁଡ଼ିବା ସମ୍ଭାବନା ବି ଅଛି। 

ମତ୍ସ୍ୟଜୀବୀଙ୍କ ସ୍ଥିତି ଆହୁରି ସଙ୍ଗୀନ୍‌। ଡଙ୍ଗା, ଜାଲ ଭାଙ୍ଗିଛି। ସରକାରୀ ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀଙ୍କୁ ଡଙ୍ଗା କିମ୍ବା ଜାଲ ମିଳିନାହିଁ। ଫଳରେ ସେମାନେ ଜୀବିକା ଉପାର୍ଜନ କରି ପାରୁନାହାନ୍ତି। ଚାଷ ସ୍ଥିତି ବଡ଼ ଗମ୍ଭୀର। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କାଜୁ ଓ ନଡ଼ିଆ ଫସଲ। କାଜୁ ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ମିଳିବ ନାହିଁ। କାଜୁ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଅଣ୍ଟା ସଳଖିବା କଷ୍ଟକର। ନଡ଼ିଆ ଚାଷ ବୁଡ଼ିଗଲା ଭଳି ସ୍ଥିତିରେ। ନଡ଼ିଆ ଚାଷୀଙ୍କୁ କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସେମାନଙ୍କ ଭବିଷ୍ୟତ ନେଇ ସେମାନେ ଆଶଙ୍କାରେ ରହିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ତେଣୁ ଏ ବର୍ଷ ଲୋକେ ଏଠାରେ ଅକ୍ଷୟ ତୃତୀୟା ପାଳନରୁ ବିରତ ରହିଛନ୍ତି। ସବୁ ବର୍ଷ ବିହନ ନିଗମ ମାଧ୍ୟମରେ ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଧାନ ଓ ଅନ୍ୟାନ୍ୟ ଖରିଫ୍‍ ବିହନ ଯୋଗାଇ ଦିଆଯାଇଥାଏ। ବିହନ ଯୋଗାଇବା ତ ଦୂରର କଥା ଏଯାବତ୍‍ ଅନେକ ବିହନ ଚାଷୀଙ୍କ ଠାରୁ ନିଗମ ଧାନ ସଂଗ୍ରହ କରିନାହିଁ। ଫଳରେ ବେଶ୍‍ ଖର୍ଚ୍ଚାନ୍ତ ହୋଇ ବିହନ ଚାଷ କରିଥିବା ଚାଷୀମାନେ ବିହନ ନିଗମକୁ ଯୋଗାଇବା ପାଇଁ ସାଇତି ରଖିଥିବା ଧାନକୁ କିପରି ସୁରକ୍ଷିତ ରଖିବେ, ସେଥିନେଇ ଚିନ୍ତିତ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯେଉଁଠି ବି ଖରାଟିଆ ଧାନଚାଷ ହୋଇଛି, ସେଥିରୁ ଅଧିକାଂଶ ଜମି ଏବେ ଫାଟି ଆଁ କଲାଣି। ବିଦ୍ୟୁତ୍‍ ନ ଥିବାରୁ ଉଠାଜଳସେଚନ ମାଧ୍ୟମରେ ଧାନ ବଞ୍ଚାଇବା ମଧ୍ୟ ଅସମ୍ଭବ। ଅନ୍ୟପକ୍ଷରେ କେନାଲ ବ୍ୟବସ୍ଥା ଥିଲେ ବି ଡେଲାଙ୍ଗ, ପିପିଲି ଭଳି ଅନେକ ଅଞ୍ଚଳକୁ ସପ୍ତାହରୁ ଅଧିକ ସମୟ ଧରି କେନାଲ ପାଣି ଆସୁନାହିଁ । ଗାଁ ଗହଳରେ ଗଡ଼ିଆ ପୋଖରୀରେ ଗଛପତ୍ର ପଡ଼ି ପାଣି ପଚି କଳାରଙ୍ଗ ହୋଇଗଲାଣି। ଏହା ବ୍ୟବହାର କରିବା ତ ଦୂରର କଥା, ଦୁର୍ଗନ୍ଧରେ ପାଖକୁ ଲୋକେ ଯାଉନାହାନ୍ତି। ଏହାର ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଥିବାରୁ ପାନୀୟ ଜଳ ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ବର୍ଷା ପୂର୍ବରୁ ଏହି କୂଅ ପୋଖରୀଗୁଡ଼ିକର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। ନ ହେଲେ ମହାମାରୀ ବ୍ୟାପିବାରେ ଏଗୁଡ଼ିକ ମାଧ୍ୟମ ହେବେ। ତେଣୁ ଏ ବର୍ଷ ସଅଳ ମୌସୁମୀ ଆସିବାର ପ୍ରାକ୍‍ ସୂଚନା କ୍ଷତିଗ୍ରସ୍ତ ଲୋକଙ୍କୁ ବିକଳ ସ୍ଥିତିକୁ ଟାଣି ନେଉଛି।

ସ୍କୁଲ୍‌ ବାରଣ୍ଡାରେ ଆଶ୍ରୟ ନେଇଥିବା ଲୋକେ ସ୍କୁଲ୍‌ ଖୋଲିଲେ ଲୋକେ କେଉଁଠି ରହିବେ, ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଏଥିସହ ଭାଙ୍ଗିଯାଇଥିବା ଅଧିକାଂଶ ସ୍କୁଲ୍‌ ଗୃହ ଏବେ ଅସଜଡ଼ା ହୋଇ ପଡ଼ିଛି। ସ୍କୁଲ୍‌ ଛୁଟି ଶେଷ ହେବାକୁ ବସିଛି। ସ୍କୁଲ୍‌ ଛୁଟି ଶେଷ ହେବା ପରେ କେଉଁଠି ପାଠ ପଢ଼ା ହେବ, ତାହା ଏବେ ବି କାହାକୁ ଜଣାନାହିଁ। ରଜ ପରେ ଖୋଲିବ ସ୍କୁଲ୍‌। ଜୁନ୍ ୧୯ରେ ସମସ୍ତ ସ୍କୁଲ୍‌ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି। ହେଲେ ବାତ୍ୟା ଫୋନିରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ୍‌ ଘର ଭାଙ୍ଗି ଯାଇଥିବାରୁ କେମିତି ପାଠ ପଢ଼ା ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ। କେଉଁଠି ସ୍କୁଲ୍‌ର ଛାତ ଉଡ଼ି ଯାଇଥିଲା ତ ଆଉ କେଉଁଠି ପାଚେରୀ ଭାଙ୍ଗି ଯାଇଥିଲା। ଆଉ କେଉଁ ସ୍କୁଲ୍‌ରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କେଉଁଠି ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ଶାଳା ଭାଙ୍ଗି ଯାଇଥିଲା। ବାତ୍ୟା ଫୋନିକୁ ଆଜି ମାସେ ପୂରିଥିବା ବେଳେ ଅଧିକାଂଶ ସ୍କୁଲ୍‌ ଘର ସଜଡ଼ା ହୋଇପାରି ନାହିଁ। ଫଳରେ ସ୍କୁଲ୍‌ ଖୋଲିଲେ କେମିତି ପାଠ ପଢ଼ା ହେବ, ସେଇ ଚିନ୍ତା ଏବେ ସମସ୍ତଙ୍କ ଘାରିଛି। ବାତ୍ୟା ଫନିରେ ଅଧିକାଂଶ ସ୍କୁଲ୍‌କୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇଥିଲା। ସେସବୁ ସ୍ଥାନ ଅସଜଡ଼ା ହୋଇପଡ଼ିଛି। ସେହିପରି ଏବେ ଯାଏଁ ଅଧିକାଂଶ ଲୋକ ଘର ମରାମତି କରିପାରି ନ ଥିବାରୁ ଲୋକେ ସ୍କୁଲ୍‌ ଘରେ ଆଶ୍ରୟ ନେଇଛନ୍ତି। ତେବେ ଏହି ସ୍କୁଲ୍‌ମାନଙ୍କରେ କେମିତି ପାଠପଢ଼ା ହେବ ତାହା ବି ପ୍ରଶ୍ନବାଚୀ ଘେରରେ। ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳକୁ ଛାର୍‌ଖାର୍‌ କରି ଦେଇ ଚାଲିଗଲା ପରେ ସରକାର ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ସ୍ଥିତି ସଜାଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତତ୍‌କ୍ଷଣାତ୍‌ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ୟାକେଜ୍‌ ବି ଘୋଷଣା ହେଲା। ଜରୁରୀକାଳୀନ ରିଲିଫ୍‌ ସାମଗ୍ରୀ ବି ଦିଆଗଲା। ହେଲେ ଫୋନି ଆସିବାର ମାସେ ପୂରି ଯାଇଥିଲେ ବି କ୍ଷତିକ୍ଷତି ହୋଇଥିବା ସ୍ଥାନଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ଯେଭଳି ଆଶାନୁରୂପକ ହେବା କଥା,  ତାହା ହୋଇପାରିନାହିଁ। ଯେଉଁ ତତ୍ପାରତା ସହ କାର୍ଯ୍ୟ ଆରମ୍ଭ ହୋଇଥିଲା, ତାହା ଏବେ ଧିମେଇ ଗଲା ପରି ମନେ ହେଉଛି। ଆଗକୁ ମୁଣ୍ଡ ଉପରେ ମୌସୁମୀ। ଏଣୁ ଫୋନି ଦ୍ବାରା ବାସହରା ହୋଇଥିବା ଲୋକଙ୍କ ମଧ୍ୟରେ ପଡ଼ିଗଲାଣି ଭାଳେଣି। କେତେ ଶୀଘ୍ର ସରକାର ଓ ପ୍ରଶାସନ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରି ବାସହରା ଓ ଅନ୍ୟାନ୍ୟ ପୀଡ଼ିତଙ୍କୁ କ୍ଷତିଭରଣା ଯୋଗାଇବା ସାଙ୍ଗକୁ ସେମାନଙ୍କ ସ୍ଥାନ ଓ ପରିବେଶକୁ ସଜାଡ଼ିବେ ତାହାକୁ ବ୍ୟଗ୍ରତାର ସହ ଅପେକ୍ଷା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?