ଆମେରିକୀୟ ବିୟର୍‌ ଇଣ୍ଡଷ୍ଟ୍ରୀରେ ନିଯୁକ୍ତି ସଙ୍କଟ, ଟ୍ରମ୍ପ୍‌ଙ୍କୁ ଦାୟୀ କଲେ ବ୍ୟବସାୟୀ


ଟ୍ରମ୍ପ୍‌ ପ୍ରଶାସନ ଧାତବ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରିବା ଫଳରେ ଏହାର ପ୍ରଭାବ ବିୟର୍‌ ଇଣ୍ଡଷ୍ଟ୍ରୀ ଉପରେ ପଡ଼ିଛି। ଏହି କାରଣରୁ ବିଭିନ୍ନ ବିୟର୍‌ ଇଣ୍ଡଷ୍ଟ୍ରୀରେ ନିଯୁକ୍ତି ସଙ୍କଟ ବଢ଼ିବାରେ ଲାଗିଛି। ବିୟର୍‌ ଦାମ୍‌ ବୃଦ୍ଧି ପାଇଥିବାରୁ ବ୍ୟବସାୟୀମାନେ ଖର୍ଚ୍ଚ କାଟ୍‌ କରିବା ସକାଶେ ଛଟେଇକୁ ସମାଧାନ ପନ୍ଥା ଭାବେ ଗ୍ରହଣ କରିଛନ୍ତି। ତେଣୁ ଗତ ୨ ବର୍ଷ ମଧ୍ୟରେ ଦେଶର ବିୟର୍‌ ଇଣ୍ଡଷ୍ଟ୍ରୀରେ ପାଖାପାଖି ୪୦ ହଜାର କର୍ମଚାରୀ ସେମାନଙ୍କ କର୍ମସଂସ୍ଥାନ ହରାଇସାରିଲେଣି। କୌଣସି ନିବେଶକ ଏହି କ୍ଷେତ୍ରରେ ନିବେଶ କରିବାର ରିସ୍କ ନେବାକୁ ଚାହୁଁନାହାନ୍ତି ବୋଲି ବିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏଣ୍ଡ୍‌ ନ୍ୟାସନାଲ୍‌ ବିୟର୍‌ ହୋଲ୍‌ସେଲର୍ସ ଆସୋସିଏସନ୍‌ ପକ୍ଷରୁ ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ରିପୋର୍ଟ ଅନୁସାରେ ଗତ ୨୦୧୬ରୁ ୨୦୧୮ ମଧ୍ୟରେ ୪୦ ହଜାର କର୍ମଚାରୀ ସେମାନଙ୍କ କର୍ମସଂସ୍ଥାନ ହରାଇଛନ୍ତି। ଦେଶର ବିୟର୍‌ ଇଣ୍ଡଷ୍ଟ୍ରୀରେ ଗତ ୨୦୧୬ରେ ୨.୨୩ ନିୟୁତ ଲୋକ କାମ କରୁଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୨.୧୯ ନିୟୁତକୁ ଖସିଆସିଛି। ଏ ସଂକ୍ରାନ୍ତରେ ୱାଶିଂଟନ୍‌ସ୍ଥିତ ବିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିମ୍‌ ମ୍ୟାକ୍‌ଗ୍ରିଭି କହିଛନ୍ତି, ଆଲୁମିନିୟମ୍‌ ଦର ବୃଦ୍ଧି ପାଇବା ଫଳରେ ଆଲୁମିନିୟମ୍‌ କ୍ୟାନ୍‌ ମହଙ୍ଗା ହୋଇଛି। ଏହା ବିୟର୍‌ ଇଣ୍ଡଷ୍ଟ୍ରୀର ଅଗ୍ରଗତିରେ ବାଧକ ସାଜିଛି। ତେଣୁ ଉତ୍ପାଦନ ଖର୍ଚ୍ଚ ଅଧିକ ହେଲେ କମ୍ପାନୀମାନେ କେଉଁ ସୂତ୍ରରୁ ଏହାର ଭରଣା କରିବେ, ସେଥିନେଇ ଦ୍ବନ୍ଦ୍ବରେ ଅଛନ୍ତି। ଏହାର ଭରଣା ପାଇଁ କେତେକ କମ୍ପାନୀ କର୍ମଚାରୀଙ୍କ ଛଟେଇକୁ ଏକ ମାଧ୍ୟମ ବୋଲି ବିବେଚନା କରୁଥିବା ଜିମ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମ୍ପ୍‌ ପ୍ରଶାସନ ଧାତବ ପଦାର୍ଥର ଆମଦାନି ସଂକ୍ରାନ୍ତ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ