ତିବ୍‌ବତ ସୀମାରେ ଚୀନର ଯୁଦ୍ଧ ବିମାନ ମୁତୟନ: ବଢ଼ିଲା ଭାରତର ଚିନ୍ତା


ଡୋକଲାମ: ଡୋକଲାମ ଠାରେ ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିଯାଇଛି। ମାତ୍ର ଚୀନ ଯେଭଳି ଢଙ୍ଗରେ ଭାରତକୁ ଟାର୍ଗେଟ୍‌ କରୁଛି, ସୁରକ୍ଷା ଦୃଷ୍ଟିରୁ ତାହା ଭାରତ ପାଇଁ ଚିନ୍ତାଜନକ ହୋଇଛି। ଭାରତ ସୀମାରେ ଚୀନ ଅତି ଗୁପ୍ତ ଭାବରେ ଭୟାନକ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରମାନ ଠୁଳ କରିବାରେ ଲାଗିଛି। ଏହା ଭାରତୀୟ ସୀମାର ଅତି ନିକଟରେ ହୋଇଥିବାରୁ ଭାରତ ଏବେ ଚିନ୍ତାରେ।

ସୁରକ୍ଷା ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ଚୀନ ଏହାର ଜିନଜିଆଙ୍ଗ ଅଞ୍ଚଳରେ ଥିବା ମଲାନ ଏୟାରବେସ୍‌ ଠାରେ ଡିଭାଇନ ଇଗଲ ନାମକ ଜେଟ୍‌ ଓ ୟୁଏଭି ଲଢ଼ୁଆ ବିମାନ ମୁତୟନ କରିଛି। ଡିଭାଇନ ଇଗଲ ଜେଟ୍‌ ହେଉଛି ଚୀନର ସବୁଠୁ ବଡ଼ ଅନ୍‌ମ୍ୟାନ୍‌ଡ ଏରିଆଲ ଭେଇକିଲ (ୟୁଏଭି)। କେବଳ ଏତିକି ନୁହେଁ, ଏଥି ସହିତ ଏଚ୍‌-୬କେ ବୋମାବର୍ଷୀ ଲଢ଼ୁଆ ଯୁଦ୍ଧବିମାନ ମଧ୍ୟ ମୁତୟନ କରିଛି ଚୀନ। ଏହି ବିମାନ ଶତ୍ରୁ ଦେଶ ଉପରେ ଲଗାତର ଭାବେ ବୋମା ବର୍ଷଣ କରିବାରେ ସକ୍ଷମ।

ଡିଭାଇନ ଇଗଲ ଜେଟ୍‌ର ଲମ୍ବା ୧୫ ମିଟର ଏବଂ ଏୟାର ଡେଣାର ଲମ୍ବା ୩୫ରୁ ୪୦ ମିଟର ପର୍ଯ୍ୟନ୍ତ। ଏହି ବିମାନ ନିଜ ସାଥୀରେ ୧୫ ଟନ ପର୍ଯ୍ୟନ୍ତ ସାମଗ୍ରୀ ଉଠାଇ ନେଇପାରେ। ଏଥିଯୋଗୁଁ ଏହାକୁ ସାରା ବିଶ୍ବର ସବୁଠୁ ବଡ଼ ୟୁଏଭି କୁହାଯାଉଛି। ଅନ୍ୟପକ୍ଷରେ ଏଚ୍-୬କେ ବୋମାବର୍ଷୀ ବିମାନ ଜରିଆରେ ଚୀନ ବହୁଦୂର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଦମନ କରିପାରେ। ଶତ୍ରୁ ମୁକାବିଲାରେ ଏହି ବିମାନ ଆମେରିକୀୟ ଯୁଦ୍ଧ ବିମାନ ଠାରୁ ମଧ୍ୟ ଅଧିକ ଭୟାନକ ବୋଲି ଚୀନ ଗଣମାଧ୍ୟମ ଗୁଡ଼ିକ ଦାବି କରନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ତିବ୍‌ବତରେ ଥିବା ହୋପିଙ୍ଗ ଏୟାରଫିଲ୍‌ଡ ଠାରେ ଚୀନ ନିଜର ବିମାନ ଆଡ୍ଡା ତିଆରି କରିସାରିଛି। ଏହା ଜରିଆରେ ଚୀନ ଶତ୍ରୁଦେଶର ବିମାନ ଆକ୍ରମଣକୁ ଭଲଭାବେ ପ୍ରତିହତ କରିପାରିବା ସହିତ ମୁକାବିଲା କରିବାରେ ଶତ ପ୍ରତିଶତ ସକ୍ଷମ ହୋଇପାରିବ। ଅରୁଣାଚଳ ପ୍ରଦେଶ ଠାରୁ ପାଖାପାଖି ୯୦୦ କିମି ଦୂର ମଧ୍ୟରେ ଚୀନ ତରଫରୁ ସିକ୍ରେଟ ଗାଇଡେଡ ମିସାଇଲ ୟୁନିଟ ସ୍ଥାପନ କରାଯାଇଛି। ଚୀନ ସେନାର ଦକ୍ଷିଣ କମାଣ୍ଡ ଏଥିଯୋଗୁଁ ଶକ୍ତିଶାଳୀ ହୋଇପାରିଛି। ଚୀନ ତରଫରୁ ୟୁକ୍‌ସି ଠାରେ ୬୨୨ ମିସାଇଲ ବ୍ରିଗେଡ ମଧ୍ୟ ମୁତୟନ କରାଯାଇସାରିଛି। ଏହି ବ୍ରିଗେଡ ଅଧିକ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିପାରିବା ଭଳି ମାରକ କ୍ଷମତା ରଖିଥିବା ଜଣାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ