‘ମୁଁ ବିଜୟାନନ୍ଦ କହୁଛି’ ନାଟକ ମଞ୍ଚସ୍ଥ


ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଗୁରୁବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ସମୟରେ ରାଉରକେଲାର ସମ୍ପର୍କ ପକ୍ଷରୁ ନାଟକ ‘ମୁଁ ବିଜୟାନନ୍ଦ କହୁଛି...’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ରଚନା ଓ ନିର୍ଦେଶନା ଭାସ୍କରଚନ୍ଦ୍ର ମହାପାତ୍ର ଦେଇଥିବା ବେଳେ  ସଙ୍ଗୀତରେ ଭାସ୍କର ପୁହାଣ, ଅଜୟ ପାଣି, ବିବେକ ପଣ୍ଡା ଓ ପ୍ରଦୀପ ଗୁରୁୱାରା ସହଯୋଗ କରିଥିଲେ। ଏହି ସନ୍ଧ୍ୟାରେ ଅତିଥି ଭାବେ ପ୍ରଶାସକ ଭରତ ଚନ୍ଦ୍ର ବେହେରା, ଗଗନ ବିହାରୀ ଦାସ ଓ ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜୁ ବାବୁଙ୍କ ଜୀବନକୁ ଆଧାର କରି ରଚିତ ହୋଇଥିଲା ଏହି ନାଟକଟି। ଜଣେ ଶିକ୍ଷକ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ପୁଅଙ୍କ ନାମ ପ୍ରେମ ଓ ନବୀନ ରଖିଛନ୍ତି। ପରିଣତ ବୟସରେ ସେ ନିଜକୁ ବିଜୁ ପଟ୍ଟନାୟକ ବୋଲି କହି ବିଜୁ ବାବୁଙ୍କ ପରି ସମାଜରୁ ଦୁର୍ନୀତିକୁ ଦୂର କରିବା ପାଇଁ ଲାଗି ପଡ଼ିଛନ୍ତି। ଅନ୍ୟାୟ ବିରୋଧରେ ସଂଗ୍ରାମ କରି ସେ ସମାଜ ଦ୍ବାରା ପାଗଳର ଆଖ୍ୟା ପାଇଛନ୍ତି। ବଡ଼ପୁଅ, ସାନବୋହୂ ଓ ଅନ୍ୟମାନେ ତାଙ୍କୁ ପାଗଳ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଯୋଜନା କରିଥିବା ବେଳେ ସାନପୁଅ ନବୀନ ବାପା ପାଗଳ ନୁହନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ ମତରେ ଭକ୍ତ ବେଳେ ବେଳେ ନିଜକୁ ଭଗବାନ ବୋଲି ପ୍ରକାଶ କରେ, ହେଲେ ଯେତେବେଳେ ସେ ଭଗବାନଙ୍କୁ ଦେଖି ପକାଏ ତା’ ମନରୁ ସେ ଭ୍ରାନ୍ତ ଧାରଣା ଆପେ ଆପେ ଦୂରେଇଯାଏ। ତେଣୁ ସେ ବିଜୁ ବାବୁଙ୍କ ପରି ଦେଖାଯାଉଥିବା ଜଣେ କଳାକାରଙ୍କୁ ଡାକି ଆଣି ନିଜ ବାପାକୁ ଭଲ କରିଛନ୍ତି। ଏପରି କଥା ବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଛି ନାଟକ ‘ମୁଁ ବିଜୟାନନ୍ଦ କହୁଛି’। ନାଟକର ବିଭିନ୍ନ ଚରିତ୍ରରେ ନୃସିଂହ, ଭାସ୍କର, ଗଙ୍ଗାଧର, ବିଜୟ, ସୁରେନ୍ଦ୍ର, ମାନସ, ଅସିତ୍‌ ବେହେରା, ସୁଦେଷ୍ଣାରାଣୀ ରାଉତ, ରାନୁ ମହାପାତ୍ର, ସଚ୍ଚିଦାନନ୍ଦ ଓ ସୂର୍ଯ୍ୟ ପ୍ରମୁଖ ଅଭିନୟ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ