ନାଟକ ‘ତା’ରି ଲାଗି’ ମଞ୍ଚସ୍ଥ


ସ୍ରୀଷ୍ଟି ଥିଏଟର ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ‘ସ୍ରୀଷ୍ଟି ହାସ୍ୟରସାତ୍ମକ ନାଟକ ଓ ସ୍ରୀଷ୍ଟି ଦର୍ଶକବନ୍ଧୁ ପୁରସ୍କାର’ ପ୍ରଦାନ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଶେଷ ସନ୍ଧ୍ୟାରେ ଉତ୍କଳ ଥିଏଟର ଭୁବନେଶ୍ବର ପକ୍ଷରୁ ମଞ୍ଚସ୍ଥ ହୋଇଛି ନାଟକ ‘ତା’ରି ଲାଗି’। ଡ. ବିଜୟ ମିଶ୍ର ନାଟ୍ୟ ରଚନା କରିଥି‌ବା ବେଳେ ଏହାର ନିର୍ଦେଶନା ଦେଇଥିଲେ କୈଳାସ ମହାପାତ୍ର।

ବସ୍ତୁବାଦୀ ମଣିଷ ଜୀବର ମୂଲ୍ୟବୋଧ ଅପେକ୍ଷା ବସ୍ତୁ ପଛରେ ଧାଇଁ ଚାଲିଛି। ସାମାନ୍ୟ ଗୋଟିଏ କାଗଜ ହଜିଯିବା ଘଟଣାରୁ ବିରାଟ ଜୀବନ ଦର୍ଶନ ସୃଷ୍ଟି କରି ଆକସ୍ମିକତା ଭିତରେ ବ୍ୟକ୍ତି କୈନ୍ଦ୍ରିକ ମନରେ ରହସ୍ୟକୁ ଉଦ୍‌ଘାଟନ କରାଯାଇଛି ନାଟକରେ। ସାମାନ୍ୟ ଖଣ୍ଡେ କାଗଜ ନ ପାଇବାରୁ ବିଳାସ ବାବୁ ଦିନ ସାରା ଖୋଜି ଖୋଜି କ୍ଲାନ୍ତ ହୋଇପଡ଼ିଥିବା ବେଳେ ପରିବାରର ସମସ୍ତ ସଦସ୍ୟ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛନ୍ତି। ଏପରିକି ହୃଦ୍‌ରୋଗରେ ଆକ୍ରାନ୍ତ ବଡ଼ଝିଅ ମିନିର ବାହାଘର ପ୍ରସ୍ତାବ ଭାଙ୍ଗି ଦେବା ପାଇଁ ଦୃଢ଼ ନିଷ୍ପତ୍ତି ନେଇ ଦିନସାରା କାଗଜ ଖଣ୍ଡିକ ଖୋଜିବାରେ ବ୍ୟସ୍ତ ରହିବାରେ ନାଟକ ଗତିଶୀଳ ହୋଇଛି। ଠିକଣା ଜାଗାରେ ପହଞ୍ଚି ସେ ଦେଖୁଛି ଯେ, ଯାହା ପାଇଁ ତା’ର ଏ ଦୌଡ଼ିବା ସେଇଟା କିଛି ନୁହେଁ। ବସ୍ତୁ କୈନ୍ଦ୍ରିକ ଆଧୁନିକ ମଣିଷର ଚିନ୍ତା ରାଜ୍ୟରେ ସମାନ୍ୟ ତ୍ରୁଟି ବିଚ୍ୟୁତିକୁ କେନ୍ଦ୍ର କରି ଯେଉଁ ଆଲୋଡ଼ନ ସୃଷ୍ଟି ହୁଏ ତା’ର ପ୍ରତିଫଳନ ‘ତା’ରି ଲାଗି। ସ୍ରୀଷ୍ଟି ହାସ୍ୟ ରସାତ୍ମକ ନାଟ୍ୟ ଉତ୍ସବରେ ଉତ୍କଳ ଥିଏଟରର କଳାକାରମାନେ ପରଷି ଦେଇଥିଲେ ଏହିପରି ଏକ ଭିନ୍ନ ସ୍ବାଦର ନାଟକ। ନାଟକର ବିଭିନ୍ନ ଚରିତ୍ରରେ ଜୀମୂତ ପଟ୍ଟନାୟକ, ଦିଲ୍ଲୀପ ମହାପାତ୍ର, ଭକ୍ତି, ପିଙ୍କି, କୈଳାସ ମହାପାତ୍ର, କୈଳାସ ସେନାପତି, ଦୁଷ୍ମନ୍ତ, ରାଜୀବ ଲୋଚନ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ନାଟ୍ୟକାର ଡ.ବିଜୟ ମିଶ୍ର, ପ୍ରିୟରଞ୍ଜନ ଦାଶ, ବିଷ୍ଣୁ ପ୍ରସାଦ ପାଲ୍‌, ବିନୟ ଭୂଷଣ ପଟ୍ଟନାୟକ, ପ୍ରକାଶ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ। ହରେନ୍‌ ସାହୁ ମଞ୍ଚ ପରିଚାଳନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ