ଗଣଙ୍କ ପାଇଁ ତନ୍ତ୍ର କାହିଁ ?


ସାରା ବିଶ୍ବରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଥିବା ଭାରତ ଚଳିତ ବର୍ଷ ତା’ର ୭୦ତମ ଗଣତନ୍ତ୍ର ଦିବସ ପାଳନ କରିଛି। ବିଭିନ୍ନତା ଭିତରେ ଏକତାର ଏହି ଦେଶରେ ସମଗ୍ର ଦେଶବାସୀଙ୍କୁ ଶାସନ ବ୍ୟବସ୍ଥା ଯେଉଁ ଡୋରିରେ ବାନ୍ଧିଛି, ତାହାକୁ ଗଣତନ୍ତ୍ର କୁହାଯିବ। ଏଠି ସରକାର ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ ବୋଲି ଧରିନିଆଯାଏ। ଦେଶ ଶାସନର ଦସ୍ତାବିଜ ‘ସମ୍ବିଧାନ’ରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଅଭିହିତ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ ନ୍ୟାୟ, ସ୍ବାଧୀନତା, ସମାନତା ଓ ସମ୍ପ୍ରଦାୟକୁ ସମ୍ମାନ ଆଦି ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରାଯିବା ନିମନ୍ତେ ପ୍ରାବଧାନ ରଖାଯାଇଛି। ବିଭିନ୍ନ ପରିସ୍ଥିତିରେ ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠା ଆଧାରରେ କାୟମନୋବାକ୍ୟରେ ଏହାର ମାନ ରଖାଯାଇ ପାରିଲେ ହିଁ ବ୍ୟବସ୍ଥା ସଠିକ ମାର୍ଗରେ ଚାଲିପାରିବ। ଯଦ୍ଦ୍ବାରା ଦେଶବାସୀ ଗଣତନ୍ତ୍ରର ମହକ ବାରିପାରିବେ। ଅବଶ୍ୟ ଏ କଥା ନୁହେଁ ଯେ ଭାରତ ପଥଭ୍ରଷ୍ଟ ହୋଇଯାଇଛି। କିନ୍ତୁ ଗଣତନ୍ତ୍ରର ଅସଲ ସଂଞାକୁ ହୃଦୟଙ୍ଗମ କରିପାରିଲେ ଓ କରାଯାଇ ପାରିଲେ ହିଁ ସମ୍ବିଧାନ ନିସୃତ ଭାରତର ଅସଲ ମର୍ଯ୍ୟାଦା ରକ୍ଷା କରାଯାଇ ପାରିବ।

ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମଗ୍ର ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବା ନିମନ୍ତେ ସମ୍ବିଧାନରେ ଉଲ୍ଲେଖ ରହିଛି। ଯେପରି କେହି ଏଥିରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ରଖାଯିବାକୁ କୁହାଯାଇଛି। ଯଦିଓ ଭାରତ ଭଳି ପାଖାପାଖି ୧୨୦ କୋଟି ଦେଶବାସୀଙ୍କ ଏହି ରାଷ୍ଟ୍ରରେ ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଇବା କଷ୍ଟକର ବ୍ୟାପାର, ତଥାପି ଏ ଦିଗରେ ଉଦ୍ୟମ କରାଯିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଉପରୋକ୍ତ ତିନୋଟି ପ୍ରମୁଖ କ୍ଷେତ୍ରରେ ନ୍ୟାୟ ପ୍ରଦାନ ନେଇ ଆଜି ବି ସନ୍ଦେହ ରହିଛି। କେଉଁଠି ଶାସକ ଓ ପ୍ରଶାସକଙ୍କ ଇଚ୍ଛାଶକ୍ତିର ଅଭାବ ରହିଛି ତ କେଉଁଠି ସାଧାରଣ ଜନତା ଏ ଦିଗରେ ଉନ୍ନତି କରିବା ପାଇଁ ଅନିଚ୍ଛୁକ, ଅନାଗ୍ରହୀ। ସମାଜରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ନ୍ୟାୟ ଅପେକ୍ଷାରେ ଥିବା ଲୋକଙ୍କୁ ନିରାଶ କରାଯିବା ଅନୁଚିତ। ତେବେ ଏଥିପାଇଁ ଜନସାଧାରଣ ନିଜର ଦାୟିତ୍ବ, କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ। ଫଳରେ ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ଥିବା ଫରକ ଜାଣିହେବ। ତଦନୁଯାୟୀ ଯେଉଁଠି ହକ୍‌ ପାଇଁ ଲଢ଼େଇ ଆବଶ୍ୟକ, ସେଠି ସ୍ବର ଉତ୍ତୋଳନ କରାଯାଇପାରିବ।

ସ୍ବାଧୀନତା ମଧ୍ୟ ସମ୍ବିଧାନରେ ଉଲ୍ଲିଖିତ ଏକ ପ୍ରମୁଖ ପ୍ରସଙ୍ଗ। ଭାରତବାସୀଙ୍କୁ ଚିନ୍ତାଧାରା, ଅଭିବ୍ୟକ୍ତି, ବିଶ୍ବାସ, ଆସ୍ଥା ଏବଂ ପୂଜାର୍ଚ୍ଚନା ଓ ଆରାଧନା ଆଧାରରେ ସ୍ବାଧୀନତା ଦିଆଯିବା ଆବଶ୍ୟକ। ଏହାର ଅନେକ ଗୁଡ଼ିଏ ଦିଗ ରହିଥିବାରୁ ଏ ନେଇ ଜଟିଳତା ମଧ୍ୟ ଅଧିକ। ଖାସ୍‌ ସେଥିପାଇଁ ଏହାକୁ ନେଇ ଦେଶରେ ଅନେକ ସମୟରେ ତର୍କ ବିତର୍କ ହୋଇଥାଏ। ବିଭିନ୍ନ ସଂସ୍କୃତି ଓ ପରମ୍ପରାର ଦେଶ ଭାରତରେ ଏହି ପ୍ରସଙ୍ଗକୁ ନେଇ ମତାନ୍ତର କରିବା ସ୍ବାଭାବିକ। କିନ୍ତୁ ଆଜିର ସମୟରେ ଯେଉଁଭଳି ଭାବେ ଜାତି, ଧର୍ମ ଓ ସମ୍ପ୍ରଦାୟ ଆଧାରରେ ରାଜନୀତି ହେଉଛି, ସେ କ୍ଷେତ୍ରରେ ଏଭଳି ମତାନ୍ତର କମିବା ପରିବର୍ତ୍ତେ ବଢ଼ୁଛି। ଏହା ନିଆଁରେ ଘିଅ ଢାଳିବା ସଦୃଶ ହେଉଛି। ନିଜସ୍ବ ସ୍ବାର୍ଥ ଠାରୁ ଦୂରେଇ ରହିଲେ ହିଁ ଏହା ସମ୍ଭବ ହେବ। ଅପରପକ୍ଷେ ଉପରୋକ୍ତ ସ୍ବାଧୀନତା ଆଳରେ ସାଥୀ ଦେଶବାସୀଙ୍କୁ ପଥଭ୍ରଷ୍ଟ କରାଇବା ଅଥବା ସେମାନଙ୍କ ମନରେ ନିଜସ୍ବ ପରିକଳ୍ପିତ ଚିନ୍ତାଧାରାର ଉଦ୍ରେକ କରାଇବା ମଧ୍ୟ ବିଧେୟ ନୁହେଁ। ଏଣୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବା ସମ୍ପ୍ରଦାୟ ନୁହେଁ, ସଭିଙ୍କୁ ସଦ୍‌ଭାବନା ଓ ଭାଇଚାରାର ମନ୍ତ୍ରରେ ଦୀକ୍ଷିତ ହେବାକୁ ପଡ଼ିବ।

ସେହିପରି ସମାନତା ଓ ସମ୍ପ୍ରଦାୟକୁ ସମ୍ମାନ ମଧ୍ୟ ସମ୍ବିଧାନର ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଆମ ସମାଜର ବିଭିନ୍ନ ଶ୍ରେଣୀ ମଧ୍ୟରେ ସମାନତା ରକ୍ଷା କରିବା ଏକ କାଠିକର ପାଠ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଜିର ଦିନରେ ଧନୀ ଆହୁରି ଧନୀ ଓ ଗରିବ ଅଧିକ ଗରିବ ହେବାରେ ଲାଗିଛନ୍ତି। ଏହା ବାଦ୍‌ ବିଭିନ୍ନ ଶ୍ରେଣୀ ମଧ୍ୟରେ ସମାନତା ନ ରହିଲେ ଦୁର୍ବଳ ଶ୍ରେଣୀ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ। ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଜରୁରୀ। ଅନୁରୂପ ଭାବେ ସମ୍ପ୍ରଦାୟକୁ ସମ୍ମାନ ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ବ୍ୟକ୍ତିବିଶେଷ ବା ସମ୍ପ୍ରଦାୟକୁ ସମ୍ମାନ ଏହାର ଅନ୍ତର୍ଗତ। ରାଷ୍ଟ୍ରୀୟ ଏକତା ପାଇଁ ଏହା ଯଥେଷ୍ଟ ଗୁରୁତ୍ବ ବହନ କରେ। ସମଗ୍ର ଦେଶବାସୀଙ୍କର ପରସ୍ପର ପ୍ରତି ଏଭଳି ସମ୍ମାନ ରହିଲେ ହିଁ ବିଭିନ୍ନତା ମଧ୍ୟରେ ଏକତାର ସ୍ପଷ୍ଟ ଝଲକ ଦେଖିବାକୁ ମିଳିବ।

ଏଯାବତ୍‌ ୭୦ ଥର ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲେ ହେଁ କେତେ ସଂଖ୍ୟକ ଦେଶବାସୀ ଅସଲରେ ଏହାର ସଂଞା ଓ ଅର୍ଥ ବୁଝିପାରିଛନ୍ତି? ଯେଉଁମାନେ ବୁଝିଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଏହାକୁ କାର୍ଯ୍ୟରେ ଲଗାଇଛନ୍ତି? ଆଉ ଏ ସମ୍ପର୍କରେ ଅନଭିଞ ଥିବା ଲୋକଙ୍କୁ ସେମାନେ ସଚେତନ କରାଇଛନ୍ତି କି? ତା’ହେଲେ କେମିତି ସୁଚାରୁ ରୂପେ ବ୍ୟବସ୍ଥା ଚାଲିବ? ଏହା ଗଣତନ୍ତ୍ର ପ୍ରତି ବିପଦ ନୁହେଁ କି? ଗଣଙ୍କ ପାଇଁ ତନ୍ତ୍ର କାହିଁ? ଏସବୁ ପ୍ରଶ୍ନର ଉତ୍ତରରେ ହିଁ ଏହାର ସମାଧାନ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ