ପରୀକ୍ଷା ଚାପକୁ ଦୂରେଇବେ କିପରି?


ଆଗକୁ ଆସୁଛି ପରୀକ୍ଷା ୠତୁ। ପିଲାଙ୍କ ସହ ସେମାନଙ୍କର ପିତାମାତା ବି ଚାପରେ। ବର୍ଷ ଆରମ୍ଭରୁ ପାଠ ପ୍ରତି ଅବହେଳା କରିଥିବା ପିଲାଙ୍କୁ ଘାରିଛି ଚିନ୍ତା। ଜାନୁଆରୀରୁ ମାର୍ଚ୍ଚ ଯାଏ ପରୀକ୍ଷାର ଏହି ସମୟ କିଭଳି ଅତିକ୍ରାନ୍ତ ହେବ, ସେଥିପାଇଁ ଚିନ୍ତା ଆଉ ଚାପ। ନିଜ ପିଲା କିଭଳି ଅଧିକ ନମ୍ବର ରଖୁ ବୋଲି ବାପା ମା’ ଚାହୁଁଥିବା ବେଳେ ମନେରହୁ ନ ଥିବା ପାଠକୁ ଘୋଷି ଘୋଷି ସଫଳତା ପାଇବାର ପ୍ରୟାସ ଚଳାଇ ରଖିଥିବା ପିଲା ପରୀକ୍ଷାକୁ କିଭଳି ମୁକାବିଲା କରିବ ବାଟ ଖୋଜୁଛି। ଆସନ୍ତୁ ଜାଣିବା ପରୀକ୍ଷା ସମୟରେ ପିଲାଙ୍କୁ ଚାପମୁକ୍ତ କରାଯିବାର କେତେକ କୌଶଳ। ଯାହାର ଆଧାରରେ ପରୀକ୍ଷା ପାଇଁ ମାନସିକ ସନ୍ତୁଳନ ହରାଇ ବସିବା ପୂର୍ବରୁ ପିଲାମାନଙ୍କୁ ରକ୍ଷା କରାଯାଇ ପାରିବ।

ତୀବ୍ର ପ୍ରତିଦ୍ବନ୍ଦ୍ବିତା, ଅଧିକ ନମ୍ବର ପାଇବାର ଲାଳସା, ନିଜ ପିଲାଙ୍କ ଉପରେ ସେମାନଙ୍କ ସାମର୍ଥ୍ୟ ଠାରୁ ଅଧିକ ଆଶା ଓ ସାମାଜିକ ସ୍ଥିତି ଏବଂ ସମ୍ମାନ ରକ୍ଷା ପାଇଁ ପରୀକ୍ଷା ସମୟରେ ଚିନ୍ତା ଓ ଚାପର ସ୍ତର ଅଧିକ ହୋଇଥାଏ। ଏହା ମାନସିକ ଅବସାଦ, ନର୍ଭସ ବ୍ରେକଡାଉନ ଓ ସୁଇସାଇଡ୍‌ର କାରଣ ସାଜିଥାଏ।

ହର୍ମୋନର ଅସନ୍ତୁଳନ

ଅଧ୍ୟୟନ ଅନୁଯାୟୀ ଚାପ କାରଣରୁ କୋଟିଜୋଲ ନାମକ ହର୍ମୋନର ସ୍ରାବ ଯୋଗୁ ସ୍ମୃତିଶକ୍ତି କମିଯାଇଥାଏ। ନିଦ ଆସେ ନାହିଁ। ଭୋକ ଲାଗେ ନାହିଁ। ଏକାଗ୍ରତା ରହେ ନାହିଁ। ହାତ ପାପୁଲିରୁ ଝାଳ ନିର୍ଗତ ହୁଏ। ମୁଣ୍ଡବ୍ୟଥା, ଅଣ୍ଟାବ୍ୟଥା ହୁଏ। ଏହି ସ୍ଥିତିରେ ଯଦି ଅଭିଭାବକ ଚାପହ୍ରାସ କରାଯିବା ଭଳି ପରିବେଶ ସୃଷ୍ଟି ନ କରନ୍ତି ତେବେ ପିଲାଟି ଭୁଲ୍‌ ବାଟରେ ଚାଲିଯିବାର ସମ୍ଭାବନା ସୃଷ୍ଟି ହେବ।

ପିତାମାତାଙ୍କ ଭୂମିକା ଗୁରୁତ୍ବ
ପିଲାମାନଙ୍କୁ ପଢ଼ ପଢ଼ ବୋଲି ବାରମ୍ବାର କହିବା ଏବଂ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ତଦାରଖ କରିବା ବଦଳରେ ପିତାମାତା ଯଦି ପିଲା ସହ ଅନ୍ତରଙ୍ଗ ଭାବେ କଥାବାର୍ତ୍ତା କରିବେ ସେମାନଙ୍କର ପ୍ରକୃତ ସମସ୍ୟା ବୁଝିବେ ତେବେ ଏହା ଉଭୟ ପିଲା ଓ ପିତାମାତଙ୍କ ପାଇଁ ଉତ୍ତମ ହେବ। ପରେ ଶିକ୍ଷକଙ୍କ ସହ ଆଲୋଚନା କରି ପିଲା ପାଇଁ କିଭଳି ଶିକ୍ଷାଦାନ ଦରକାର ଏହା ଜାଣି ପିଲାକୁ ସେହି ଅନୁସାରେ ପଢ଼ିବାରେ ସହାୟତା କରିବା ଉଚିତ। ପିଲାକୁ ମଝିରେ ମଝିରେ ବାହାରକୁ ବୁଲାଇନେବା ସହ ତାକୁ ମନୋରଞ୍ଜନ ଯୋଗାଇ ଦେବା ଉଚିତ। ପିଲାକୁ ଉଚିତ କାଉନସେଲିଂ କରାଗଲେ ସେମାନେ ଖୋଲାଖୋଲି ନିଜ ସମସ୍ୟା କହିବା ସହିତ ସଠିକ୍ ପ୍ରକାରେ ସହଯୋଗ କରିବେ।

କ’ଣ କରାଯିବା ଉଚିତ

ମନୋବୈଞାନିକମାନେ ଦର୍ଶାଇଥାନ୍ତି ଯେ ପିଲାଙ୍କ ମନରେ ଥିବା ନକାରାତ୍ମକ ଭାବନାକୁ ଦୂର କରାଯାଇ ପାରିଲେ ସେମାନେ ଚାପରୁ ମୁକ୍ତ ହୋଇଥାନ୍ତି। ଅସଫଳ ହେବାର କାରଣ ଗୁଡ଼ିକ ଯଦି ପିଲାମାନେ ଚିହ୍ନଟ କରିପାରନ୍ତେ ତେବେ ଏହାର ସମାଧାନ ଦିଗରେ ମଧ୍ୟ ଚିନ୍ତା କରିପାରନ୍ତେ।

ଅସଫଳ ସ୍ଥିତିରେ ନିଜକୁ ବୁଝାଇବାକୁ ପଡ଼ିବ ଯେ ଜୀବନରେ ଆଗକୁ ଆହୁରି ଅଧିକ ସୁଯୋଗ ମିଳିବ ଯେଉଁଥିରେ ସଫଳତା ହାସଲ କରାଯାଇ ପାରେ। ଯେଉଁ କାରଣରୁ ନମ୍ବର କମିଲା ତାରି ଉପରେ କ’ଣ କରାଯାଇ ପାରିବ ବାଟ ଖୋଜନ୍ତୁ। ନିଜେ ନିଜର ମୂଲ୍ୟାୟନ କରନ୍ତୁ। ନିଜର ପାଠପଢ଼ିବା କୌଶଳରେ ପରିବର୍ତ୍ତନ ଓ ସଂଶୋଧନ ଆଣନ୍ତୁ। ନିଜ ବାବଦରେ ନକାରାତ୍ମକ ଚିନ୍ତା କରନ୍ତୁନି। ଏଥିରେ ଆତ୍ମବିଶ୍ବାସ କମିଥାଏ। ନିଜ ସାଙ୍ଗସାଥୀ ଓ ବାପାମାଆଙ୍କୁ ନିଜର ଚାପ ବାବଦରେ କୁହନ୍ତୁ। ନିୟମିତ ପଢ଼ା ଅଭ୍ୟାସ ସହ ନିଜକୁ ଭଲ ଲାଗୁଥିବା ଖେଳ ଖେଳନ୍ତୁ। ଗୀତ ଶୁଣନ୍ତୁ। ବଂଶୀ, ଗିଟାର କିମ୍ବା ଅନ୍ୟ ବାଦ୍ୟଯନ୍ତ୍ର ଶିଖନ୍ତୁ। ଚେସ ଓ ଇନଡୋର ଗେମ୍‌ ପ୍ରତି ରୁଚି ରଖନ୍ତୁ।

ତୁଳନା କରନ୍ତୁ ନାହିଁ
ନିଜ ପିଲାଙ୍କୁ ପାଖ ପଡ଼ୋଶୀ କିମ୍ବା ଅନ୍ୟ ପିଲାଙ୍କ ମେଧା ସହ କଦାପି ତୁଳନା କରନ୍ତୁ ନାହିଁ। ମନେରଖନ୍ତୁ ପ୍ରତ୍ୟେକ ପିଲା ଭିନ୍ନ ଭାବେ ସୃଷ୍ଟି। ନିଜ ପିଲାଙ୍କ ଆଗରେ ବାରମ୍ବାର ଅନ୍ୟ କାହାର ତୁଳନାତ୍ମକ ଉଦାହରଣ ଦିଅନ୍ତୁ ନାହିଁ। ପ୍ରତିଦ୍ବନ୍ଦ୍ବିତା ମନୋଭାବ ଦୃଷ୍ଟିରୁ ଏପରି କରାଯିବା କେବେ ବି ଗ୍ରହଣୀୟ ନୁହେଁ।

ବାହ୍ୟ ଚାପରୁ ପିଲାକୁ ରକ୍ଷା କରନ୍ତୁ
ଆମ ଘରକୁ ଆସୁଥିବା ବନ୍ଧୁବାନ୍ଧବ, ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କ କଥାବାର୍ତ୍ତା ଉପରେ ନଜର ରଖନ୍ତୁ। ସେମାନେ ଜୀବନର ଲକ୍ଷ୍ୟ, କ’ଣ କରାଯିବା ଅନୁଚିତ ଓ ପଢ଼ିବା ଅଭ୍ୟାସକୁ ନେଇ ଅନେକ ପରାମର୍ଶ ଦେଇଥାନ୍ତି। ଏହି ପରାମର୍ଶ ପିଲାଙ୍କ ଉପରେ ବୋଝ ହୋଇ ପଡ଼େ।

ପିଲାର ସାମର୍ଥ୍ୟକୁ ଜାଣନ୍ତୁ
ଅନେକ ଅଭିଭାବକ ନିଜ ପିଲାର ସାମର୍ଥ୍ୟ, ଶକ୍ତି ଓ ମେଧା ପ୍ରତି ସଚେତନ ନ ହୋଇ ସେମାନଙ୍କ ଠାରୁ ଅଧିକ କିଛି ଆଶା କରିଥାନ୍ତି। ପିଲାଟି ଯନ୍ତ୍ର ପରି ରାତାରାତି କିଭଳି ପ୍ରସିଦ୍ଧି ଆଣିଦେଉ ସେମାନେ ତାହା ଚାହିଁଥାନ୍ତି। ପିଲାଟି ଯଦି ଏହା କରି ନ ପାରିଲା ତେବେ ତା’ ସହ କଥାବାର୍ତ୍ତା ବନ୍ଦ କରି ଦିଅନ୍ତି। ଯଦି ଭଲ କଲା ତେବେ ଉପହାର ଦିଅନ୍ତି। ପରୀକ୍ଷାରେ ଭଲ କରିବା ପାଇଁ ଲୋଭନୀୟ ଉପହାରର ଅଫର ଦେଇଥାନ୍ତି ଯାହା ପିଲାଟି ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ