ମୋଦି ମହାତ୍ମା ?

ଗଣତନ୍ତ୍ରରେ ନିଜ ଛବି ପ୍ରତି ଅହେତୁକ ମୋହ ଅସ୍ପୃହଣୀୟ

ଖଦି ଗ୍ରାମୋଦ୍ୟୋଗ କମିଶନ କ୍ୟାଲେଣ୍ଡର୍‌ରେ ଚରଖା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ନାର୍ସିସିଷ୍ଟ ବୋଲି ପୂର୍ବରୁ କରାଯାଉଥିବା ସନ୍ଦେହ ଧୀରେ ଧୀରେ ସତ୍ୟ ପ୍ରମାଣିତ ହୋଇ ଚାଲିଛି । ଗ୍ରୀକ୍ କିମ୍ବଦନ୍ତୀ ମୁତାବକ ନାର୍କିସସ୍ ନାମକ ଜଣେ ଯୁବକ ତାଙ୍କ ନିଜ ରୂପରେ ଏତେ ବିହ୍ବଳ ହୋଇ ପଡିଥିଲେ ଯେ ଇକୋ ନାମକ ପରୀ ବି ତାଙ୍କୁ ରସିଲା ନାହିଁ । ସେ ଏକ ପୁଷ୍କରିଣୀ କୂଳରେ ବସି ପାଣିରେ ନିଜ ପ୍ରତିବିମ୍ବ ଦେଖି ଦେଖି ତାଙ୍କ ଜୀବନ ସରିଗଲା । ନାର୍କିସସ୍‌ ଚରିତ୍ର ବିଶିଷ୍ଟ ଲୋକେ ହେଉଛନ୍ତି ମନୋବିଜ୍ଞାନ ଭାଷାରେ ନାର୍ସିସିଷ୍ଟ । 

ମୋଦି ଜଣେ ଭୀଷଣ ନାର୍ସିସିଷ୍ଟ ବୋଲି ତାଜା ପ୍ରମାଣ ହେଲା ଖଦି ଗ୍ରାମୋଦ୍ୟାଗ କମିଶନ (କେଭିଆଇସି)ଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ଓ ଡାଏରୀରେ ମୋଦିଙ୍କ ଫଟୋ । ପୂର୍ବରୁ ଯେଉଁଠି ମୋହନ ଦାସ କରମଚାନ୍ଦ ଗାନ୍ଧିଙ୍କ ଚରଖା ଘୁରାଇବା ଫଟୋ ରହୁଥିଲା, ସେଠି ଏବେ ମୋଦିଙ୍କ ସୂତାକଟା ଫଟୋ ଖଞ୍ଜା ଯାଇଛି । କ୍ଷମତାକୁ ଆସିବା ପରେ ଖଦି ଏବଂ କୁଟୀର ବୟନ ଶିଳ୍ପର ପ୍ରସାର ଲାଗି ମୋଦି ଅନେକ ପଦକ୍ଷେପ ନେଇଛନ୍ତି, ଏଥିରେ ଦ୍ୱିମତ ନାହିଁ । କିନ୍ତୁ ଗାନ୍ଧିଙ୍କୁ ହଟାଇ ତାଙ୍କ ସ୍ଥାନ ନେବାର ବ୍ୟକ୍ତିତ୍ୱ ମୋଦି ହାସଲ କରିବାକୁ ବହୁ ଦୂର ବାକି ଅଛି ।
ଆତ୍ମପ୍ରଚାର ରାଜନୀତିଜ୍ଞଙ୍କ ଚରିତ୍ର ଏବଂ ଆଜିର ଦୁନିଆରେ ଏହା ଦରକାର  ବୋଲି ଅସ୍ବୀକାର କରିହେବନି । ତେବେ ଆତ୍ମପ୍ରଚାରର ଏକ ସୀମା ଅଛି । ଦୃଷ୍ଟିଶକ୍ତି ବିବର୍ଜିତ ଦିବ୍ୟାଙ୍ଗ ନିଜକୁ ତ୍ରିଲୋଚନ ବୋଲାଇଲେ ତାହା ଅଲାଜୁକ ପିଠିରେ ବଥ ଉଠିବା ରକମ । ରାଜନେତା ମୋଦିଙ୍କ ପଇସାପତ୍ର, ଘରବାଡି ଲୋଭ ଅଛି କି ନାହିଁ, ତାହା ଏ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ । କିନ୍ତୁ ତାଙ୍କର ଦୁଇଟି ଚର୍ଚ୍ଚିତ  ସଉକ ହେଲା ପୋଷାକପତ୍ର ଓ ଅନ୍ୟଟି ହେଲା ହାତଘଣ୍ଟା । 

ମୋଦିଙ୍କ ସାର୍ଟୋରିଆଲ ଚଏସ୍ ଖ୍ୟାତନାମା ଫ୍ୟାଶନ ଡିଜାଇନରଙ୍କ ଆଖି ଟେରା କରିଦେବା ଭଳି । ପ୍ରଥମ ଥର ଆମେରିକା ଯିବା ବେଳେ ସେ ଯେଉଁ ସୁଟ୍ ପିନ୍ଧିଥିଲେ ସେଥିରେ ଅତି ସୂକ୍ଷ୍ମରେ ମୋଦି ମୋଦି ଲେଖା ଷ୍ଟ୍ରାଇପ୍ ଥିଲା ଏବଂ ତାହା ଅନେକ ଲକ୍ଷ ଟଙ୍କାର ଥିଲା । ସୌଖୀନ ପୋଷାକ ପ୍ରିୟ ନରେନ୍ଦ୍ର ମୋଦି ଚରଖା ଧରି ସୂତା କାଟିବାର ଫଟୋ, ଯାହା ତାଙ୍କୁ ଉପହାସର ପାତ୍ର ଭାବେ ଠିଆ କରିଛି । 
ତେବେ ଏ ସମଗ୍ର ପ୍ରକରଣରେ ସବୁଠାରୁ କୌତୁକିଆ ଅଂଶ ହେଲା ମୋଦିଙ୍କ ଫଟୋ ବିବାଦ ଉଠିବା ପରେ ପିଏମଓ (ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ)ର ସଫେଇ । ପିଏମଓ କହିଲା ଆମକୁ ନ ପଚାରି ନ କହି କେଭିଆଇସି ଫଟୋ ଛାପି ଦେଇଛି । ମୋଦି ହେଉଛନ୍ତି ଏମିତି ଜଣେ ନେତା ଯାହାଙ୍କର ପ୍ରାଇଭେଟ୍ ଇଣ୍ଟେଲିଜେନ୍ସ ଏତେ ଦୃଢ  ଯେ ତାଙ୍କ ଦଳର ମନ୍ତ୍ରୀ ଓ ଏମପି କେବଳ ପାର୍ଲାମେଣ୍ଟ ବା ସରକାରୀ ଦପ୍ତରରେ ନୁହେଁ, ବାହାରେ  କି ପୋଷାକ ପିନ୍ଧୁଛନ୍ତି, କି ଖାଦ୍ୟ ଖାଉଛନ୍ତି,  କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହାର ଖବର ରଖି ସେ ତାଗିଦ୍ କରନ୍ତି । 

ଉଦାହରଣ ଭାବେ ୨୦୧୪ ମସିହାର ଘଟଣାଟିଏ ଏଠାରେ ଉଲ୍ଲେଖନୀୟ । ମୋଦି ସରକାର ସଜ ସଜ ଗଠନ ହୋଇଥାଏ । ଜଣେ ଟୋକା ମନ୍ତ୍ରୀ ତାଙ୍କର ପ୍ରଥମ ସରକାରୀ ବିଦେଶ ଗସ୍ତ ବେଳେ ଅତି କୁତୁ କୁତୁ ହୋଇ ଜିନ୍ସ ପିନ୍ଧି ବିମାନବନ୍ଦରକୁ ଯାଉଥିଲେ । ବାଟରେ ମୋଦିଙ୍କ କଲ୍ ପାଇଲେ । ମୋଦି ତାଙ୍କୁ ଭଦ୍ର ପୋଷାକ ସମ୍ପର୍କରେ ଉତ୍ତମ ମଧ୍ୟମ ଶୁଣାଇଲେ । ବିଚରା ଯୁବ ମନ୍ତ୍ରୀ ଅତର୍ଚ୍ଛାରେ ଅଧାବାଟରୁ ପୁଣି ଘରକୁ ଫେରିଲେ । ଜିନ୍ସକୁ ଫିଙ୍ଗି ଦେଇ ଦେଶୀ ପାରମ୍ପରିକ ପୋଷାକ ପିନ୍ଧି ବିମାନବନ୍ଦରକୁ ଫେରିଲେ । 

ଏଭଳି ସ୍ଥଳେ କେଭିଆଇସି ଜଣାଇ ନାହିଁ ବୋଲି ପିଏମଓ ସ୍ପଷ୍ଟୀକରଣ ଦେବା ଧର୍ମକୁ ଆଖିଠାର ମାତ୍ର । ଅସଲ କଥା ହେଲା, ଆତ୍ମରତି ପ୍ରିୟ (ନାର୍ସିସିଷ୍ଟ) ନରେନ୍ଦ୍ର ମୋଦିଙ୍କ ଇଚ୍ଛା ନିଜ ଛବି ସାଧାରଣ ଲୋକଙ୍କ ଡ୍ରଇଂ ରୁମ୍‌ରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସବୁଠି ଦେଖିବେ । ଲିଖିତ ଅନୁମତି ନ ଦେଇଥିଲେ ବି ତାଙ୍କ ମୁଣ୍ଡ ଟୁଙ୍ଗୁରାରେ ବିନା କେଭିଆଇସି ଅଧ୍ୟକ୍ଷ ଡାଏରୀରେ ତାଙ୍କ ଛବି ଛାପିବାକୁ ସାହସ କରିଥିବା ଅବିଶ୍ୱସନୀୟ । ଗାନ୍ଧିଜୀଙ୍କ ଛବି ବଦଳି ସେହି ଫଟୋ ସହିତ ଯଦି ମୋଦିଙ୍କ ଛବି ରହିଥାନ୍ତା ତା’ ହେଲେ ଏତେ ଘୁ..ଘା.. ହୋଇ ନଥାନ୍ତା । ମାତ୍ର ନାର୍ସିସିଷ୍ଟମାନେ ନିଜ ଛବି ପ୍ରେମରୁ ଊର୍ଦ୍ଧ୍ୱକୁ ଉଠି ପାରନ୍ତି ନାହିଁ ।


Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?