ଆଜିଠୁ ୨୨ ଭାଷାର ୫ ବାକ୍ୟ ଶିଖିବେ ବିଦ୍ୟାର୍ଥୀ


ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀମାନେ ମଙ୍ଗଳବାର (୨୦ ନଭେମ୍ବର ୨୦୧୮)ଠାରୁ ୨୨ ଭାଷାରେ ୫ଟି ବାକ୍ୟ ଶିଖିବେ। ଡିସେମ୍ବର ୨୧ ତାରିଖ ଯାଏ ଚାଲିବାକୁ ଥିବା ଭାଷା ସଂଗମ ମାନବ ବିକାଶ ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଯାୟୀ ଆୟୋଜନ କରାଯାଉଛି। ମାନବ ସମ୍ବଳ ମନ୍ତ୍ରାଳୟର ଯୁଗ୍ମ ସଚିବ ମନୀଷ ଗର୍ଗଙ୍କ ପକ୍ଷରୁ ଦେଶର ସମସ୍ତ ଶିକ୍ଷା ସଚିବ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିକୁ ଜାରି କରାଯାଇଥିବା ପତ୍ରରେ କୁହାଯାଇଛି ଯେ ଭାଷା ସଂଗମ ମାଧ୍ୟମରେ ଆମେ ବିଦ୍ୟାର୍ଥୀଙ୍କୁ ଭାଷାର ବିବିଧତା ସମ୍ପର୍କରେ ପରିଚିତ କରାଇଛୁ। ଏଥିରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦେଶର ଭାଷାଗୁଡ଼ିକ ବାବଦରେ ଜଣାଇ ଦିଆଯିବ। ଫଳରେ ଭାଷା ପ୍ରତି ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସେମାନେ କ୍ରମଶଃ ଅନ୍ୟାନ୍ୟ ଭାଷା ଶିକ୍ଷା ପାଇଁ ଉତ୍ସାହ ଦେଖାଇବେ। ଏହାଦ୍ବାରା ଦେଶର ଏକତା ଦୃଢ଼ ହେବ। ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବେ ଏକ ପୁସ୍ତକର ପ୍ରସ୍ତୁତି କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ପିଲା କେଉଁଦିନ କେଉଁ ଭାଷା ଶିଖିବେ ତାହା ଦର୍ଶାଯାଇଛି। ଏହା ଅନୁଯାୟୀ ପ୍ରଥମ ଦିନ ଅସମୀୟା, ଦ୍ବିତୀୟ ଦିନ ବଙ୍ଗଳା, ଏପରି ଭାବେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ବର୍ଣ୍ଣିତ ସମସ୍ତ ୨୨ଟି ଭାଷା ଉପରେ ଶିକ୍ଷାଦାନ କରାଯିବ।

ପ୍ରତିଦିନ ବ୍ୟବହାରରେ ଆସୁଥିବା ପାଞ୍ଚଟି ବାକ୍ୟକୁ ପ୍ରାର୍ଥନା ପରେ ପରେ ମନେପକାଇ ଦିଆଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଚାହିଁବେ ତେବେ କୌଣସି ଅଧ୍ୟାପକ, ଅଭିଭାବକ କିମ୍ବା ଜଣାଶୁଣା ବ୍ୟକ୍ତିମାନଙ୍କୁ ନିମନ୍ତ୍ରିତ କରି ବିଭିନ୍ନ ଭାଷାର ବାକ୍ୟଗୁଡ଼ିକ ଆବୃତ୍ତି କରିବାର ବନ୍ଦୋବସ୍ତ କରାଇ ପାରନ୍ତି। ସ୍କୁଲର ସିନିଅର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଭାଷାରେ ପୋଷ୍ଟର ତିଆରି କରିବାକୁ କୁହାଯାଇ ପାରେ। ବାକ୍ୟକୁ ନେଇ ସେମାନେ ପୋଷ୍ଟର ତିଆରି କରି ସ୍କୁଲ ପରିସରରେ ଲଗାଇଲେ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାରେ ସହାୟକ ହେବ। ପ୍ରାର୍ଥନା ସରିବା ପରେ ପିଲାଙ୍କୁ ବାକ୍ୟ ଅଭ୍ୟାସ କରାଯିବ କିମ୍ବା ଶିକ୍ଷକ ଚାହିଁଲେ ଦିନସାରା ଯେ କୌଣସି ସମୟରେ ବାକ୍ୟ ଅଭ୍ୟାସ କରାଇ ପାରିବେ। ପ୍ରତିଦିନ ଏହି କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡିଂ କରି ଭାଷା ସଂଗମ ଚାନେଲରେ, ୟୁଟ୍ୟୁବ୍‌ରେ ଅପ୍‌ଲୋଡ଼ କରାଯାଇ ପାରିବ। ଶ୍ରେଷ୍ଠ ବିଦ୍ୟାଳୟକୁ ପୁରସ୍କୃତ କରାଯିବାର ପ୍ରାବଧାନ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ