ଉଦ୍‌ଘାଟିତ ହେଲା ‘ଯୁବାୟନ’: ୮ ଜଣଙ୍କୁ ‘ଟାଇମ୍‌ପାସ୍‌’ ପୁରସ୍କାର


ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଭୁବନେଶ୍ବର ଭଞ୍ଜକଳା ମଣ୍ଡପଠାରେ ଆରମ୍ଭ ହୋଇଛି କଳା ଓ ସାହିତ୍ୟର ତ୍ରିଦିବସୀୟ ଉତ୍ସବ ‘ଯୁବାୟନ’। ବିଶିଷ୍ଟ ସିନେ ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ଗୀତିକାର ତଥା ପୂର୍ବତନ ପ୍ରଶାସକ ଦେବଦାସ ଛୋଟରାୟ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ୮ ଜଣ ପ୍ରତିଭାଙ୍କୁ ‘ଟାଇମ୍‌ପାସ୍‌’ ସମ୍ମାନରେ ସମ୍ମାନିତ କରିଥିଲେ।

୨୦୧୬ ମସିହା ପାଇଁ ବାଦଲ ମହାନ୍ତିଙ୍କୁ ଓ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କୁ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ ପ୍ରଦାନ କରାଯିବା ସହିତ ଲେଖକଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପି ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏଥିସହ ଉପନ୍ୟାସରେ ପ୍ରଜ୍ଞାଶ୍ରୀ ରଥ, କବିତାରେ ଭାରତ ମାଝୀ ଓ ପ୍ରବନ୍ଧରେ ପରଂବ୍ରହ୍ମ ତ୍ରିପାଠୀଙ୍କୁ ‘ଟାଇମ୍‌ପାସ୍‌ ବେଷ୍ଟସେଲର୍‌ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁସ୍ତକପ୍ରେମୀ ଅଜୟ ଖୁଣ୍ଟିଆଙ୍କୁ ‘ଟାଇମ୍‌ପାସ୍‌ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଜ୍ଞାନୀ ଦେବାଶିଷ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ‘ଟାଇମ୍‌ପାସ୍‌ ସ୍ୱୟଂଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା।

ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ଉତ୍ସବର ନିର୍ଦେଶକ ସରୋଜ ବଳ। କଳାର ସବୁ ବିଭାଗ ଯଥା ସାହିତ୍ୟ, ଚିତ୍ରକଳା, ସିନେମା, ନୃତ୍ୟ, ସଙ୍ଗୀତ, ନାଟକ, ଫଟୋଗ୍ରାଫି ଆଦିକୁ ନେଇ ପରବର୍ତ୍ତୀ ଦୁଇଦିନ ନୂଆ ନୂଆ ପରୀକ୍ଷାମୂଳକ ଉପସ୍ଥାପନା ଓ ଆଲୋଚନା ହେବ ବୋଲି ନିର୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି। ଉତ୍ସବରେ ନେତାଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଜ୍ଞା ପାରମିତା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ