ଅଯୋଧ୍ୟାର ଝିଅ କୋରିଆର ରାଣୀ


କୋରିଆ ଦେଶର ଲୋକେ ଏବେ ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତର ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ଯେଉଁ ବଂଶରେ ଜନ୍ମ ନେଇଥିଲେ, ସେମାନେ ହେଉଛନ୍ତି ସେଇ ବଂଶର ରାଜକୁମାରୀ ହିଓ ଓ୍ୱାଙ୍ଗ୍ ଓକ୍‌ଙ୍କର ବଂଶଧର, ଯିଏ ଅଯୋଧ୍ୟାରୁ କୋରିଆ ଆସିଥିଲେ।

ଏକାଦଶ ଶତାବ୍ଦୀରେ ଲେଖା ଯାଇଥିବା ଇତିହାସ ମୁତାବକ ସାତଜଣ ଭାଇଙ୍କ ଦ୍ୱାରା ଶାସିତ ଦକ୍ଷିଣ କୋରିଆରେ ଏକ ବିଶାଳ ସାମ୍ରାଜ୍ୟ ଥିଲା। କିନ୍ତୁ ସାମ୍ରାଜ୍ୟର କୌଣସି ରାଜା ନ ଥିଲେ। ଶେଷରେ ଏକ ଦୈବୀ ଘଟଣାକ୍ରମରେ ଯିଏ ରାଜା ହେଲେ, ତାଙ୍କ ନାଁ କିମ୍ ସୁରୋ। କିମ୍ବଦନ୍ତୀ ଅନୁସାରେ ଯେହେତୁ ସେ ସ୍ବର୍ଗରୁ ସୃଷ୍ଟି ହୋଇଥିଲେ, ତାଙ୍କୁ କୁହାଯାଉଥିଲା ଆକାଶର ସନ୍ତାନ। କିମ୍‌ଙ୍କର ଭାଇମାନେ ଯେତେବେଳେ ତାଙ୍କ ବିବାହ କଥା କହୁଥିଲେ, କିମ୍ ସେତେବେଳେ କହୁଥିଲେ, ଆକାଶ ହିଁ ମୋ ବିବାହ ନିଷ୍ପତ୍ତି ନେବ।

୪୮ ଖ୍ରୀଷ୍ଟାବ୍ଦର କଥା। ଅୟୁତା(ଅଯୋଧ୍ୟା)ର ରାଜକୁମାରୀ ହୁ, ପରେ କୋରିଆରେ ଯାହାଙ୍କ ନାଁ ହେଲା ହିଓ ଓ୍ୱାଙ୍ଗ୍ ଓକ୍, ସେ ନିଜ ଭାଇ ସହ ଜାହାଜରେ ବସି କୋରିଆ ଯାଇଥିଲେ। ଏହା ତାଙ୍କ ପିତାଙ୍କ ନିର୍ଦେଶ ଥିଲା। କାରଣ ଦକ୍ଷିଣ କୋରିଆର କାରାକ୍ ସାମ୍ରାଜ୍ୟର ରାଜାଙ୍କ ସହ ତାଙ୍କ କନ୍ୟାଙ୍କ ବିବାହ ପାଇଁ ରାଜକୁମାରୀଙ୍କ ପିତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ତେଣୁ ସେ ଅବିଳମ୍ବେ ତାଙ୍କ କନ୍ୟାଙ୍କୁ ଜାହାଜରେ ବସାଇ କୋରିଆ ପଠାଇଥିଲେ।

ରାଜକୁମାରୀଙ୍କୁ ସ୍ବାଗତ କରିବା ପାଇଁ ରାଜା ସୁରୋ ପହଞ୍ଚିଲେ। ରାଜକୁମାରୀଙ୍କ ସୌନ୍ଦର୍ଯ୍ୟ ଆଉ ହସ ହସ ମୁହଁ ତାଙ୍କୁ ଖୁବ୍ ଉଲ୍ଲସିତ କଲା। ରାଜା ଅଧିକ ଉଲ୍ଲସିତ ହେଲେ ସେତେବେଳେ, ଯେତେବେଳେ ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଲେ ରାଜକୁମାରୀ ହୁ।

ରାଜକୁମାରୀ କହିଥିଲେ, ମୋର ପିତାମାତାଙ୍କୁ ଈଶ୍ୱର ସ୍ବପ୍ନରେ କହିଛନ୍ତି, ତୁମ କନ୍ୟାକୁ ଦକ୍ଷିଣ କୋରିଆର ସୁରୋଙ୍କ ପାଖକୁ ପଠାଅ। ସୁରୋ ଜଣେ ପବିତ୍ର ମଣିଷ ଏବଂ ସେ ଅବିବାହିତ। ଉତ୍ତରରେ ସୁରୋ କହିଥିଲେ, ମୁଁ ସବୁବେଳେ ଜଣେ ସୌନ୍ଦର୍ଯ୍ୟବତୀ ରମଣୀକୁ ସ୍ବପ୍ନରେ ଦେଖୁଥିଲି। ଭାବିଥିଲି, ମୋ ପାଇଁ ଦିନେ ନା ଦିନେ କୌଣସି କନ୍ୟାର ବ୍ୟବସ୍ଥା କରିଦେବେ ମୋର ଜନ୍ମଦାତା ଆକାଶ। ଏହାପରେ ରାଜା ସୁରୋଙ୍କ ସହ ରାଜକୁମାରୀ ହୁ ଙ୍କର ବିବାହ ସମ୍ପନ୍ନ ହୋଇଥିଲା।

ବିବାହ ପରେ ରାଜା ସୁରୋ ଏକ ମନ୍ଦିର ଭଳି ବିଶାଳ ପାଗୋଡ଼ା ପ୍ରତିଷ୍ଠା କଲେ, ଯେଉଁଠି ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା, ଯାହା ଏବେ କିମ୍‌ହାଏରେ ରହିଛି। ଏହି ପଥରର ପାଗୋଡ଼ା ପ୍ରିନସେସ୍ ଟମ୍ବ ବା ରାଜକୁମାରୀ ଗମ୍ବୁଜ ସାମ୍ନାରେ ରହିଛି। ଏଇ ମନ୍ଦିର ବା ପାଗୋଡ଼ାର ପଥର ଅଯୋଧ୍ୟାରୁ ଯାଇଥିଲା, ଯାହା ରାଜକୁମାରୀ ପରେ ସେ ଦେଶର ରାଣୀ ହେବାର ସୌଭାଗ୍ୟ ପାଇଥିବା ହୁ ବା ହିଓ ଓ୍ୱାଙ୍ଗ୍ ଓକ୍ କିଣିଥିଲେ। ପାଗୋଡ଼ାର ଡାହାଣ ପାଖେ ବରୁଣ ଏବଂ ବାମପାଖେ ଭାରତୀୟ ପ୍ରତୀକ ସ୍ବସ୍ତିକର ସ୍ଥାପତ୍ୟ ରହିଛି। ସମୟକ୍ରମେ ଭାରତୀୟ ରାଜକୁମାରୀ ହୁ ହୋଇଗଲେ ରାଣୀ ହିଓ ଓ୍ୱାଙ୍ଗ୍ ଓକ୍ ଏବଂ ସୁରୋ ପ୍ରସିଦ୍ଧ ହେଲେ କିମ୍-ହାଏ-କିମ୍ ନାମରେ।

ଆଜି ସମୁଦାୟ କୋରିଆ ଜନସଂଖ୍ୟାର ଦୁଇ ତୃତୀୟାଂଶ ଭାବନ୍ତି, ସେମାନେ ହେଉଛନ୍ତି ରାଜା ସୁରୋ ଏବଂ ଅଯୋଧ୍ୟାର ରାଜକୁମାରୀ ହିଓ ଓ୍ୱାଙ୍ଗ୍ ଓକ୍‌ଙ୍କର ବଂଶଧର। କୋରିଆର ଫାଷ୍ଟ ଲେଡ଼ି କିମ୍ ୟୁନ୍ ଓକ୍, ପ୍ରଧାନମନ୍ତ୍ରୀ ଜଙ୍ଗ୍ ପିଲ୍ କିମ୍, ପୂର୍ବତନ ରାଷ୍ଟ୍ରପତି କିମ୍ ଡାଏ ଜଙ୍ଗ୍, ପୂର୍ବତନ ପ୍ରଧାନମନ୍ତ୍ରୀ ହିଓ ଜିଓଙ୍ଗ୍ ମଧ୍ୟ ସେଇ ଗୋତ୍ରର। ଖ୍ୟାତନାମା ଅଭିନେତ୍ରୀ କିମ୍ ହୟେ ସୁକ୍ ରାଜା ସୁରୋଙ୍କର ୭୭ ତମ ବଂଶଧର ବୋଲି କୁହାଯାଉଛି।

‘ରେକର୍ଡ଼ ଅଫ୍ ଏ ଜର୍ଣ୍ଣି ଟୁ ଦ ଫାଇଭ୍ ଇଣ୍ଡିଆନ୍ କିଙ୍ଗ୍‌ଡମ’ରେ କୁହାଯାଇଛି କୋରିଆରେ ଏକ ବିଶାଳ ବୁଦ୍ଧ ମୂର୍ତ୍ତି ତିଆରି କରିବା ପାଇଁ ସମ୍ରାଟ୍ ଅଶୋକ କୋରିଆର ରାଜା ଚିନ୍‌ହୁଙ୍ଗଙ୍କ ପାଖକୁ ସ୍ବର୍ଣ୍ଣ ଓ ଲୌହ ପଠାଇଥିଲେ। ବୈଦ୍ଧଧର୍ମର ପ୍ରଚାର ପାଇଁ ଜଣେ ସନ୍ନ୍ୟାସୀଙ୍କୁ ପଠାଇଥିଲେ। ତା’ର ପ୍ରଭାବରେ ଏବେ ବି ସେ ଦେଶର ଭାଷାରେ ନରକ, ସ୍ତୁପ, ବ୍ରହ୍ମା, ନିଦାନ, ଭିକ୍ଷୁଣୀ ଭଳି ଭାରତୀୟ ଶବ୍ଦ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ