ସମୁଦ୍ରରେ ଜ୍ୟାକ୍‌ପଟ


ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟ। ମୁମ୍ବାଇ ହାରବରରୁ ଶେଷ ଜଳଯାତ୍ରା ଆରମ୍ଭ କଲା ଏସ୍ଏସ୍ ସିଟି-କାଇରୋ। ଲକ୍ଷ୍ୟସ୍ଥଳ ଥିଲା ଲଣ୍ଡନ। ଡର୍ବାନ, କେପ୍‌ଟାଉନ, ବ୍ରାଜିଲ ହୋଇ ଏଇ ବ୍ରିଟିଶ୍‌ ଜାହାଜ ଲଣ୍ଡନ ଯିବାର ଥିଲା। ସେଦିନ ଥିଲା ୧୯୪୨ ମସିହା ଅକ୍ଟୋବର ୧ ତାରିଖ। ୨୮ଜଣ ମହିଳା, ୧୯ ଜଣ ଶିଶୁ, ୧୦ ଜଣ ବ୍ରିଟିଶ୍‌ ଆର୍ମି ଗନ୍‌ମ୍ୟାନଙ୍କ ସହ ଜାହାଜରେ ଥିଲେ ସମୁଦାୟ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଯାତ୍ରୀମାନଙ୍କ ବ୍ୟତୀତ ଏଇ ଜାହାଜରେ ଲୁହା, କାଠ, ପଶମ, ସୂତା, ମାଙ୍ଗାନିଜ ସହ ୨୦୦୦ଟି ପେଟି ଥିଲା, ଯେଉଁଥିରେ ଥିଲା ଖାଲି ରୁପାର ମୁଦ୍ରା। କେବଳ ରୁପା ମୁଦ୍ରା ନୁହେଁ, ସ୍ବର୍ଣ୍ଣ ମୁଦ୍ରା ସହ ଅନେକ ଧନ ସମ୍ପତ୍ତି ବି ଏଇ ଜାହାଜରେ ଭର୍ତ୍ତି ହୋଇ ରହିଥିଲା। ଏସବୁ ଇଂରେଜମାନେ ଆମ ଦେଶରୁ ଇଂଲଣ୍ଡ ନେଇଯାଉଥିଲେ। ସବୁ ମିଶାଇ ୭, ୪୨୨ ଟନ୍ ଓଜନର ସାମଗ୍ରୀ ଯାଉଥିଲା।

ବାଷ୍ପଚାଳିତ ଏଇ ଏସ୍ଏସ୍ ସିଟି-କାଇରୋ ଜାହାଜ ଯେତେବେଳେ କେପ୍‌ଟାଉନ ଛାଡ଼ି ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ବ୍ରାଜିଲ ଅଭିମୁଖେ ଚାଲିଥିଲା, ସେତେବେଳେ ଏକ ଭୟଙ୍କର ଅଘଟଣ ଘଟିଲା। ସେଦିନ ଥିଲା ନଭେମ୍ବର ୬ ତାରିଖ। ହଠାତ୍ ୟୁ-୬୮ ନାମକ ଏକ ଜର୍ମାନ ସବ୍‌ମେରିନ୍‌ରୁ ଟର୍ପେଡ଼ୋରେ ଆକ୍ରମଣ ହେଲା। ସବୁ ମହିଳା ଓ ଶିଶୁ ସୁରକ୍ଷିତ ରହିଲେ ମଧ୍ୟ ଜାହାଜରେ ଥିବା ଦୁଇଜଣ ନାବିକ ଏବଂ ଚାରିଜଣ ଯାତ୍ରୀ ପ୍ରାଣ ହରାଇଲେ। ଠିକ୍ ଏହାର ୨୦ ମିନିଟ୍ ପରେ ଆଉ ଏକ ଟର୍ପେଡ଼ୋ ମାଡ଼ ହେଲା। ଏହାପରର ଘଟଣା ବିବାଦୀୟ। ଏଇ ଆକ୍ରମଣ ପରେ ବ୍ରିଟିଶ୍‌ ଏସ୍ଏସ୍ ପ୍ଲାନ ଆଲପାଇନ ୧୫୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ଏବଂ ବ୍ରିଟିଶ୍‌ ମର୍ଚ୍ଚାଣ୍ଟ ଶିପ୍ ୪୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ୩୧୧ ଜଣଙ୍କ ମଧ୍ୟରୁ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା ବୋଲି କୁହାଯାଇଥିଲା। ପରେ କୁହାଯାଇଥିଲା କି ମୃତକଙ୍କ ସଂଖ୍ୟା ଥିଲା ୧୦୪। ତେବେ ଏ କଥା ସତ ଯେ ଆଟଲାଣ୍ଟିକ ମହାସାଗରର ଅତଳ ଗର୍ଭରେ ସଲିଳ ସମାଧି ନେଇଥିଲା ଏସ୍ଏସ୍ ସିଟି ଅଫ କାଇରୋ।

ଏଇ ଜାହାଜ ଏବେ ପାଲଟିଯାଇଛି ସମୁଦ୍ରର ଜ୍ୟାକ୍‌ପଟ। ଜାହାଜରେ ଥିବା ସମ୍ପତ୍ତି ଖୋଜିବା ପାଇଁ ପାଞ୍ଚ ବର୍ଷ ତଳୁ ବ୍ରିଟେନ ଅଣ୍ଟା ଭିଡ଼ିଛି। ସେଥିପାଇଁ ୨୦୦ ଲୋକଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ପ୍ରତି ଦଳରେ ୧୦ ଜଣଙ୍କୁ ରଖାଯାଇଥିଲା। ୫୦୦ ହଜାର ମିଟର ଗଭୀରତାରେ ନାଇଟ୍ରୋଜେନ୍‌ର ମାତ୍ରା ଅଧିକ ଥିବାରୁ ଏଇ ଜାହାଜ ଠାବ କରିବାରେ ମଣିଷଙ୍କୁ ଅସୁବିଧା ହେଉଥିଲା। ମେଟାଲ ସେନ୍ସର ମଧ୍ୟ କାମ କରୁ ନ ଥିଲା। ଶେଷରେ ରୋବୋଟ୍‌ର ସହାୟତା ନିଆଗଲା ଏବଂ ଡିପ୍ ଓସେନ ଟେକ୍ନୋଲୋଜି ଦ୍ୱାରା ସଫଳ ହୋଇଛନ୍ତି ଡ଼ିପ୍ ଓସେନ ରିସର୍ଚ୍ଚ ଟିମ୍ ଏବଂ ବ୍ରିଟିଶ୍‌ ସରକାର। ଜାହାଜର ସନ୍ଧାନ ମିଳିଛି। କିଛି ଧନ ସମ୍ପତ୍ତିର ସନ୍ଧାନ ବି ମିଳିଛି। ଅଧିକ ଖୋଜା ଖୋଜି ଚାଲିଛି। ୧୦୦ ଟନ୍ ଓଜନର ଭାରତୀୟ ରୁପା ମୁଦ୍ରା! ଆଜିର ସମୟରେ ତା’ର ମୂଲ୍ୟ କେତେ ହେବ, ଚିନ୍ତା କରି ପାରୁଛନ୍ତି ତ !

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ