ଲର୍ଡ କର୍ଜନଙ୍କୁ ମନେ ରଖିବ ତାଜମହଲ


ସେଦିନ ବି ଆଗ୍ରାର ଚାନ୍ଦିନୀ ରାତି ସେମିତି ଥିଲା, ଯେମିତି ଆଜି ପ୍ରତି ଶରତ ଋତୁରେ ଚନ୍ଦ୍ରକୁ ନେଇ ରାତି ଆସେ। କିନ୍ତୁ ସେମିତି ଏକ ଚାନ୍ଦିନୀ ରାତି ସ୍ମରଣୀୟ ହୋଇ ପାରି ନ ଥାନ୍ତା, ଯଦି ଲର୍ଡ଼ ଜର୍ଜ କର୍ଜନ ସେ ରାତିରେ ଆସି ନ ଥାନ୍ତେ।

ଲର୍ଡ଼ ଜର୍ଜ କର୍ଜନ ଥିଲେ ଭାରତର ଭାଇସ୍‌ରାୟ ଏବଂ ଏହି ମହାଦେଶର ବ୍ରିଟିଶ୍ ସାମ୍ରାଜ୍ୟର ସର୍ବୋଚ୍ଚ ପ୍ରତିନିଧି। ପ୍ରାଚୀନ କୀର୍ତ୍ତିରାଜିକୁ ଖୁବ୍ ପସନ୍ଦ କରୁଥିବା କର୍ଜନ ଯେଉଁଦିନ ପ୍ରଥମ ଥର ପାଇଁ ତାଜମହଲ ଦେଖିଲେ, ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ପରେ ବ୍ୟସ୍ତବହୁଳ ଜୀବନରେ ଯେତେବେଳେ ଟିକିଏ ଫୁରସତ୍ ମିଳୁଥିଲା, ସେ ଦିଲ୍ଲୀରୁ ଆଗ୍ରା ଧାଇଁ ଆସୁଥିଲେ ଏବଂ ତାଜମହଲରେ ବସି ରହୁଥିଲେ ଘଣ୍ଟା ପରେ ଘଣ୍ଟା।

ସେତେବେଳେ ବିଜୁଳି ନ ଥିଲା। ରାତି ହେଲେ ଅନ୍ଧାରରେ ତାଜମହଲର ଭିତର ଗୁମ୍ ହୋଇ ଯାଉଥିଲା। ରାତିରେ କେହି ଆସୁ ନ ଥିଲେ। ଦିନେ ରାତିବେଳାରେ ହଠାତ୍ ପହଞ୍ଚିଲେ ଏବଂ ଶାହାଜାହାଁ ଓ ମୁମତାଜଙ୍କ କବରସ୍ତାନ ଦେଖିବାକୁ ଚାହିଁଲେ କର୍ଜନ। ରାତିରେ କବର ଦେଖିବାର କୌଣସି ବ୍ୟବସ୍ଥା ନ ଥିଲା। କିନ୍ତୁ ଭାରତର ପ୍ରଭୁ କୁହାଯାଉଥିବା କର୍ଜନଙ୍କୁ କିଏ ବା ମନାକରିବ! ‘ଗାଇଡ୍’ ବାଧ୍ୟ ହୋଇ ଧାଁଧପଡ଼ କରି କେଉଁଠୁ ଗୋଟିଏ ପୁରୁଣା ଲଣ୍ଠନ ଧରି ଆସିଲା। ଲଣ୍ଠନରେ ଆଲୁଅ ଅପେକ୍ଷା ଧୂଆଁ ବେଶୀ ବାହାରୁଥିଲା ଆଉ ସେ ଧୂଆଁରେ କର୍ଜନଙ୍କ ଆଖି ଜଳଜଳ ହୋଇଗଲା। ତାଜମହଲ ପାଇଁ ଅନ୍ଧାର ବରଂ ଭଲ, କିନ୍ତୁ ଏ ଲଣ୍ଠନ ଧୂଆଁ ଭଲ ନୁହଁ ଭାବି ସଂଗେ ସଂଗେ ସେ ଆଗ୍ରାର ସିଟି ମାଜିଷ୍ଟ୍ରେଟଙ୍କୁ ନିର୍ଦେଶ ଦେଲେ - ଏମିତି ଧୂଆଁ ସୃଷ୍ଟି କରୁଥିବା ଲଣ୍ଠନ ତାଜମହଲରେ ବ୍ୟବହାର କରିବା ନିଷେଧ କର।
ନିର୍ଦେଶ କାର୍ଯ୍ୟକାରୀ ହେଲା। କିନ୍ତୁ କର୍ଜନଙ୍କ ମନ ବୁଝୁ ନ ଥିଲା। ତାଜମହଲକୁ ସେ ଏମିତି ଏକ ଉପହାର ଦେବାକୁ ଚାହୁଥିଲେ, ଯାହା କବର ଉପରେ ତ ଲାଗିବ, ତା’ଛଡ଼ା ତାଜମହଲକୁ ଅଧିକ ସୌନ୍ଦର୍ଯ୍ୟମୟ କରି ତୋଳିବ । ତାଙ୍କ ଇଚ୍ଛା ଓ ଆଗ୍ରହ ଜାଣି ଅନେକ ପ୍ରକାରର ସୁନ୍ଦର ଚିମିନି ଆଣି ତାଙ୍କ ପାଖରେ ରଖାଗଲା। ହେଲେ କର୍ଜନଙ୍କର କିଛି ପସନ୍ଦ ହେଲା ନାହିଁ। ଶେଷରେ ତାଙ୍କର ବ୍ୟକ୍ତିଗତ ବନ୍ଧୁ ଏବଂ ଇଜିପ୍ଟର ତତ୍କାଳୀନ ଗଭର୍ଣ୍ଣର ଲର୍ଡ଼ କ୍ରୋମରଙ୍କୁ ଚିଠି ଲେଖି ଜଣାଇଲେ, ‘ଶାହାଜାହାଁ ଓ ତାଙ୍କ ମଲ୍ଲିକା ମୁମ୍‌ତାଜଙ୍କ ମକ୍‌ବରା ବା କବରସ୍ତାନକୁ ଆଲୋକିତ କରିବା ପାଇଁ ରୁପାର ଏକ ସୁନ୍ଦର ମହମବତିର ଦାନି ଦରକାର।’ 

୧୯୦୫ ରେ ଯେତେବେଳେ ଭାରତରେ କର୍ଜନଙ୍କ କାର୍ଯ୍ୟକାଳ ଶେଷ ହେଲା, ସେ ଜାହାଜରେ ବସି ଇଂଲଣ୍ଡ ଫେରୁଥିଲେ। ବାଟରେ ପଡ଼ିଲା ଇଜିପ୍ଟର ରାଜଧାନୀ କାଇରୋ। ସେ ସେଇଠି ଓହ୍ଳାଇପଡ଼ିଲେ। ଇଜିପ୍ଟର ଗଭର୍ଣ୍ଣର ଥିବା କ୍ରୋମର ପଚାଶଟି ମହମବତି ଦାନି ଦେଲେ। କର୍ଜନଙ୍କର ଗୋଟିଏ ପସନ୍ଦ ଆସିଲା, ଯାହା ସୁଲତାନ୍ ବେବୋର୍ସ-ଦ୍ୱିତୀୟଙ୍କ ମସ୍‌ଜିଦ୍‌ରେ ଓହଳୁଥିବା ମହମବତି ଦାନି ଭଳି ଥିଲା। କିନ୍ତୁ ଏ କାମ ଏତେ ସହଜ ନ ଥିଲା। ଦିନେ ହଠାତ୍ ମସଜିଦରେ ଥିବା ସେଇ ମହମବତି ଦାନିରେ ଭରା ଚିମିନି ଗାଏବ୍ ହୋଇଗଲା। ସେ ଭାଙ୍ଗି ପଡ଼ିଲେ। କାରଣ ତାହାକୁ ନମୁନା ଭାବରେ ନେଇ ତାଜମହଲର ମହମବତିର ଚିମିନି ତିଆରି କରିଥାନ୍ତେ କର୍ଜନ।
 
ଠିକ୍ ସେତିକିବେଳେ ଆଉଜଣେ ଚରିତ୍ରର ଆବିର୍ଭାବ ଘଟିଲା। ହର୍ଶବେ, ଯିଏ କାଇରୋସ୍ଥିତ ଆରବ ସଂଗ୍ରହାଳୟର ମୁଖ୍ୟ ଥିଲେ। ଗାଏବ୍ ହୋଇ ଯାଇଥିବା ଫାନୁସ୍ ବା ଚିମିନିର ସଠିକ୍ ରୂପାଙ୍କନ ଓ ତାର ବିସ୍ତୃତ ବିବରଣୀ ସଂଗ୍ରହାଳୟରେ ରହିଛି ବୋଲି କର୍ଜନଙ୍କୂ କହିଲେ ହର୍ଶବେ। କର୍ଜନଙ୍କର ଆନନ୍ଦର ସୀମା ରହିଲାନି। ସେ ଆଉ ଡେରି କଲେ ନାହିଁ। ତାଙ୍କ ପରାମର୍ଶରେ ତାଜମହଲ ପାଇଁ ଅବିକଳ ମହମବତିର ଦାନି ତିଆରି କରିବାରେ ଲାଗିପଡ଼ିଲେ ଇଜିପ୍ଟର ପ୍ରସିଦ୍ଧ ଶିଳ୍ପୀ ତୋଦରୋସ୍ ବନ୍ଦିର। ତିଆରି ପାଇଁ ପାଖାପାଖି ଦୁଇବର୍ଷ ସମୟ ଲାଗିଥିଲା। କାଂସ୍ୟରେ ତିଆରି ଏଇ ମହମବତି ଦାନିରେ ସୁନା, ରୁପାର କଳାତ୍ମକ ନକ୍ସା ଥିଲା, ଯାହାର ଦାମ୍ ଆଜିର ସମୟରେ ହୋଇଥାଆନ୍ତା ତିନିଲକ୍ଷ ଟଙ୍କା। ସବୁ ଟଙ୍କା କର୍ଜନ୍ ଖର୍ଚ୍ଚ କରିଥିଲେ। କାରଣ ତାଙ୍କ ସ୍ବପ୍ନ ପୂରଣ ହୋଇ ପାରିଥିଲା।

୧୯୦୬ ଫେବୃଆରୀ ୧୬ ତାରିଖରେ ଦଶହଜାର ଲୋକଙ୍କ ସମାଗମରେ ଆୟୋଜିତ ଏକ ଉତ୍ସବରେ ଏଇ ମହମବତି ଦାନିକୁ ଲର୍ଡ଼ କର୍ଜନଙ୍କ ତରଫରୁ ତାଜମହଲକୁ ଉପହାର ଦିଆଯାଇଥିଲା। ଉତ୍ସବର ଆୟୋଜକ ସେଦିନ ସଂଜରେ କହିଥିଲେ - ଯେ ପର୍ଯ୍ୟନ୍ତ ତାଜମହଲ ଥିବ, ସେ ପର୍ଯ୍ୟନ୍ତ କର୍ଜନ୍ ସାହେବ ମଧ୍ୟ ଆମ ସ୍ମୃତିରେ ରହିବେ। ଏବେ  ଏହି ସ୍ଥାନରେ ବିଜୁଳି ଆଲୁଅ ଝଲସୁଛି। କିନ୍ତୁ କର୍ଜନ ଦେଇଥିବା ସେ ଉପହାର ଆଜି ମଧ୍ୟ ଝୁଲୁଛି ତାଜମହଲର କବରସ୍ତାନ ଉପରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ