ସ୍ବତନ୍ତ୍ରର ସ୍ବାତନ୍ତ୍ର୍ୟ ଅଦୃଶ୍ୟ


ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୨ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ସେହି ବରପୁତ୍ରମାନଙ୍କୁ ଆମର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି, ଯେଉଁମାନଙ୍କ ପ୍ରୟାସରେ ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା। ଏଥିସହ ସମସ୍ତ ରାଜ୍ୟବାସୀଙ୍କୁ ପ୍ରତିନିଧି ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ପର୍ଯ୍ୟନ୍ତ ଚିରାଚରିତ ଢଙ୍ଗରେ ଉତ୍କଳ ଦିବସ ପାଳିତ ହୋଇଆସୁଛି ସତ, ହେଲେ ଅସଲ ମର୍ମରେ ଏହାର ସ୍ବାତନ୍ତ୍ର୍ୟ ଜନସାଧାରଣ ଅନୁଭବ କରିପାରୁ ନାହାନ୍ତି। କାରଣ ସାଧାରଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁନାହିଁ।

ଏହି ଦିବସରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ବା ଶିଳାନ୍ୟାସ ହେଉଛି। ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏଭଳି କାର୍ଯ୍ୟ ସ୍ବାଗତଯୋଗ୍ୟ। ସରକାରୀ ତଥା ବେସରକାରୀ ସ୍ତରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଛି। ହେଲେ ଯେଉଁ ଭାଷାକୁ ମୂଳପିଣ୍ଡ କରି ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା, ତାହାର ଆଦର ଦୈନନ୍ଦିନ ଜୀବନରେ ସେତେଟା କରାଯାଉ ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଅଠର ବର୍ଷର ଶାସନର କାଳ ପାର କରିଥିଲେ ବି ସ୍ପଷ୍ଟ ଓଡ଼ିଆ କହିପାରୁ ନାହାନ୍ତି। ଅବଶ୍ୟ ସତର ବର୍ଷର ଶାସନ ପରେ ସରକାରଙ୍କ ଚେତା ପଶିବାରୁ ଭାଷା ଓ ସଂସ୍କୃତିକୁ ନେଇ ସ୍ବତନ୍ତ୍ର ବିଭାଗ ଗଠନ କରାଯାଇଛି। ତେବେ ଏହା ରାଜ୍ୟବାସୀଙ୍କ ପାଇଁ ନା ଆଗାମୀ ନିର୍ବାଚନ ପାଇଁ ତାହା ବୁଝାପଡ଼ୁନି। ସରକାରଙ୍କ ବିରୋଧରେ ଭାଷା ଆନ୍ଦୋଳନ ଚଳାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ କୋଣଠେସା କରାଯାଇଛି ତ ଆଉ କେତେକଙ୍କ ସରକାର ନିଜ ପକ୍ଷଭୁକ୍ତ କରିଛନ୍ତି। ଖାଲି ସରକାରୀ କାର୍ଯ୍ୟରେ ବା ସାଇନ୍‌ବୋର୍ଡରେ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରିଦେଲେ କିଛି ଲାଭ ନାହିଁ। ଏ ନେଇ ଓଡ଼ିଶାବାସୀଙ୍କ ମନରେ ଭାଷା ପ୍ରତି ଆଗ୍ରହ ଜନ୍ମିବା ନିତାନ୍ତ ଜରୁରୀ। ଏଥିପାଇଁ କେବଳ ସରକାରୀ ସ୍ତରରେ ନୁହେଁ ବରଂ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରାଯିବା ଜରୁରୀ। ପ୍ରତ୍ୟେକ ଓଡ଼ିଆ ହୃଦୟଙ୍ଗମ କରିବା ଉଚିତ ଯେ ଓଡ଼ିଆ ଭାଷାର ଆବଶ୍ୟକତା ସଭିଙ୍କ ପାଇଁ ରହିଛି।

ବିଶେଷକରି ଓଡ଼ିଆ ଭାଷାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଠିକ୍‌ ରୂପେ ଜାଣିପାରୁଥିବେ ଯେ ଏବେ ନିତ୍ୟ ବ୍ୟବହୃତ ଅନେକ ଓଡ଼ିଆ ଶବ୍ଦ ବ୍ୟବହାରରୁ ବାଦ୍‌ ପଡ଼ିଲାଣି। ଅନ୍ୟ ଭାଷାରୁ ଉଦ୍ଧୃତ ଶବ୍ଦ ଏହାର ସ୍ଥାନ ନେଇ ସାରିଲେଣି। ଅବଶ୍ୟ ଜଗତିକରଣ ଦୁନିଆରେ କେତେକାଂଶରେ ଏହାକୁ ଏଡ଼ାଇ ଦିଆଯାଇ ପାରୁନି। କିନ୍ତୁ ଅସଲ କଥା ହେଉଛି ଆଗାମୀ ପିଢ଼ି ଏ ସମ୍ପର୍କରେ ଅନଭିଞ ହୋଇଯାଉଛନ୍ତି। ଅନେକ ପରିବାରରେ ପିଲାମାନେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ୁଛନ୍ତି, ଘରେ ଓଡ଼ିଆରେ କଥା ହେଉଛନ୍ତି, କିନ୍ତୁ ଓଡ଼ିଆ ଲେଖିପଢ଼ି ଜାଣୁନାହାନ୍ତି। ରାଜ୍ୟ ବାହାରେ ଲମ୍ବା ସମୟ ଧରି ରହିଥିବା କେତେକ ଓଡ଼ିଆ ଏବେ ଆଉ ଓଡ଼ିଆରେ ଲେଖି ହେଉନି ବୋଲି ମଧ୍ୟ ମତଦେଉଛନ୍ତି। ଦେଶର ଅନ୍ୟ ଭାଷାଭାଷୀର ଲୋକଙ୍କ କ୍ଷେତ୍ରରେ ଠିକ୍‌ ଏହାର ବିପରୀତ ଦେଖିବାକୁ ମିଳୁଛି। ସ୍ବତନ୍ତ୍ର ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ରହିଛି, ଏଥିରେ ଦ୍ବିରୁକ୍ତି ନାହିଁ। ହେଲେ ଅଧିକାଂଶ ରାଜ୍ୟବାସୀଙ୍କ ପାଇଁ ଏହା ଅଦୃଶ୍ୟ ହୋଇରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ