କାଠଗଡ଼ାରେ ନିଜାମ୍


ସେଦିନ ସୋମବାର। ୨୦୦୬ ମସିହା ଜୁନ୍ ୨୬ ତାରିଖ। ହାଇଦ୍ରାବାଦର ଏକ ପାରିବାରିକ ଅଦାଲତରେ ବିଚାରପତିଙ୍କ ରାୟ ଶୁଣିବା ପରେ ଜଣେ ମହିଳା ଲୁହ ଛଳଛଳ ଆଖିରେ ତାଙ୍କର ଏକମାତ୍ର କନ୍ୟା ନିଲୋଫରଙ୍କୁ ଚୁମ୍ବନ ଦେଉଥିଲେ। ଏଇ ମହିଳାଜଣକ ହେଉଛନ୍ତି ପୂର୍ବତନ ମିସ୍ ତୁର୍କୀ ମନୋଲ୍ୟା ଓନୁର, ଯିଏ ଥିଲେ ହାଇଦ୍ରାବାଦର ଶେଷ ନିଜାମ୍ ପ୍ରିନ୍ସ ମୁକ୍କରାମ୍ ଜାହ’ଙ୍କର ଛାଡ଼ପତ୍ର ପାଇଥିବା ତୃତୀୟ ପତ୍ନୀ।
 
୧୯୮୯ ମସିହାରେ ପ୍ରିନ୍ସ ମୁକ୍କରାମଙ୍କୁ ଯେତେବେଳେ ୫୮ ବର୍ଷ ବୟସ, ୩୬ ବର୍ଷ ବୟସ୍କା ମିସ୍ ତୁର୍କୀ ମନୋଲ୍ୟା ଓନୁରଙ୍କୁ ସେ ବିବାହ କରିଥିଲେ। ବିବାହର ଦେଢ଼ବର୍ଷ ପରେ ଜନ୍ମ ନେଲେ ନିଲୋଫର ଏବଂ ସେବେଠାରୁ ଆରମ୍ଭ ହେଲା ଦୁଇଜଣଙ୍କ ଭିତରେ ତିକ୍ତତା। ନିଲୋଫରଙ୍କୁ ଯେତେବେଳେ ଦେଢ଼ବର୍ଷ, ଦି’ ଜଣଙ୍କ ଭିତରେ ତଲାକ୍ ହୋଇଗଲା। ତଲାକ୍‌ର ତିନିବର୍ଷ ପରେ ପ୍ରିନ୍ସ ମୁକ୍କରାମ ମରକ୍କୋର ୨୨ ବର୍ଷିୟା ଆୟେଶାଙ୍କୁ ବିବାହ କଲେ। ସେତେବେଳେ ତୁର୍କୀର ସମୁଦ୍ରକୂଳରେ ନିର୍ମିତ ଏକ ରିସର୍ଟରେ ସେମାନେ ରହୁଥିଲେ। ମାତ୍ର କନ୍ୟା ନିଲୋଫର ସହିତ ମନୋଲ୍ୟା ସେବେ ଇସ୍ତାନବୁଲ୍‌ରେ ରହୁଥିଲେ। କାଗଜପତ୍ରରେ ସିନା ନିଲୋଫର ‘ଶେହେଜାଦୀ’, ହେଲେ ବିଶ୍ୱର ସବୁଠାରୁ ଦୁଃଖିନୀ ବୋଲି ସେ ନିଜକୁ ଭାବୁଛନ୍ତି। ନିଲୋଫରଙ୍କୁ ଏଇ ଦୁଃଖ ମନୋଲ୍ୟାଙ୍କୁ ଆନ୍ଦୋଳିତ କଲା ଏବଂ ସେ ଭାରତୀୟ ଆଇନର ଆଶ୍ରୟ ନେଲେ।

ଅଦାଲତର ନିର୍ଦେଶ ଅନୁସାରେ, ତଲାକ୍ ଦେଇଥିବାରୁ ପ୍ରିନ୍ସ ମୁକ୍କରାମ ପିଛିଲା ପ୍ରାପ୍ୟ ଭାବରେ ସାତ ଲକ୍ଷ ଆମେରିକୀୟ ଡଲାର ଏବଂ ମନୋଲ୍ୟାଙ୍କ ପାଖରୁ ନେଇଥିବା ତିନିଲକ୍ଷ ଡ଼ଲାର ସୁଧ ସହ ଫେରସ୍ତ ଦେବାକୁ ନିଷ୍ପତ୍ତି ହେଲା। ଏହାଛଡ଼ା ମନୋଲ୍ୟା ଓ ନିଲୋଫରଙ୍କ ପାଇଁ ମାସିକ ୧୫ ହଜାର ଆମେରିକୀୟ ଡଲାର ଦେବା ସହ ମନୋଲ୍ୟା ରହିଥିବା ଭଡ଼ାଘରର ବାକି ଥିବା ୨୮ ହଜାର ଟଙ୍କା ମଧ୍ୟ ଦେବାକୁ କୁହାଗଲା। ଏଇ ଅର୍ଥ ନ ଦେବା ପର୍ଯ୍ୟନ୍ତ ହାଇଦ୍ରାବାଦରେ ଥିବା ପ୍ରିନ୍ସଙ୍କ ଚିରାନ୍ ଫୋର୍ଟ, ଫଲକନୁମା ମହଲ୍ଲା ସମେତ ଉଟିରେ ଥିବା ସେଡ଼ାର ପ୍ୟାଲେସ୍ ମଧ୍ୟ ସରକାରଙ୍କ କଟକଣାରେ ରହିବ ବୋଲି ଅଦାଲତ ରାୟ ଶୁଣାଇଥିଲେ। ପରେ ଏଇ ରାୟ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ପ୍ରିନ୍ସ ମୁକ୍କରାମ୍।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ