ଚନ୍ଦ୍ରଶେଖରଙ୍କ ସ୍ବପ୍ନଭଙ୍ଗ


ପଞ୍ଜାବରେ ସ୍ବତନ୍ତ୍ର ଖଲିସ୍ତାନ ପ୍ରଦେଶ ଗଠନ ପାଇଁ ସେତେବେଳେ ଜୋରଦାର ଆନ୍ଦୋଳନ ଚାଲିଥିଲା। ଠିକ୍ ସେଇ ସମୟରେ ୧୯୯୦ ମସିହା ନଭେମ୍ବର ୧୦ ତାରିଖରେ ତରୁଣ ତୁଙ୍ଗ ନେତା ଚନ୍ଦ୍ରଶେଖର ହେଲେ ଭାରତର ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଉତ୍ସବ ଏକ ଚ୍ୟାଲେଞ୍ଜ ଥିଲା। ଗଣତନ୍ତ୍ର ଦିବସ ବର୍ଜନ ନ କଲେ, ପରିଣତି ଭୟାବହ ହେବ ବୋଲି ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା।

ଚନ୍ଦ୍ରଶେଖର କିନ୍ତୁ ଡ଼ରି ନ ଥିଲେ। ଡିସେମ୍ବର ମାସରେ ପଞ୍ଜାବର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍ ମହା ନିର୍ଦେଶକଙ୍କୁ ଡାକି କହିଲେ - ୧୦ ହଜାର ଲୋକ ମରନ୍ତୁ କି ୨୦ ହଜାର, ମୋତେ ପରଓ୍ୱା ନାହିଁ। ଦରକାର ହେଲେ ସେନା ଡକାନ୍ତୁ। ତୋପ ମଗାନ୍ତୁ, ଯାହା ବି କରନ୍ତୁ। କିନ୍ତୁ ଆପଣଙ୍କ ପ୍ରଦେଶର ଗୋଟିଏ ବି ମୁଖ୍ୟାଳୟ ବାଦ୍ ପଡ଼ିବ ନାହିଁ, ଯେଉଁଠାରେ କି ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡ଼ିବ ନାହିଁ। ଶେଷରେ ଫରଫର ହୋଇ ତ୍ରିରଙ୍ଗା ଉଡ଼ିଲା ସାରା ପଞ୍ଜାବରେ।

ଚନ୍ଦ୍ରଶେଖର ଭାବୁଥିଲେ ଯେ ପର୍ଯ୍ୟନ୍ତ କଶ୍ମୀର ସମସ୍ୟା ରହିଛି ଏବଂ ଏହାର ସମାଧାନର ନିଷ୍ପତ୍ତି କଶ୍ମୀର ଅଧୀନରେ ରହିଛି, ସେ ପର୍ଯ୍ୟନ୍ତ ଭାରତ ଆତଙ୍କବାଦରୁ ମୁକ୍ତି ପାଇପାରିବ ନାହିଁ। ସୁତରାଂ ତମାମ ରାଜନୈତିକ ଅନିଶ୍ଚିତତା ସତ୍ତ୍ବେ ତାଙ୍କ ସରକାର ନିଷ୍ପତ୍ତି ନେଇ ସାରିଥିଲା ରାତାରାତି ସେନା ପ୍ରବେଶ କରାଇ ପାକିସ୍ତାନରେ ଥିବା ସବୁ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ସବୁଦିନ ପାଇଁ ଶାନ୍ତି ଫେରାଇ ଆଣିବା।

ମାତ୍ର ଚନ୍ଦ୍ରଶେଖରଙ୍କ ନିଷ୍ପତ୍ତି କଂଗ୍ରେସକୁ ବିଚଳିତ କରିଦେଲା। ଚନ୍ଦ୍ରଶେଖର ଦେଶବାସୀଙ୍କ ପାଖରେ ‘ହିରୋ’ ହୋଇଯାଆନ୍ତୁ, କଂଗ୍ରେସ ଚାହୁଁ ନ ଥିଲା। ତେଣୁ ଚନ୍ଦ୍ରଶେଖର ସରକାରକୁ ଭାଙ୍ଗିବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର ଆରମ୍ଭ କରିଦେଲା। ହରିୟାଣା ପୋଲିସର ଦୁଇଜଣ ଯବାନ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାଜୀବ ଗାନ୍ଧିଙ୍କ ବାସଭବନ ପାଖରେ ଗୁଇନ୍ଦାଗିରି କରୁଥିବା ଜଣାପଡ଼ିଲା ଏବଂ ସେଇ ପ୍ରସଙ୍ଗକୁ ବାହାନା କରି ଚନ୍ଦ୍ରଶେଖରଙ୍କ ଠାରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିନେଲା। ଫଳରେ ଚାରି ମାସ ଭିତରେ ଚନ୍ଦ୍ରଶେଖରଙ୍କ ସରକାର ଭାଙ୍ଗି ପଡ଼ିଲା ଏବଂ ଚନ୍ଦ୍ରଶେଖରଙ୍କ ସ୍ବପ୍ନ ସତ ହେବା ଆଗରୁ ଭାଙ୍ଗିଗଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ