ଓଡ଼ିଶାରେ ଇଂରେଜ କମ୍ପାନୀ


ସମଗ୍ର ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ମେଦିନୀପୁର ଓ ବାଲେଶ୍ୱରକୁ ଦଖଲ କରିନେଲେ ଇଂରେଜମାନେ ୧୮୦୩ ମସିହାରେ। ମଧ୍ୟଖଣ୍ଡରେ କେବଳ ନାମକୁ ମାତ୍ର ଶାସନ କରୁଥିଲେ ମରହଟ୍ଟାମାନେ, ଯେଉଁମାନଙ୍କୁ ସେତେବେଳେ ‘ବର୍ଗୀ’ ବୋଲି କୁହାଯାଉଥିଲା। ପୁରୀ, କଟକ ସମେତ କେତେକ ଗଡ଼ଜାତ ଅଞ୍ଚଳ ଦୀର୍ଘ ୬୦ ବର୍ଷ ଧରି ସେମାନଙ୍କ କବ୍‌ଜାରେ ଥିଲେ ମଧ୍ୟ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମରେ ସେମାନେ ଖୁବ୍ ଦୁର୍ବଳ ଥିଲେ। ସେମାନଙ୍କ ଭିତରେ ପ୍ରବଳ ଅନ୍ତର୍ବିବାଦ ଥିବାରୁ ପ୍ରତିରୋଧ କରିବାର କ୍ଷମତା ନ ଥିଲା।

କର୍ଣ୍ଣେଲ ହାରକୋଟଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଓଡ଼ିଶା ପଟୁ ଖୋର୍ଦ୍ଧା ଉପରେ ଆକ୍ରମଣ କଲା ଇଂରେଜ କମ୍ପାନୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳବାସୀ କମ୍ପାନୀକୁ ସହଯୋଗ କଲେ। କାରଣ ମରହଟ୍ଟାମାନଙ୍କ ଶାସନ ସେମାନଙ୍କୁ ବିବ୍ରତ କରି ରଖିଥିଲା ଏବଂ ଇଂରେଜମାନେ ସେମାନଙ୍କୁ ପ୍ରଲୁବ୍ଧ କରି ରଖଥିଲେ।
 
୧୪ ଅକ୍ଟୋବର ୧୮୦୩ ମସିହାରେ କଟକର ବାରବାଟୀ ଦୁର୍ଗ ଇଂରେଜମାନଙ୍କ ଅଧିକାରକୁ ଚାଲିଗଲା। ମରହଟ୍ଟାମାନେ ପ୍ରତିରୋଧ କଲେ। ହେଲେ ଇଂରେଜ ଫୌଜ ଆଗରେ ସେମାନଙ୍କ ପ୍ରତିରୋଧ ନିଷ୍ଫଳ ହେଲା। ସେପଟେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ଏବଂ ତାଙ୍କ ଅନୁଗାମୀମାନେ ଇଂରେଜମାନଙ୍କୁ ଆଖିବୁଜା ସମର୍ଥନ ଦେଲେ। ହେଲେ ଯେତେବେଳେ ସେମାନେ ଅନୁଭବ କଲେ କି ସମର୍ଥନ କରି ସେମାନଙ୍କର କିଛି ଲାଭ ନାହିଁ, ସେତେବେଳେ ସେମାନେ ଇଂରେଜମାନଙ୍କୁ ବିରୋଧ କଲେ। ହେଲେ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା।

ପରେ ରାଜାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯିବ ବୋଲି ଘୋଷଣା କରାଗଲା ଏବଂ ଏ ସମ୍ପର୍କରେ ସବୁ ବିବାଦ ତୁଟାଇବା ପାଇଁ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଜୟୀ ରାଜଗୁରୁଙ୍କୁ ଡ଼କାଗଲା। ହେଲେ ଚତୁର ଫିରଙ୍ଗିମାନଙ୍କର ଉଦ୍ଦେଶ୍ୟ ଥିଲା ଭିନ୍ନ। ଏପଟେ ବିବାଦର ସମାଧାନ ପାଇଁ  ଜୟୀ ରାଜଗୁରୁଙ୍କୁ ଡାକିଥିବାବେଳେ, ସେପଟେ ରାଜା ଇଂରେଜମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି କହି ତାଙ୍କର ସମସ୍ତ ଅଧିକାର ବାହାର କରି ନିଆଗଲା। ଏମିତିକି ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ରାଜାଙ୍କ ନାଁ ନ ନେବା ପାଇଁ ଶ୍ରୀମନ୍ଦିର ପରିଚ୍ଛାଙ୍କୁ ହୁକୁମ ଦିଆଗଲା।

୧୮୦୫ ମସିହା ଜାନୁଆରୀ ମାସରେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରାଗଲା ଏବଂ ମେଦିନୀପୁର ଜେଲ୍‌ରେ ରଖାଗଲା। ୧୮୦୭ ମସିହାରେ ମୁକୁନ୍ଦ ଦେବ ସବୁ ଦୋଷ ଜୟୀ ରାଜଗୁରୁଙ୍କ ଉପରେ ଲଦିଦେଲେ ଏବଂ ମୁକ୍ତି ପାଇଁ କ୍ଷମାପ୍ରାର୍ଥନା କଲେ। ରାଜାଙ୍କୁ କ୍ଷମା ଦିଆଗଲା ଏବଂ କିଛି ଭତ୍ତା ସହ
ଶ୍ରୀମନ୍ଦିର ପରିଚାଳନାର ଦାୟିତ୍ୱ ଦିଆଗଲା। ଜୟୀ ରାଜଗୁରୁ କିନ୍ତୁ ବାସ୍ତବରେ  ଥିଲେ ମହାନାୟକ, ବୀର। ସେ ନିଜେ ବ୍ରିଟିଶ୍ ବିରୋଧୀ ଏବଂ ରାଜା ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଘୋଷଣା କଲେ ଏବଂ ସ୍ବୀକାର କରିନେଲେ ବୀରୋଚିତ ମୃତ୍ୟୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ