ବିଶ୍ଵ
ଇମ୍ରାନଙ୍କ ପରେ ଗଲା ପିଓକେ ପ୍ରଧାନମନ୍ତ୍ରୀଙ୍କ ଗାଦି: ସର୍ଦ୍ଦାର ଦେଲେ ଇସ୍ତଫା

ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ (ଫାଇଲ ଫଟୋ)
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ଗଲା ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀଙ୍କ ଗାଦି। ଇମ୍ରାନ ଇସ୍ତଫା ଦେବା ପରେ ଏବେ ସର୍ଦ୍ଦାର ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଦଳର ୨୫ ଜଣ ସାଂସଦ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି। ସର୍ଦ୍ଦାର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ। ସୂଚନାଯୋଗ୍ୟ, ସର୍ଦ୍ଦାର ଗତ ବର୍ଷ ପିଓକେର ପ୍ରଧାନମନ୍ତ୍ରୀ ହୋଇଥିଲେ।
ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ପାକିସ୍ତାନ ସମ୍ବିଧାନର ଅନୁଛେଦ ୧୬(୧) ଅନୁଯାୟୀ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ସେ ଇସ୍ତଫା ପତ୍ରକୁ ପିଓକେର ରାଷ୍ଟ୍ରପତି ସୁଲତାନ ମହମୁଦ ଚୌଧୁରୀଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ହୋଇଥିବା ନିର୍ବାଚନରେ ପିଓକେର ସମୁଦାୟ ୫୩ଟି ଆସନରୁ ପିଟିଆଇ ୩୨ଟି ଆସନ ଜିତିଥିଲା।
ତେବେ ଏହି ନିର୍ବାଚନକୁ ନେଇ ଭାରତ ସେତେବେଳେ ତୀବ୍ର ବିରୋଧ କରିଥିଲା। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ, ଏହି ଭାରତୀୟ ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ସମସ୍ତ ଭାରତୀୟ ଅଞ୍ଚଳକୁ ତୁରନ୍ତ ଖାଲି କରିବା ଉଚିତ।