୨୬ ଓ ୨୭ରେ ଓଡ଼ିଆ ସମାଜର ‘ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’


ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨ ପୋଷ୍ଟର
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୬ ଓ ୨୭ ତାରିଖରେ ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ  ଭର୍ଚୁଆଲ୍‌ ମାଧ୍ୟମରେ  ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’ ଆୟୋଜିତ ହେବ। ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରିବ। ୨୬ ମାର୍ଚ୍ଚ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ନୂଆଦିଲ୍ଲୀସ୍ଥିତ କମାନୀ ଅଡିଟୋରିୟମଠାରେ ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବେ। ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

‘ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ ୨୦୨୨’ମାଧ୍ୟମରେ ‘ଓଡ଼ିଆ ସମାଜ’ ଓଡ଼ିଶାର ଅନନ୍ୟ କଳା, ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଭାରତ ସମେତ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ତାଞ୍ଜାନିଆ, ରୁଷ, ୟୁଏଇ ଭଳି ରାଷ୍ଟ୍ରର ଲୋକଙ୍କ ନିକଟରେ ପହଞ୍ଚାଇବ। ଏ ସମ୍ପର୍କରେ ‘ଓଡ଼ିଆ ସମାଜ’ର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ‘ଓଡ଼ିଶା ପର୍ବ’ରେ ଆକର୍ଷଣୀୟ ଓ ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ ଓ ଅସାଧାରଣ ପ୍ରତିଭା ସମ୍ପନ୍ନ କଳାକାରଙ୍କ ପ୍ରେରଣାଦାୟୀ ସାକ୍ଷାତକାର ସହିତ ଓଡ଼ିଶାର ଅନନ୍ୟ ଓ ନିଆରା ରୂପକୁ ଉପସ୍ଥାପନ କରାଯିବ। ଏଥିରେ ‘ଓଡ଼ିଆ ସମାଜ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶାର ଅବିସ୍ମରଣୀୟ ପ୍ରାଣସ୍ୱରୂପ ସମୃଦ୍ଧ ଇତିହାସ, ସଂସ୍କୃତି, ପର୍ଯ୍ୟଟନ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଚଳିତ ବର୍ଷ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଜୀବବିଜ୍ଞାନୀ ଆଦିତ୍ୟ ପ୍ରସାଦ ଦାସ, ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ବାବା ବଳିଆ ଓ ନରସିଂହ ପ୍ରସାଦ ଗୁରୁ ନିଜର ଅନୁଭୂତି ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଉପସ୍ଥାପନ କରିବେ। ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ, ନୃତ୍ୟଶିଳ୍ପୀ ଅରୁନ୍ଧତୀ ଗଡ଼ନାୟକ ଓ ବାଇକ୍ ମୋଡିଫାୟର୍‌ ଗଙ୍ଗା ପଟ୍ଟନାୟକ ଆଦି ଯୁବ ପ୍ରତିଭାଙ୍କର ସଫଳତାର କାହାଣୀ ଯୁବପିଢିଙ୍କୁ ପ୍ରେରଣା ଦେବ। ଆଗ୍ରହୀ ଶ୍ରୋତା ଓ ଦର୍ଶକମାନେ ମାର୍ଚ୍ଚ ୨୬ ଓ ୨୭ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ www.odishaparba.live ମାଧ୍ୟମରେ ଭର୍ଚୁଆଲ୍ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ’ର ଏହି ବିଶାଳ ବୈଶ୍ୱିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।