ଦ୍ବିତୀୟ ଟେଷ୍ଟରେ ରାହୁଲଙ୍କ ଅର୍ଦ୍ଧଶତକ, ଜାନସେନଙ୍କ ଘାତକ ବୋଲିଂ: ଭାରତ ୨୦୨, ଦକ୍ଷିଣ ଆଫ୍ରିକା ୩୫/୧


ଅର୍ଦ୍ଧଶତକ ହାସଲ କରିବା ପରେ ଭାରତର ଅଧିନାୟକ ଲୋକେଶ ରାହୁଲ
ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ଟେଷ୍ଟରେ ବି ତାରକାଖଚିତ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନମାନେ ବିଫଳ ହୋଇଥିଲେ। ଜୋହାନସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡ଼ିୟମରେ ଦକ୍ଷିଣ ଆଫ୍ରିକାର ୩ ଦ୍ରୁତ ବୋଲର ମାର୍କୋ ଜାନସେନ ,ଡୁଆନେ ଓଲିଭର ଓ କାଗିସୋ ରବାଡାଙ୍କ ଶର୍ଟପିଚ୍‌ ବଲରେ ଭାରତୀୟ ବ୍ୟାଟିଂ ଲାଇନ୍‌ ଭୂଶୁଡି ପଡିଥିଲା। ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଉପଯୋଗୀ ଇନିଂସ ବଳରେ ଭାରତର ପ୍ରଥମ ଇନିଂସରେ ୨୦୨ରନରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ଖେଳି ୧ ୱିକେଟ ବିନିମୟରେ ୩୫ ରନ କରିଛି। ଆଇଡାନ ମାର୍କରାମ ୭ ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ଡିନ୍ ଏଲ୍‌ଗାର ୧୧ ଓ କିଗାନ ପିଟରସନ ୧୪ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶମୀ ଗୋଟିଏ ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ୧୬୭ ରନ ପଛରେ ରହିଥିବାବେଳେ ହାତରେ ୯ ୱିକେଟ ସୁରକ୍ଷିତ ରହିଛି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ କାମଚଳା ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫର୍ମରେ ଥିବା ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ କିଛି ଦର୍ଶନୀୟ ସଟ୍‌ ଖେଳି ଭଲ ଆରମ୍ଭ କରିଥିଲେ। ଉଭୟ ୧୪.୧ ଓଭର ଖେଳି ୩୬ ରନ ଯୋଗ କରିଥିଲେ। ମୟଙ୍କ ୩୭ଟି ବଲରୁ ୫ଟି ଚୌକା ସହାୟତାରେ ୨୬ ରନ କରିଥିବାବେଳେ ଜାନସେନ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ମୟଙ୍କଙ୍କ ୱିକେଟ ପତନ ପରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଦ୍ବିତୀୟ ୱିକେଟରେ ରାହୁଲ ଓ ଚେତେଶ୍ବର ପୂଜାରା ମାତ୍ର ୧୨ ରନ ଯୋଗ କରିଥିଲେ। ୪୯ରନ ସ୍କୋର ଥିବାବେଳେ ଭାରତ ଦୁଇଟି ୱିକେଟ ହରାଇଥିଲା। ଡୁଆନେ ଓଲିଭର ୨୪ତମ ଓଭରରେ କ୍ରମାଗତ ଦୁଇଟି ବଲରେ ଦୁଇଟି ୱିକେଟ ନେଇଥିଲେ। ପୂଜାରା ୩ ରନ କରି ଓଲିଭରଙ୍କ ବଲରେ ଆଉଟ୍‌ ହୋଇଥିଲେ। ରାହାଣେ ଖାତା ଖୋଲିବା ପୂର୍ବରୁ ଓଲିଭରଙ୍କ ପରବର୍ତ୍ତୀ ବଲରେ ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟ ପାଇଁ ରାହୁଲ ଓ ହନୁମା ବିହାରୀ ଦଳୀୟ ସ୍ଥିତିକୁ ସାମାନ୍ୟ ସୁଧାରିବାରେ ସଫଳ ହୋଇଥିଲେ। ଉଭୟେ ୪ର୍ଥ ୱିକେଟ ପାଇଁ ୪୨ରନ ଯୋଡିଥିଲେ। ୯୧ ରନ ସ୍କୋର ଥିବାବେଳେ ବିହାରୀଙ୍କ ୱିକେଟ ପତନ ହୋଇଥିଲା। ବିହାରୀ କ୍ରିଜରେ ତିଷ୍ଠି ଆସୁଥିବାବଳେ ୨୦ ରନ କରି ରବାଡାଙ୍କ ଏକ ବାଉନ୍ସର ବଲରେ ଡୁସେନଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ରାହୁଲ ଓ ଋଷଭ ପନ୍ତ୍‌ ପଞ୍ଚମ ୱିକେଟ ପାଇଁ ୨୫ ରନ ଯୋଡ଼ିଥିଲେ। ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୧୧୩ଟି ବଲରୁ ୯ଟି ଚୌକା ସହାୟତାରେ ୫୯ ରନ କରିଥିଲେ। ଷଷ୍ଠ ୱିକେଟ ପାଇଁ ପନ୍ତ୍‌ ଓ ଅଶ୍ବିନ ୪୦ରନ ଯୋଡିଥିଲେ। ଦଳୀୟ ସ୍କୋର ୧୫୬ରନ ଥିବାବେଳେ ପନ୍ତ୍‌ ୧୭ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟର ପତନ ୧୫୭ ରନରେ ଘଟିଥିଲା। ଶାର୍ଦୁଲ ଠାକୁର ଖାତା ଖୋଲି ପାରି ନ ଥିଲେ। ଶେଷ ଆଡକୁ ଅଶ୍ବିନଙ୍କ ୫୦ ବଲରୁ ୬ଟି ଚୌକା ସହ ୪୬ରନ ସହାୟତାରେ ଭାରତ ୬୩.୧ ଓଭର ଖେଳି ୨୦୨ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଶମୀ ୯ ଓ ମହମ୍ମଦ ସିରାଜ୍‌ ୧ ରନ କରି ଆଉଟ୍‌ ହୋଇଥିବାବେଳେ ଜ​ସପ୍ରୀତ ବୁମ୍‌ରା ୧୪ ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ୪ଟି ଏବଂ ଡୁଆନେ ଓଲିଭିୟର ଓ କାଗିସୋ  ରବାଡା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଆହତ ବିରାଟ କୋହଲିଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ମିଳିଥିବାବେଳେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।