ଦିନକରେ ୧୦ ହଜାର ୩୦୨ ସଂକ୍ରମିତ ଚିହ୍ନଟ, କେରଳରୁ ଅର୍ଦ୍ଧାଧିକ


କୋଭିଡ୍ ଟେଷ୍ଟ୍ ପାଇଁ ନମୁନା ସଂଗ୍ରହ କରାଯାଉଛି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୦୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଗତ ଦିନକ ଭିତରେ ୨୬୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଫଳସ୍ବରୂପ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪୪ ଲକ୍ଷ ୯୯ ହଜାର ୯୨୫ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୪ ଲକ୍ଷ ୬୫ ହଜାର ୩୪୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶନିବାର ପୂର୍ବାହ୍ନରେ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ୧୧ ହଜାର ୭୮୭ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ମୋଟ ସଂଖ୍ୟା ୩ କୋଟି ୩୯ ଲକ୍ଷ ୯ ହଜାର ୭୦୮ରେ ପହଞ୍ଚିଯାଇଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧ ହଜାର ୭୫୨ ଅଧିକ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍ ୫ ହଜାର ୭୫୪ ଜଣ ସଂକ୍ରମିତ କେବଳ କେରଳର ବାସିନ୍ଦା ଏବଂ ୪୯ ଜଣ ସଂକ୍ରମିତଙ୍କର ଦିନକ ଭିତରେ ରାଜ୍ୟରେ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ଦେଇଥିବା ସୂଚନାରୁ ଜଣାପଡ଼ିଛି।

ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୦.୩୬ ପ୍ରତିଶତ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ଇତିମଧ୍ୟରେ ୯୮.୨୯ ପ୍ରତିଶତ ସଂକ୍ରମିତ ଏହି ଭୂତାଣୁକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଆହୁରି ଦେଶରେ ଦୈନିକ ସଂକ୍ରମଣ ହାର ଗତ ୪୭ ଦିନ ହେଲା ୨ ପ୍ରତିଶତ ତଳେ ଅର୍ଥାତ୍ ୦.୯୬ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର କ୍ରମାଗତ ୫୭ ଦିନ ଧରି ୨ ପ୍ରତିଶତ ତଳେ ଅର୍ଥାତ୍ ୦.୯୩ ପ୍ରତିଶତ ରହିଥିବା ମନ୍ତ୍ରାଳୟ ଦେଇଥିବା ସୂଚନାରୁ ସ୍ପଷ୍ଟ ହୋଇଛି। ସେହିପରି ଏବେ ଦେଶରେ ମାତ୍ର ୧ ଲକ୍ଷ ୨୪ ହଜାର ୮୬୮ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି, ଯାହାକି ଗତ ୫୩୧ ଦିନ ଭିତରେ ସର୍ବନିମ୍ନ ଓ ଏହା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୧ ପ୍ରତିଶତରୁ ବି କମ୍ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଦେଶରେ ୧୧୫.୭୯ କୋଟି ଲୋକ କୋଭିଡ୍ ଟିକାକରଣ ଅଭିଯାନରେ ସାମିଲ୍ ହୋଇସାରିଛନ୍ତି। ଆହୁରି ଦେଶରେ କୋଭିଡ୍ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଉଥିବାରୁ ଅଦ୍ୟାବଧି ମୋଟ ୬୩ କୋଟି ୫ ଲକ୍ଷ ୭୫ ହଜାର ୨୭୯ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ଏଥି ମଧ୍ୟରୁ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୭୨ ହଜାର ୮୬୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।